Odia News Portal

ଘରୋଇ ଟିଭି ଚ୍ୟାନେଲରୁ ଖବର ଟିପୁଛନ୍ତି ଆକାଶବାଣୀ ଓ ଦୂରଦର୍ଶନ

ଭୁବନେଶ୍ୱର : ବିଶ୍ୱସନୀୟ ଗଣମାଧ୍ୟମ ଭାବେ ପରିଚିତ ଆକାଶବାଣୀ ଓ ଦୂରଦର୍ଶନ ଏବେ ବିଭିନ୍ନ ଘରୋଇ ଟିଭି ଚ୍ୟାନେଲରୁ ଖବର ଟିପୁଛନ୍ତି । କଥାଟି ବିଶ୍ୱାସଯୋଗ୍ୟ ନହେଲେ ମଧ୍ୟ ସତ୍ୟ । କାରଣ ଅନ୍ୟ ଅଞ୍ଚଳ ତ ଦୂରରକଥା ରାଜ୍ୟ ରାଜଧାନୀ ପାଇଁ ଉଭୟ ଆକାଶବାଣୀ କିମ୍ବା ଦୂରଦର୍ଶନ ଲାଗି ଖବର ସଂଗ୍ରହ ସକାଶେ ଜଣେ ହେଲେ ନିୟମିତ ପ୍ରତିନିଧି ନାହାନ୍ତି । ଦୀର୍ଘଦିନ ହେଲା ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ରାଜଧାନୀରେ ଜଣେ ହେଲେ ସାମ୍ବାଦିକ ନିଯୁକ୍ତ କରାଯାଉନାହିଁ । ପ୍ରସାରଭାରତୀ ପକ୍ଷରୁ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ପୂର୍ବରୁ ରାଜଧାନୀରେ ନିୟୋଜିତ ଥିବା ସାମ୍ବାଦିକ ଆକାଶବାଣୀକୁ ତାଜା ଖବର ଯୋଗାଉଥିଲେ । ସିଏ ଯେଉଁଦିନ ଛୁଟି ବା ଅନ୍ୟାନ୍ୟ କାରଣରୁ ଅନୁପସ୍ଥିତ ରହୁଥିଲେ ସେତିକି ଦିନ ଖବର ସଂଗ୍ରହ ଲାଗି ଆବାଶବାଣୀ ଅନ୍ୟ ସାମ୍ବାଦିକଙ୍କ ସହ ଚୁକ୍ତି କରୁଥିଲା । ହେଲେ ଏବେ ଅର୍ଥାଭାବର ଆଳ ଦର୍ଶାଇ ନା ସାମ୍ବାଦିକ ନିଯୁକ୍ତ କରାଯାଉଛି ନା ଅନ୍ୟ ସାମ୍ବାଦିକଙ୍କ ଠାରୁ ଖବର ସଂଗ୍ରହ ହେଉଛି ।

ଘରେଇ ଟିଭି ଚ୍ୟାନେଲରୁ ଖବର ଟିପି ଆକାଶବାଣୀ କାମ ସାରିଦେଉଛି । ଅତି ଜରୁରୀ ହେଲେ ଚିହ୍ନା ପରିଚୟ ଲୋକଙ୍କୁ ଫୋନ୍‍ କରି ବୁଝି ଦେଉଛନ୍ତି । ଅନୁରୂପ ଅବସ୍ଥା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର । ରାଜଧାନୀରେ ଏହି ଜାତୀୟ ସଂସ୍ଥାର ବି ଜଣେ ହେଲେ ନିୟମିତ ସାମ୍ବାଦିକ ନାହାନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ପାଇବା ଏମାନଙ୍କ ପକ୍ଷେ କଷ୍ଟକର । ଏପରିକି ବିଧାନସଭା ଓ ସଚିବାଳୟ ଖବର ପାଇବାକୁ ହେଲେ ଷ୍ଟ୍ରଞ୍ଜରମାନଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ହେଲେ ଏହି ଷ୍ଟ୍ରିଞ୍ଜରମାନଙ୍କୁ ଠିକଣା ସମୟରେ ଅର୍ଥ ମିଳୁନଥିବାରୁ ସେମାନେ ବି ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯେତେବେଳେ କୌଣସି କେନ୍ଦ୍ରମନ୍ତ୍ରୀ କିମ୍ବା ଅଫିସର ଆସୁଛନ୍ତି ସେତେବେଳେ ପ୍ରସାରଭାରତୀର ଅଧିକାରୀମାନେ ଚଳ ଚଞ୍ଚଳ ହୋଇ କୌଣସି ପ୍ରକାରେ କାମ ଚଳାଇ ଦେଉଛନ୍ତି । ସମ୍ବାଦ ବିଭାଗର ମୁଖ୍ୟ ନିଜେ ଖାତା କଲମ ଧରି ମଇଦାନକୁ ଆସି ଯାଉଛନ୍ତି । ପରେ ଯେଉଁ ତିମିରେ କୁ ସେହି ତିମିରେ ।

ଦୂରଦର୍ଶନ ସମ୍ବାଦ ବିଭାଗର ଅବସ୍ଥା ନକହିବା ଭଲ । କାରଣ ଏଠାରେ ଏବେ ସମ୍ବାଦ ପଢୁଥିବା ଅନେକ ପାଠକ ପାଠିକା ଯୁବାବସ୍ଥାରୁ ଆସି ବୁଢା ବୁଢି ହୋଇଗଲେଣି । କୌଣସି ଅକୁହା କାରଣ ଯୋଗୁଁ ଯୁବ ବର୍ଗଙ୍କୁ ଏହି ସୁଯୋଗ ମିଳୁନାହିଁ । ଧରାଧରି ଓ ପ୍ରିୟାପୀତି ତୋଷଣରେ ସମ୍ବାଦ ବିଭାଗଟି ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଦୂରଦର୍ଶନ କେନ୍ଦ୍ରର ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ପରିକ୍ରମାକୁ ଦେଖିଲେ ସମ୍ବାଦ ବିଭାଗର ଅବସ୍ଥା କଣ ତାହା ଜଣେ କେହି ସହଜରେ ଜାଣିପାରିବ ।

ଘରୋଇ କିଛି ଲୋକ ଏବେ ଦୂରଦର୍ଶନ କେନ୍ଦ୍ରକୁ ନିଜର ହସ୍ତମୁଦି ମାହାଲ କରି ଦେଲେଣି । ବର୍ଷ ବର୍ଷ ଧରି ଏମାନେ ଦୂରଦର୍ଶନକୁ ଏଭଳି ଅକ୍ତିଆରରେ ରଖିଛନ୍ତି ଯେ ଅନ୍ୟ ଯୋଗ୍ୟ ଯୁବକ ଯୁବତୀଙ୍କୁ ପୂରାଇ ଦେଉନାହାନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ମହାମାରୀ ସହିତ ବାତ୍ୟା ବିପର୍ଯ୍ୟୟ ଦେଖା ଦେଇଛି । ହେଲେ ଏହି ଦୁଇ କେନ୍ଦ୍ରୀୟ ସଂସ୍ଥାର ପ୍ରତିନିଧି ନଥିବା ଓ ଘରୋଇ ନ୍ୟୁଜ ଚ୍ୟାନେଲରୁ ଖବର ଟିପୁ ଥିବାରୁ ଲୋକେ ଉଭୟ ସଂସ୍ଥାର ଖବର ପାଇଁ ଆଗ୍ରହୀ ହେଉ ନାହାନ୍ତି । ତେଣୁ ତୁରନ୍ତ ଆକାଶବାଣୀ ଓ ଦୂରଦର୍ଶନ ପକ୍ଷରୁ ଅତି କମରେ ରାଜ୍ୟ ରାଜଧାନୀରେ ନିଜ ନିଜର ପ୍ରତିନିଧି ଦେବାକୁ ମତ ପ୍ରକାଶ ପାଉଛି ।

ଏଥି ସହିତ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରକୁ ଯେଭଳି କିଛି ଲୋକ ନିଜର ସ୍ୱାର୍ଥ ପାଇଁ ବଳି ପକେଇ ଦେଲେଣି ତୁରନ୍ତ ସେମାନଙ୍କୁ ଏଠାରୁ ବହିଷ୍କାର ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ ହେଲାଣି । ନହେଲେ ଦିନ ଆସିବ ଜଣେ ହେଲେ ଦର୍ଶକ ଦୂରଦର୍ଶନ ଖବର ଦେଖିବେ ନାହିଁ କି ଆକାଶବାଣୀର ଖବର ଶୁଣିବେ ନାହିଁ । ଏକଦା ଖବର ପାଇଁ ଖ୍ୟାତି ଅର୍ଜନ କରିଥିବା ଦୁଇ ନିର୍ଭରଯୋଗ୍ୟ ସରକାରୀ ସଂସ୍ଥା ତାହାର ଅସ୍ଥିତ୍ୱ ହରାଇ ବସିବ ।