କାଠମାଣ୍ଡୁ : କରୋନା ସଂକଟରେ ସାରା ବିଶ୍ୱ ଘାଣ୍ଟି ହେଉଥିବା ବେଳେ ନେପାଳ ସରକାର ଏକ ନୂଆ ନକ୍ସା ଜାରି କରି ଭାରତର ୩ଟି ଅଞ୍ଚଳକୁ ନିଜର ବୋଲି ଦାବି କରିଛନ୍ତି । ଏମିତି କି ଏହାକୁ ଫେରାଇ ନେଇଯିବାକୁ ପ୍ରୟାସ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହି ନକ୍ସାରେ ଭାରତର ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରାର ମୋଟ ୩୯୫ ବର୍ଗକିଲୋମିଟର ବିଶିଷ୍ଟ ଭାରତୀୟ ଅଞ୍ଚଳକୁ ନେପାଳ ଅବୈଧ ଘୋଷଣା କରିଛି । ତେଣୁ ଏହାକୁ ସେ ନିଜ ଅଧୀନ ନେଇଯିବ ବୋଲି କହିଛି । ନେପାଳର ଭୂପ୍ରବନ୍ଧନ ଏବଂ ସୁଧାର ମନ୍ତ୍ରାଳୟ ପକ୍ଷରୁ ମନ୍ତ୍ରୀ ପଦ୍ମା ଅରୟାଲ ବୁଧବାର ଏହି ନକ୍ସା ଜାରି କରିଛନ୍ତି ।
ପଦ୍ମାଙ୍କ ଅନୁସାରେ ଏହାକୁ ସଂସଦରେ ଆଗତ କରାଯିବ ଯେପରିକି ଏଥିରେ କରାଯାଇଥିବା ସଂଶୋଧନକୁ ମଞ୍ଜୁରି ମିଳିପାରିବ । ଦେଶର ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଏହି ଦାବିକୁ ସମର୍ଥନ କରିବା ସହ ଏହାକୁ ଫେରାଇ ନେବା ଲାଗି କହିଛନ୍ତି । ରିପୋର୍ଟ ଅନୁସାରେ ନେପାଳ ନିଜର ନୂଆ ନକ୍ସାରେ ମୋଟ ୩୯୫ ବର୍ଗ କିମି ଅଞ୍ଚଳକୁ ସାମିଲ କରିଛି । ସେଥିରେ କାଲାପାନିର ୬୦ ବର୍ଗ କିମି ଅଞ୍ଚଳ ଏବଂ ଲିମ୍ପିୟାଧୁରାର ୩୩୫ ବର୍ଗ କିମି ଅଞ୍ଚଳକୁ ନିଜର ବୋଲି ଦର୍ଶାଇଛି । ଏହିଭଳି ଭାରତର ମୋଟ ୩୯୫ ବର୍ଗ କିମି ଅଞ୍ଚଳକୁ ନିଜର ବୋଲି ଦାବି କରିଛି ନେପାଳ । ଏହାଛଡ଼ା ନକ୍ସାରେ ଭାରତର କେତେକ ଗ୍ରାମକୁ ସାମିଲ କରାଯାଇଛି । ସୋମବାର ଦେଶର ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ନେତୃତ୍ୱରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନକ୍ସାକୁ ମଞ୍ଜୁରି ଦିଆଯାଇଥିଲା ।