ଭୁବନେଶ୍ୱର : ଆପଣଙ୍କ ଫେସବୁକ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ସାବଧାନ ! ଆପଣଙ୍କ ଆକାଉଂଟ ହ୍ୟାକ ହୋଇପାରେ । ସେଥିରେ ଥିବା ସମସ୍ତ ଡାଟା ସହ ଆପଣଙ୍କ ନାଁରେ ସାଙ୍ଗମାନଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟ ହୋଇପାରେ। ଲକଡାଉନ ସମୟରେ ଏଭଳି ଭାବେ ଶହଶହ ଫେସବୁକ ହ୍ୟାକ କରି ହ୍ୟାକରମାନେ ଲକ୍ଷଲକ୍ଷ ଲୁଟି ନେଉଥିବା ଜଣାପଡିଛି । ଏଥିରୁ ପୁଲିସ, ସାମ୍ବାଦିକ ଓ ସରକାରୀ କର୍ମଚାରୀମାନେ ବି ବାଦ ପଡୁନାହିଁନ୍ତି । ଲକଡାଉନ ସମୟରେ ଏବେ ହ୍ୟାକରମାନେ ସକ୍ରିୟ ହୋଇଉଠିଛନ୍ତି । ଘରେ ବସିବା କାରଣରୁ ସେମାନେ ବିଭିନ୍ନ ଲୋକଙ୍କ ଫେସବୁକକୁ ହ୍ୟାକ କରିବା ସହ ତାହାର ବ୍ୟବହାର କରି ଲକ୍ଷଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ଏଭଳି ଭାବେ ଗତ ୧୫ ଦିନ ଭିତରେ ପ୍ରାୟ ଶହେରୁ ଅଧିକ ଫେସବୁକ ହ୍ୟାକ ହୋଇଥିବା ଜଣାପଡିଛି । କମିଶନରେଟ ପୋଲିସର ଜଣେ ବରିଷ୍ଠ ଆଧିକାରୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ ହୋଇଛି। ଆକାଉଂଟକୁ ହ୍ୟାକ କରିବା ସହ ମେସେଞ୍ଜରକୁ ବ୍ୟବହାର କରି ତାଙ୍କ ବନ୍ଧୁମାନଙ୍କୁ ଜରୁରୀ ଆବଶ୍ୟକ ଥିବା କହି ହ୍ୟାକରମାନେ ଟଙ୍କା ମାଗିଛନ୍ତି ।ଖାଲି ଏମାନେ ନୁହଁନ୍ତି, ବରଂ ରାଜଧାନୀ ସମେତ ରାଜ୍ୟର ପ୍ରାୟ ଶହେରୁ ଅଧିକ ଲୋକଙ୍କ ଫେସବୁକ ହ୍ୟାକ ହୋଇଛି । ଯାହା ଏବେ ଚିନ୍ତାର ବିଷୟ ହୋଇଛି ।
ତେବେ ହ୍ୟାକରମାନେ ଏଭଳି କରିବା ପଛରେ ଲକଡାଉନ ହିଁ ମୁଖ୍ୟକାରଣ ବୋଲି କୁହାଯାଉଛି । କାରଣ ଲକଡାଉନ ସମୟରେ ହ୍ୟାକରମାନଙ୍କର କିଛି କାମଧନ୍ଦା ରହୁନି । ସେମାନେ ଘରେ ବସି ବଦମାସି କରିବା ସହ କିଛି ଟଙ୍କା ଲୁଟିବା ପାଇଁ ଏଭଳି କରୁଛନ୍ତି । ଫେସବୁକ ଆକାଉଂଟର ରିୟଲ ଟାଇମ ପାସୱାର୍ଡ ବଦଳାଇବା ପରେ ସେଟିଂ ପରିବର୍ତ୍ତନ କଲେ ଏହାକୁ ରୋକି ହେବ ବୋଲି ଆଇଟି ବିଶେଷଜ୍ଞ କହିଛନ୍ତି।
କରୋନା ସମୟରେ ଫେସବୁକ ହ୍ୟାକ କରି ଟଙ୍କା ମାଗିବା ଯେତିକି ଚିନ୍ତାଜନକ ନୁହଁ, ଉକ୍ତ ଆକାଉଂଟକୁ ବ୍ୟବହାର କରି ଯଦି କିଛି ଆପତିଜନକ ଫଟୋ, ଭିଡ଼ିଓ କିମ୍ବା ମେସେଜ ଲେଖନ୍ତି, ତେବେ ଏହା ଆକାଉଂଟଧାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏନେଇ ପୁଲିସରେ ମଧ୍ୟ ଅଭିଯୋଗ କରାଯାଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ହ୍ୟାକରଙ୍କୁ ଧରିବା ଲାଗି ଉଦ୍ୟମ ଆରମ୍ଭ କରିଛି ।