ଭୁବନେଶ୍ବର : ୧୧ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ୧୧ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ। ସତର୍କତା ଜାରି କରାଯାଇଥିବା ୧୧ଟି ଜିଲ୍ଲା ହେଲା, ସୋନପୁର, ବୌଦ୍ଧ,ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ମାଲକାନଗିରି, କଳାହାଣ୍ଡି, ଅନୁଗୁଳ। ଏହି ସମୟରେ ଛୋଟପିଲା, ଅସୁସ୍ଥ ଓ ବୃଦ୍ଧଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି।
ଅନୁଗୁଳରେ ବଡ଼ି ଚାଲିଛି ତାପମାତ୍ରା। ପାରଦ ଯେତିକି ବଢ଼ି ବଢ଼ି ଚାଲିଛି, ଜନଜୀବନ ଉପରେ ତାର ପ୍ରଭାବ ବେଶ୍ ପରିଲକ୍ଷିତ ହେଉଛି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଲୋ ଭୋଲଟେଜ ସମସ୍ୟାକୁ ଦ୍ୱିଗୁଣିତ କରିଛି। ବର୍ତ୍ତମାନ ଅନୁଗୁଳରେ ତାପମାତ୍ରା ୪୩ ଡିଗ୍ରୀ ରହୁଥିବା ବେଳେ ଆଗାମୀ ୫ ଦିନ ପାଇଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କୋଇଲା ଖଣିରେ ଲାଗୁଥିବା ନିଆଁ, ବ୍ୟାପକ ପ୍ରଦୂଷଣ ତାପମାତ୍ରା ବୃଦ୍ଧିର କାରଣ ପାଲଟିଛି। ସେପଟେ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଜଳଛତ୍ର ଖୋଲାଯାଇନଥିବା ତଥା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି।