Odia News Portal

୪ ଜିଲ୍ଲାପାଳଙ୍କୁ ଏସଆରସି ମାଗିଲେ କ୍ଷୟକ୍ଷତି ଅକାଳନର ରିପୋର୍ଟ

ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ବେଳେ ନାଲି ଆଖି ଦେଖାଇଲା ଅମ୍ଫାନ୍ । ଉଡ଼େଇ ନେଲା, ବୁଡ଼େଇ ଦେଲା । ଉପାଡ଼ି ଫୋପାଡି ଦେଲା ବଡ଼ ବଡ଼ ଗଛ । ଭାଙ୍ଗି ମୋଡ଼ି ମକଚି ଦେଲା । ପବନରେ ଉଡ଼ିଗଲା ଚାଳିଆ ଘର । ଆଜବେଷ୍ଟସ୍‌ ସବୁ ଭାଙ୍ଗି ଖଣ୍ଡଖଣ୍ଡ । ଏଭଳି ଚିତ୍ର ସବୁ ଆଜି ଦେଖିବାକୁ ମିଳିଥିଲା ଉପକୂଳ ଓଡିଶାର ୪ ଜିଲ୍ଲାରେ  । ବାତ୍ୟା ପ୍ରଭାବରେ ବହିଥିଲା ଘଣ୍ଟା ପ୍ରତି ୧୦୨ କିଲୋମିଟରରୁ ଅଧିକ ପବନ । ୨୦୮ ମିଲିମିଟରରୁ ଅଧିକ ବର୍ଷା ମଧ୍ୟ ହୋଇଥିଲା ।

କେନ୍ଦ୍ରାପଡ଼ାକୁ ଅତିକ୍ରମ କରିବା ବେଳେ ଚାଳଚୁଆ ଓ ପେଣ୍ଠରେ କରାଳ ରୂପ ଧାରଣ କରିଥିଲା ସମୁଦ୍ର । ଭୟାନକ ଗର୍ଜନ କରିଥିଲା । ମାଡ଼ି ଆସିଥିଲା ସ୍ଥଳଭାଗକୁ । ଡଙ୍ଗାକୁ ଆଣି ବେଳାଭୂମିରେ ପିଟି ଦେଇଥିଲା । ନଳିତାପାଟିଆ ତାଳଚୁଆ ରାସ୍ତାରେ ମାଡ଼ ହୋଇଥିଲା ସମୁଦ୍ର ପାଣି । ଅନେକ ଅଞ୍ଚଳରେ ଏବେ ବି ସମୂଦ୍ର ପାଣି ଜମି ରହିଛି।

ଭଦ୍ରକରେ ମଧ୍ୟ ସମାନ୍ତରାଳ କାୟା ବିସ୍ତାର କରିଥିଲା ଅମ୍ଫାନ । ଚାନ୍ଦବାଲି ଓ ଧାମରାରେ ଏହାର ବେଶୀ ପ୍ରଭାବ ଦେଖିବାକୁ ମିଳିଥିଲା ।  ପବନର ତୀବ୍ରତା ଆଗରେ ନଇଁ ପଡୁଥିଲା ବଡ଼ ବଡ଼ ଗଛ । ଉଡ଼ି ଯାଇଥିଲା ଚାଳ ଘର ଛପର । ତୁହାକୁ ତୁହା ବର୍ଷା ହେଉଥିଲା । ଦିନ ବଢ଼ିବା ସହ ବଢୁଥିଲା ବର୍ଷା ପବନ । ଯେତିକି ସମୟ ଉପକୂଳ ଦେଇ ବାତ୍ୟା ଅତିକ୍ରମ କରୁଥିଲା ସେତିକି ସମୟ ପର୍ଯ୍ୟନ୍ତ ନିଜର କରାଳ ରୂପକୁ ଦେଖାଇ ଚାଲିଥିଲା।