ଭୁବନେଶ୍ୱର : ବାତ୍ୟା ପଳାଇଲା । ଏବେ ଫେରିବ ଗ୍ରୀଷ୍ମ ତାତି । ଅସମ୍ଭାଳ ତାତିରେ ଛଟପଟ ହେବ ସାରା ଓଡ଼ିଶା । ଆସନ୍ତା ୨୪ ଘଣ୍ଟା ଭିତରେ ଉପକୂଳ ଓଡ଼ିଶାରେ ତାପମାତ୍ରା ଅସ୍ୱାଭାବିକ ଭାବେ ୬-୭ ଡିଗ୍ରୀ ସେଲସିୟସ୍ ବଢ଼ିଯିବ । ଆସନ୍ତା ୨୩/୨୪ ତାରିଖବେଳକୁ ଭୀଷଣ ଗ୍ରୀଷ୍ମ ପ୍ରବାହ ନାକେଦମ କରିବ ଜନଜୀବନକୁ ।
ବାତ୍ୟାଜନିତ ପବନ ଓ ବର୍ଷା ଯୋଗୁ ଉପକୂଳରେ ବାତାବରଣ ପୂରା ଥଣ୍ଡା ହୋଇଯାଇଛି । ସମଗ୍ର ଉପକୂଳ ଓଡ଼ିଶାର ଦିନ ତାପମାତ୍ରା ୨୨ରୁ ୨୭ ଡିଗ୍ରୀ ମଧ୍ୟରେ ରହିଛି । ପାଣିପାଗ ବିଭାଗ କହିଛି, ଆସନ୍ତା ୨୪ ଘଣ୍ଟାରେ ଅଚାନକ ପାରଦ ୬ରୁ ୭ ଡିଗ୍ରୀ ଉପରକୁ ଉଠିଯିବ । ଅର୍ଥାତ୍ ଆଜି ଭୁବନେଶ୍ୱର ତାପମାତ୍ରା ୨୪ ଡିଗ୍ରୀ ଥିବାବେଳେ ଆସନ୍ତାକାଲି ଏହା ୩୧ ଡିଗ୍ରୀ ହୋଇପାରେ । ଏଭଳି ଭାବେ ସାରା ଉପକୂଳରେ ଅଚାନକ ଗରମ ବଢ଼ିବ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିର୍ଭସିଟିର ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ବାତ୍ୟା ଯୋଗୁ ବାୟୁମଣ୍ଡଳରୁ ଏବେ ଜଳୀୟବାଷ୍ପ କମିଯିବ । ତେଣୁ ସପ୍ତାହେ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା କମ୍ । ଏଥିଯୋଗୁ ରାଜ୍ୟରେ ଗରମ ବଢ଼ିବ । ଆସନ୍ତା ୨୨/୨୩ ତାରିଖବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୨-୪୩ ଡିଗ୍ରୀ ହୋଇପାରେ । ଏପଟେ ଉପକୂଳରେ ପାରଦ ୩୬ରୁ ୪୦ ଡିଗ୍ରୀ ପାଖାପାଖି ରହିବ । ଏହା ପରେ ବି ପାରଦ ବଢ଼ିପାରେ । ଆଜି ଉପକୂଳରେ ପାଗ ଥଣ୍ଡା ଥିବାବେଳେ ଟିଟିଲାଗଡ଼ ପାରଦ ୪୦ ଡିଗ୍ରୀ ଛୁଇଁଥିଲା । ଭବାନୀପାଟଣା ତାପମାତ୍ରା ୩୯.୫, ମାଲକାନଗିରି ୩୮.୫ ଡିଗ୍ରୀ ଥିଲା ।