ଭୁବନେଶ୍ୱର : ଜିଲ୍ଲା ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହିଲେ ମହାବାତ୍ୟା ଭଳି ବିପଦକୁ କିଭଳି ମୁକାବିଲା କରାଯାଇ ପାରିବ ତାହାର ଉଦାହରଣ ଦେଖିବାକୁ ମିଳିଲା କେନ୍ଦ୍ରାପଡାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକରେ ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ଯାଇଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା, କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍ପି ନୀତି ଶେଖରଙ୍କ ସହିତ ସଠିକ ସମନ୍ୱୟ ରକ୍ଷା ଯୋଗୁଁ ଜିଲ୍ଲାରେ ଗୋଟିଏ ହେଲେ ଧନଜୀବନ ହାନି ଘଟିଲା ନାହିଁ କି ଲୋକେ ବିପଦ କ’ଣ ଜାଣି ପାରିଲେ ନାହିଁ । ବାତ୍ୟାର ଏଭଳି ସଫଳ ମୁକାବିଲା ଦେଖିଲା ପରେ ହେମନ୍ତ-ଆଶିଷ-ସମର୍ଥଙ୍କ ଯୋଡିର କାର୍ଯ୍ୟଦକ୍ଷତାକୁ ନେଇ ଜିଲ୍ଲାବାସୀ ପ୍ରଶଂସା କରୁଛନ୍ତି ।
ଦକ୍ଷିଣପୂର୍ବ ବଙ୍ଗୋପସାଗରେ ବାତ୍ୟା ଅମ୍ଫନ ଦାନା ଧରିବା ପରଠାରୁ ଏହା ଓଡିଶା ଉପକୂଳ ମୁହାଁଇବା ସ୍ପଷ୍ଟ ହୋଇଥିଲା । ସେବେଠାରୁ ରାଜ୍ୟ ସରାକର ବାତ୍ୟା ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ବାତ୍ୟା ମୁହଁରେ ସବୁଠାରୁ କ୍ଷତିଗ୍ରସ୍ତ ଜିଲ୍ଲା ତାଲିକାର ଆଗରେ ଥିଲା କେନ୍ଦ୍ରାପଡା । ଏପରିକି ବାତ୍ୟା କେନ୍ଦ୍ରାପଡାରେ ସ୍ଥଳଭାଗ ଛୁଇଁପାରେ ବୋଲି କେତେକ ବିଶେଷଜ୍ଞ ମତ ଦେଇଥିଲେ । ତାହା ରାଜ୍ୟ ପ୍ରଶାସନର ହୃତ୍କମ୍ପନକୁ ବଢାଇ ଦେଇଥିଲା । ସେଥିପାଇଁ ବଛା ବଛା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ରାପଡାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ହେମନ୍ତ ଶର୍ମା ଜିଲ୍ଲାର ଭୂଗୋଳକୁ ଭଲ ଭାବେ ପଢିଥିବାବେଳେ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନେଇ ପ୍ରସ୍ତୁତ କରିଥିଲେ ରଣନୀତି । ସାମିଲ ହୋଇଥିଲେ ଅନ୍ୟ ସମସ୍ତ ବିଭାଗର ଅଧିକାରୀ ।
ବାତ୍ୟାକୁ କିଭଳି ମୁକାବିଲା କରାଯାଇ ପାରିବ ସେଥିପାଇଁ ପୂରା ଦମ୍ରେ ଲାଗିପଡିଥିଲେ । ସେହିଭଳି କେନ୍ଦ୍ରାଞ୍ଚଳ ଡିଆଇଜି ଶ୍ରୀ ସିଂହ ଗୁରୁତ୍ୱ ଦେଇଥିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଉପରେ । ସମୁଦ୍ରକୂଳରେ ଲୋକଙ୍କୁ ଘରକୁ ଘର ବୁଲି ହାତ ଯୋଡି ସୁରକ୍ଷିତ ସ୍ଥାନକୁ ଯିବାପାଇଁ ପ୍ରବର୍ତ୍ତାଇଥିଲେ ।
ଯେଉଁମାନେ ବାତ୍ୟା ଆଶୟସ୍ଥଳୀରେ ପହଞ୍ଚୁଥିଲେ ସେମାନଙ୍କ ପାଇଁ ସେଠାରେ ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି ଶିଶୁ ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାର ନିଜେ ତଦାରଖ କରୁଥିଲେ । ଜିଲ୍ଲାରେ ପ୍ରଶାସନ କେତେକ ସଜାଗ ଥିଲା ତାହା ଜଣାପଡିଥିଲା ପୂର୍ବତନ ସାଂସଦ ବୈଜୟନ୍ତ ବାତ୍ୟା ମୁକାବିଲାରେ ପଣ୍ଡାଙ୍କ ଟୁଇଟ୍ରୁ । ଶ୍ରୀ ଟୁଇଟ୍ କରି ବାତ୍ୟାରେ କାନ୍ଥ ପଡି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଦର୍ଶାଇବା ସହିତ ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଅଙ୍ଗୁଳି ଦେଖାଇଥିଲେ । ଏହି ଟୁଇଟ୍ ହେବାର କିଛି ସମୟ ପରେ ଉତ୍ତର ରଖିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା ।
ସେ ଟୁଇଟ୍ କରି ଦର୍ଶାଇଥିଲେ ଯେ ମୃତ ବ୍ୟକ୍ତିଙ୍କ କୋଠାଘର ଅଛି ଓ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି । ତାଙ୍କ ପରିବାର ନିକଟରେ ପ୍ରଶାସନ ପହଞ୍ଚି ସହାୟତା ଯୋଗାଇ ଦେଇଛି ।
ଜିଲ୍ଲାପାଳଙ୍କ ଏହି ଟୁଇଟ୍ ପରେ ଶ୍ରୀ ପଣ୍ଡା ନିଜ ଟୁଇଟ୍କୁ ସଂଶୋଧନ କରିଥିଲେ ।ବାତ୍ୟା ଆଜି ଅପରାହ୍ନରେ କେନ୍ଦ୍ରାପଡା ଅତିକ୍ରମ ଯାଇଥିବାବେଳେ ଲୋକେ ବିପଦମୁକ୍ତ ହୋଇଛନ୍ତି । ହେଲେ ସବୁରି ମୁହଁରେ ଦୁଇ ଅଧିକାରୀଙ୍କ ହେମନ୍ତ ଶର୍ମା ଓ ଆଶିଷ ସିଂହଙ୍କ ସହିତ ଜିଲ୍ଲାପାଳ ଓ ଏସ୍ପିଙ୍କ ପ୍ରଶଂସା । ଏହା ପୂର୍ବରୁ ଜିଲ୍ଲାରେ ସଫଳ କରୋନା ମୁକାବିଲା କରି ଜିଲ୍ଲାପାଳ ସମର୍ଥ ବର୍ମା ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ।