Odia News Portal

ଖୁବ୍‌ଶୀଘ୍ର ରାଜ୍ୟରେ ଖୋଲିବ ମଦ ଦୋକାନ !

ଭୁବନେଶ୍ୱର : କରୋନା ଲକ୍‌ଡାଉନ କଟକଣାରୁ ଦୀର୍ଘଦିନ ହେବ ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୁବ୍‌ଶୀଘ୍ର ଖୋଲିପାରେ । ପରୋକ୍ଷରେ ସରକାରୀ ଭାବେ ଏମିତି ସୂଚନା ମିଳୁଛି । ରାଜ୍ୟର ୧୧ ଜିଲ୍ଲାରେ ଥିବା ବଟଲିଂ ପ୍ଲାଣ୍ଟ ସହ ବ୍ରେୱେରୀ ୟୁନିଟ୍‌ ଚାଲୁ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଅବକାରୀ କମିଶନର । କୋଭିଡ୍‌ କଟକଣା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରି ପ୍ଲାଣ୍ଟ ଚାଲୁ କରିବାକୁ କୁହାଯାଇଛି । ସରକାର ଆଗକୁ ମଦ ଦୋକାନ ଖୋଲିବା ନେଇ ବିଚାର କରୁଥିବାରୁ ବଜାର ଚାହିଦା ପୂରଣ ପାଇଁ ଉତ୍ପାଦନ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନର ୨ଦିନ ପରଠାରୁ ରାଜ୍ୟରେ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ତୃତୀୟ ପର୍ଯ୍ୟାୟ ଲକଡାଉନ ସମୟରେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କେନ୍ଦ୍ର ଅନୁମତି ପରେ କିଛି ରାଜ୍ୟରେ ମଦ ଦୋକାନ ଖୋଲିଛି । ମାତ୍ର ଓଡ଼ିଶାରେ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହା ରାଜସ୍ୱ କ୍ଷତି କରୁଥିଲା ବେଳେ ଚୋର ମଦ କାରବାର ବଢ଼ିପାରେ ବୋଲି ସରକାର ଆଶଙ୍କା କରୁଛନ୍ତି । ଏଭଳି ସ୍ଥିତିରେ ସରକାର ରାଜ୍ୟରେ ମଦ ଦୋକାନ ଖୋଲିବା ନେଇ ବିଚାରବିମର୍ଶ କରୁଛନ୍ତି । ମଦ ଦୋକାନ ଖୋଲିଲେ ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ଗୋଦାମରେ ଯଥେଷ୍ଟ ପରିମାଣର ମଦ ନାହିଁ । ତେଣୁ ମଦ ମହଜୁଦ କରିବାକୁ ଗଞ୍ଜାମ, ଯାଜପୁର, ଢେଙ୍କାନାଳ, ରାୟଗଡ଼ା, ସମ୍ବଲପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ବଲାଙ୍ଗୀର, ଜଗତସିଂହପୁର ଓ କଟକରେ ଥିବା ବଟ୍‌ଲିଂ ପ୍ଲାଣ୍ଟ ସହ ବ୍ରେୱେରୀ ୟୁନିଟ୍‌ ଯାଞ୍ଚ ପରେ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ କମିଶନର ।

ରାଜ୍ୟରେ ଏବେ ୧୨ ବଟଲିଂ ପ୍ଲାଣ୍ଟ, ୫ ବ୍ରେୱେରିଜ୍‌ ଓ ୨ଟି ଡିଷ୍ଟଲିରିଜ୍‌ ୟୁନିଟ୍‌ ମାର୍ଚ୍ଚ ୨୫ରୁ ବନ୍ଦ ଅଛି । ୟୁନିଟ୍‌ଗୁଡ଼ିକ ଚାଲୁ କରିବାକୁ ଅବକାରୀ କମିଶନର ଅବକାରୀ ସଚିବଙ୍କ ମତ ମଧ୍ୟ ଲୋଡ଼ିଥିଲେ । ସରକାର ପ୍ଲାଣ୍ଟ ଚାଲୁ କରିବାକୁ ନିଷ୍ପତ୍ତି ହୋଇଛି । ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରି ଉତ୍ପାଦନ ଆରମ୍ଭ କରିବା ଉପରେ ଜୋର୍‌ ଦେବାକୁ କୁହାଯାଇଛି । ୬ ଫୁଟର ଦୂରତା, ମାସ୍କର ବ୍ୟବହାର ସହ ବାରମ୍ବାର ସାନିଟାଇଜର ବ୍ୟବହାର କରିବାକୁ ପ୍ଲାଣ୍ଟ ପରିଚାଳକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ବଟ୍‌ଲି ପ୍ଲାଣ୍ଟ ଓ ବ୍ରେୱେରିଜ୍‌ ୟୁନିଟ୍‌ ଖୋଲିବାକୁ ଯାଉଥିବାରୁ ଖୁବ୍‌ଶୀଘ୍ର ମଦ ଦୋକାନ ଖୋଲିପାରେ ବୋଲି ଅନୁମାନ କରାଯାଉଛି । ମାତ୍ର ଏ ନେଇ ସରକାରୀ ଭାବେ କିଛି ବିଜ୍ଞପ୍ତି ପ୍ରକାଶ ପାଇନି । ସୁପ୍ରିମକୋର୍ଟ ମଦ ବିକ୍ରି ବେଳେ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେଇଥିବାରୁ ଯଦି ରାଜ୍ୟରେ ଆଗକୁ ମଦ ଦୋକାନ ଖୋଲିବ ନୂଆ ମାର୍ଗଦର୍ଶିକା ଆସିପାରେ ବୋଲି ଅନୁମାନ କରାଯାଉଛି ।