Odia News Portal

ଭୀଷଣ ରୂପ ନେଇପାରେ ବାତ୍ୟା ‘ଅମ୍ଫାନ’

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ସାମୁଦ୍ରିକ ଝଡ଼ ବାତ୍ୟା ‘ଅମ୍ଫାନ’ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ରୂପ ନେଇପାରେ । ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ରବିବାର ସକାଳୁ ବାତ୍ୟା ପାରାଦୀପ ଠାରୁ ପ୍ରାୟ ୧ ହଜାର କିଲୋମିଟର ଦୂରରେ ଅଛି । ସେହିପରି ପଶ୍ଚିମବଙ୍ଗର ଦୀଘାଠାରୁ ଏହା ୧୧୬୦ କିଲୋମିଟର ଦୂରରେ ଅଛି । ଉପକୂଳ ଓଡ଼ିଶାର ୧୨ଟି ଜିଲ୍ଲାର ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ମତ୍ସଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଆଜି ସନ୍ଧ୍ୟା ପରେ ଏହା ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗକୁ ଗତି କରିପାରେ । ବାତ୍ୟା କେଉଁଠି ଲାଣ୍ଡଫଲ କରିବ, ତାହା ସ୍ପଷ୍ଟ ହୋଇପାରି ନାହିଁ । ପଶ୍ଚିମବଙ୍ଗ, ବାଂଲାଦେଶ ଅଥବା ଅନ୍ୟ କେଉଁଠି ଲାଣ୍ଡଫଲ କରିପାରେ ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶା ପ୍ରଭାବିତ ହୋଇପାରେ । ତେଣୁ ଆଜି ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ଅଧିକ ବିପଦ ରହିଛି । ଯାହା ଅନୁମାନ କରାଯାଉଛି, ୧୮ତାରିଖ ସ୍ୱଳ୍ପ ବର୍ଷା ହେବାକୁ ଥିବା ବେଳେ ୧୯ ତାରିଖ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେବେ ବାତ୍ୟା ୬ ଘଣ୍ଟା ପୂର୍ବରୁ ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ସ୍ଥଳ ଭାଗଆଡ଼କୁ ଆସୁଥିବା ପାଣିପାଗ ସୂତ୍ରରୁ ଜଣାପଡ଼ିଛି ।