ଭୁବନେଶ୍ୱର : କରୋନା ଭଳି ଆର୍ନ୍ତଜାତୀୟ ମହାମାରୀର ସଫଳ ମୁକାବିଲା କରି ରାଜ୍ୟ ସରକାର ଦେଶ ବିଦେଶରୁ ପ୍ରଶଂସା ସାଉଁଟୁଥିବାବେଳେ କିଛି ସରକାରୀ କର୍ମଚାରୀଙ୍କ ଯୋଗୁଁ ବିନା କାରଣରେ ବଦନାମ ହେବାରେ ଲାଗିଛନ୍ତି । ବିଡିଓଙ୍କ ଠାରୁ ଆରମ୍ଭ କରି ପୁଲିସ୍ ପର୍ଯ୍ୟନ୍ତ କିଛି ଅମାନିଆ କର୍ମଚାରୀଙ୍କ ବେପରୁଆ ଓ ଅଂହକାର ମନୋବୃତ୍ତି ଯୋଗୁଁ ସରକାରଙ୍କ ବିରୁଦ୍ଧରେ ଲୋକେ ମୁହଁ ଖୋଲିବାକୁ ବାଧ୍ୟ ହେଉଛନ୍ତି ।
ଏହି କ୍ରମରେ ଏବେ ରାଜ୍ୟର ତିନିଜଣ ବିଡିଓ ଓ ତିନିଜଣ ପୁଲିସ୍ ଅଧିକାରୀ ସରକାରଙ୍କୁ ଏକ ପ୍ରକାର ହରଡଘଣାରେ ପକାଇଛନ୍ତି । ଏକ୍ଷେତ୍ରରେ ସବୁଠାରୁ ଆଗରେ ଅଛନ୍ତି ବାଲିଆପାଳର ମହିଳା ବିଡିଓ । ଯେଉଁ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପିଲା ବୋଲି ସମ୍ବୋଧନ କରୁଛନ୍ତି ସେହି ପ୍ରବାସୀଙ୍କୁ ସାମାନ୍ୟ କାରଣ ଯୋଗୁଁ ବିଡିଓ ମହାଶୟା ସେମାନଙ୍କ ଚଉଦ ପୁରୁଷ ଧରି ଶୋଧୁଛନ୍ତି ।
ଖାଲି ଶୋଧୁ ନାହାନ୍ତି ଦାଦନ, ଖଟିଖିଆ ଭଳି ଅଶ୍ରାବ୍ୟ ଭାଷାରେ ଗାଳି ଦେବାକୁ ବି ପଛାଉ ନାହାନ୍ତି । ଏହି ବିଡିଓଙ୍କ ବିରୁଦ୍ଧରେ ଏବେ ଚାଲିଛି ତଦନ୍ତ । ସେହିଭଳି ଛେଣ୍ଡିପଦାର ବିଡିଓ ମଧ୍ୟ ପ୍ରବାସୀ ଫେରନ୍ତା ବାଳିକାମାନଙ୍କୁ ଅତ୍ୟନ୍ତ ଖରାପ ବ୍ୟବହାର କରି ଚର୍ଚ୍ଚାରେ । ଏଥି ସହିତ ଯୋଡିହୋଇ ଯାଇଛି ନୟାଗଡ ବିଡିଓଙ୍କ କାରନାମା । ନିଜର କଷ୍ଟାର୍ଜିତ ପାଉଣା ମାଗିବାକୁ ଯାଇଥିବା ଛୋଟ ଠିକାଦାର ଜଣଙ୍କୁ ବିଡିଓ ବାବୁ ବାଡେଇବାକୁ ବି ପଛାଇ ନାହାନ୍ତି । ବିଡିଓଙ୍କ କାରନାମାକୁ ନେଇ ସୋସିଆଲ ମିଡିଆରେ ସରକାର କାଠଗଡାରେ ଛିଡାହୋଇଥିବାବେଳେ କିଛି ପୁଲିସ୍ଙ୍କ କାରବାର ବି ସରକାରଙ୍କ ସମେତ ପୁଲିସ୍ ବିଭାଗକୁ ବଦନାମ କରିଦେଲାଣି । ଲକ୍ ଡାଉନ୍ କଟକଣା ସମୟରେ ଏଭଳି ବଦନାମର ମୂଳଦୂଆ ପକାଇଥିଲେ ବଡଚଣା ଥାନା ଅଧିକାରୀ । ସମଗ୍ର ରାଜ୍ୟରେ ଅଖ ଚକ ବନ୍ଦ ଥିବାବେଳେ ନିଜ ପରିବାରକୁ ନେଇ ପୁରୀ ଗଲେ ଓ ପୁଲିସିଆ ଷ୍ଟାଇଲରେ ଜଗନ୍ନାଥଙ୍କୁ ବି ଦର୍ଶନ କଲେ । ଧରାପଡିଲା ପରେ ବାବୁ ଯେଉଁ ଗାଡି ଚଢି ଯାଇଥିଲେ ସେଇଟି ଚୋରା ଗାଡି ବୋଲି ଜଣାପଡିଲା ।
ବଡଚଣା ବାବୁଙ୍କ କଥା ମନରୁ ନଲିଭିଣୁ କ୍ୟାପିଟାଲ ଥାନାର ଯୁବ ଅଫିସର ପ୍ରେମ କାରବାରରେ ଜଡିତ ହୋଇ ଫେରାର ମାରିଲେ । ଧରାପଡିଲେ ରାଉରକେଲାରୁ । ତାଙ୍କ ପ୍ରେମ ବ୍ୟାପାରର ଖିଅ ଖୋଜୁ ଖୋଜୁ ଆଉ କିଛି ବାବୁଙ୍କ ଗାଡି ଚୋରି ରଫାଦଫା କାର୍ଯ୍ୟ ବି ପଦାକୁ ଆସିଛି । ତେବେ ଏହି ଦୁଇ ପୁଲିସ୍ଙ୍କ କାରବାରକୁ ବଳିଯାଇଛି କାଲି କେନ୍ଦୁଝର ଜିଲ୍ଲାର ଜଣେ ମହିଳା ଇନ୍ସପେକ୍ଟରଙ୍କ କାରନାମା । ଜମି ଜମା ଘଟଣାରେ ଥାନା ଭିତରେ ଜଣେ ଯୁବକଙ୍କୁ ନିର୍ଧୁମୁ ପିଟି ମାଡାମ ଏବେ ଚର୍ଚ୍ଚାରେ । ଗଣମାଧ୍ୟମରେ ପୁଲିସ୍ ବାଡିଆ ଭିଡିଓ ପ୍ରସାରିତ ହେବାପରେ ସମ୍ପକ୍ତ ମହିଳା ଅଫିସର ଆଉ ପାଟି ଖୋଲୁ ନାହାନ୍ତି ।
ଏହି ସମସ୍ତ ଘଟଣାରେ ସରକାର କେବଳ ବଦନାମ ହେବା ସାର ହେଉଛି । ସଫଳତାର ଭାଣ୍ଡରେ ଏମାନେ ଟୋପାଏ କରି ବିଷ ପକାଇ ସମଗ୍ର ଭାଣ୍ଡକୁ ବିଷାକ୍ତ କରିଦେଲା ଭଳି ଅବସ୍ଥା । ତେଣୁ ଏଭଳି କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ସରକାରଙ୍କର ଅନେକ ସଫଳତାକୁ ଏମାନଙ୍କ ଭଳି ଅଫିସରମାନେ ମାଟିରେ ମିଶାଇ ଦେବେବୋଲି ଖୋଦ କିଛି ପ୍ରଶାସନିକ ଅଧିକାରୀ ଓ ରାଜନେତା ଖୋଲାଖୋଲି ଭାବେ କହୁଛନ୍ତି ।