Odia News Portal

ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ପ୍ରଦର୍ଶନୀ ପଡିଆରେ ପୋଲିସ ଡିଜି

ଭୁବନେଶ୍ବର : ଆସନ୍ତା ବୁଧବାର(୨୯ ତାରିଖ)ରେ ପ୍ରଦର୍ଶନୀ ପଡିଆରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ । ଏହି ଉତ୍ସବ ୧୧ ଟା ୪୫ ଯାଏଁ ଚାଲିବ । ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ । ଉତ୍ସବରେ ସମସ୍ତ ବିଧାୟକ, ସାଂସଦଙ୍କ ସହ ଦଳର ୫ ହଜାର ନେତା ଓ କର୍ମକର୍ତ୍ତା ବସିବା ପାଇଁ ଆସନ ବ୍ୟବସ୍ଥା କରାଯାଉଛି ।

ଏନେଇ ଆଜି ପ୍ରଦର୍ଶନୀ ପଡିଆରେ ସୁରକ୍ଷା ଯାଞ୍ଚ କରାଯାଇଛି । ଯାଞ୍ଚ ପରେ ସୁରକ୍ଷା ସମୀକ୍ଷା କରିଛନ୍ତି ଡିଜିପି ଆର ପି ଶର୍ମା । ଡିଜିପିଙ୍କ ସୂଚନା ଅନୁସାରେ ଶପଥ ଗ୍ରହଣ ଉତ୍ସବରେ ୫ହଜାରରୁ ଉର୍ଦ୍ଧ୍ୱ ସମାଗମ ହୋଇପାରେ । ଏଥିପାଇଁ ପ୍ରଦର୍ଶନୀ ପଡିଆ ଚାରିପଟେ କୋଠା ଉପରେ ସୁରକ୍ଷା କର୍ମୀ ରହିବେ । ଏହା ସହ ପ୍ରଦର୍ଶନୀ ପଡିଆ ଚାରି ପାଶ୍ୱରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯିବ । ପଡିଆ ଭିତର କଣ୍ଟ୍ରୋଲ୍ ସୁରକ୍ଷା ସ୍ଥିତି ଉପରେ ନଜର ରଖାଯିବ ବୋଲି ଡିଜିପି ଶର୍ମା କହିଛନ୍ତି ।

ଏହା ସହ ରାଜ୍ୟ ବାହାରୁ ଅତିଥି ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ଟ୍ରାଫିକ୍ ବ୍ଯବସ୍ଥା ଉପରେ ଗୁରୁତ୍ୱ ଦେଇ କିଛି ରୁଟରେ ପରିବର୍ତ୍ତନ ମଧ୍ୟ କରାଯିବ । ପ୍ରଦର୍ଶନୀ ପଡିଆ ଦାୟିତ୍ୱ ପୋଲିସ କମିଶନରଙ୍କୁ ଦିଆଯାଇଛି ବୋଲି ଡିଜିପି ଶର୍ମା ସୂଚନା ଦେଇଛନ୍ତି । ସମୀକ୍ଷାରେ ପୋଲିସ ଡିଜିଙ୍କ ସହ ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଡିସିପି ଅନୁପ ସାହୁ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।