Odia News Portal

ବାତ୍ୟା ଓ କରୋନା ଆଢୁଆଳରେ ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ । ବାତ୍ୟା ଅମ୍ଫନ ବି ହାଲକା କ୍ଷୟକ୍ଷତି ଘଟାଇ ଯାଇଛିଫା ତେବେ ଏଥିରୁ ମୁକୁଳିବା ଚିନ୍ତା କରିବା ବଦଳରେ ରାଜନୈତିକ ଦଳ ଗୁଡିକ ଯେଭଳି ପରସ୍ପର ଉପରକୁ କାଦୁଆ ଫିଙ୍ଗିବା ସହିତ ତୁ ତୁ ମେଁ ମେଁ ରେ ମାତିଛନ୍ତି ତାହାକୁ ଦେଖିଲା ପରେ ରାଜ୍ୟରେ ତିନି ଦଳର ଏହା ପଞ୍ଚାୟତ ପ୍ରସ୍ତୁତି ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଉଛନ୍ତି । ଆଉ ପ୍ରାୟ ଦେଢ ବର୍ଷ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ । ଏହା ପୂର୍ବରୁ ପୌର ନିର୍ବାଚନର ବି ସମ୍ଭାବନା ରହିଛି । ତେଣୁ ବାତ୍ୟା ଓ କରୋନା ଆଢୁଆଳରେ ଲୋକଙ୍କ ନିକଟରେ ପହଞ୍ଚିବାପାଇଁ ସମସ୍ତେ ତତ୍ପର ହୋଇ ଉଠିଛନ୍ତି । ନିକଟରେ ବାତ୍ୟା ଅମ୍ଫନର କ୍ଷୟକ୍ଷତି ଦେଖିବାକୁ ଆସି ପ୍ରଧାନମନ୍ତ୍ରୀ ଯେଭଳି ଭାବେ ରାଜ୍ୟ ପାଇଁ ୫୦୦ କୋଟି ଟଙ୍କା ଘୋଷଣା କଲେ ଓ ୨୪ ଘଣ୍ଟା ନପୁରୁଣୁ ଓଡିଶାକୁ ଟଙ୍କା ମିଳିଗଲା ତାହାକୁ ଅନେକ ରାଜନୈତିକ ସମୀକ୍ଷକ ସହଜ ନଜରରେ ଦେଖୁନାହାନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଓ ଓଡିଶାକୁ ତତ୍କାଳ ଅର୍ଥ ମିଳିବାକୁ ନେଇ ବିଜେପି ଏବେ ତାହାର ଦରଦ ପଣିଆକୁ ଜୋରଦାର ଭାବେ ଉପସ୍ଥାପନ କରୁଛି । ଯଦିଓ ଦଳ କହୁଛି ଯେ ଏଭଳି ବିପତ୍ତି ସମୟରେ ରାଜନୀତି କରିବା ଉଚିତ୍‍ ନୁହେଁ, କିନ୍ତୁ ବିମାନବନ୍ଦରରେ ବିଜେପି ନେତାଙ୍କ ଭିଡ ଠାରୁ ଆରମ୍ଭ କରି କେତେକ ବୟାନବାଜିରୁ ଏହା ଯେ ପଞ୍ଚାୟତ ଓ ପୌର ନିର୍ବାଚନର ପ୍ରାକ୍‍ ପ୍ରସ୍ତୁତ ତାହା ଯେ କେହି ସହଜରେ କହିଦେଇ ପାରିବ । ସେହିଭଳି କଂଗ୍ରେସ ମଧ୍ୟ ବାତ୍ୟା ଓ କରୋନା ଆଢୁଆଳରେ ସକ୍ରିୟ ହୋଇ ପଡିଛି । ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଦିନ ଭିଡିଓ ଓ ପ୍ରେସ ରିଲିଜ ଜାରିକରି ସରକାରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି । ଜିରାରୁ ଶିରା ବାହାର କଲାଭଳି ଅତି ଶାଣିତ ଭାବେ କଂଗ୍ରେସ ଆକ୍ରମଣ ସହିତ ଆଗକୁ ବଢୁଛି । ଦୀର୍ଘଦିନ ଧରି ଶାସକ ବିଜେଡି କେବଳ ବିଜପିର ମୁକାବିଲା କରୁଥିବାବେଳେ ଏବେ ଧିରେ ଧିରେ କଂଗ୍ରେସ ନୂଆ ଶତ୍ରୁ ଭାବେ ଉଭା ହେଉଥିବା ଲକ୍ଷ୍ୟ କରାଯାଉଛି । ଓଡିଶା ଫେରନ୍ତାଙ୍କୁ ଗାଡିଭଡା ଦେବା ପ୍ରସଙ୍ଗ ହେଉ କିମ୍ବା ସରକାରଙ୍କ ମଦ ଦୋକାନ ଖୋଲିବା ନିଷ୍ପତ୍ତି ହେଉ ପ୍ରଦେଶ କଂଗ୍ରେସ ସରକାରଙ୍କୁ ଘେରିବାର ସୁଯୋଗ ହାତଛଡା କରୁନାହିଁ ।

ଦୁଇ ବିରୋଧିଦଳର ଏଭଳି ଘେରାବନ୍ଦି ଭିତରେ ଶାସକ
ବିଜେଡି ମଧ୍ୟ ଆଗକୁ ବଢିବାରେ ଲାଗିଛି । କରୋନା ମୁକାବିଲା
ଏବେ ପଞ୍ଚାୟତ ସ୍ତରରେ ହେଉଥିବାବେଳେ ସରପଞ୍ଚମାନଙ୍କୁ
ଜିଲ୍ଲାପାଳଙ୍କ କ୍ଷମତା ଦେଇ ଦଳ ତୃଣମୂଳ ସ୍ତରରେ ତାହାର
ସ୍ଥିତିକୁ ଅଧିକ ମଝବୁତ କରିଛି । ବିଜେଡି ସମର୍ଥିତ ସରପଞ୍ଚମାନେ ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବାବେଳେ ଏବେ ଅନ୍ୟ ଦଳର ସମର୍ଥକ ସରପଞ୍ଚମାନେ ବି ଢଳିବା ଆରମ୍ଭ କରିଛନ୍ତି । କ୍ୱାରେଣ୍ଟାଇନ୍‍ ରାଜନୀତି ଏବେ ରାଜ୍ୟରେ ଜୋର ଧରିଥିବାବେଳେ ପ୍ରବାସୀରୁ ଫେରୁଥିବା ଲକ୍ଷାଧିକ ଯୁବ ଗୋଷ୍ଠିକୁ ନିଜ ପଟକୁ ନେବାପାଇଁ ରାଜ୍ୟରେ ଯେଭଳି କସରତ ଚାଲିଛି
ତାହା ଯେ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ
ଭୂମିକା ଗ୍ରହଣ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

ତେଣୁ ତିନି ଦଳ ଏବେ ଏହି ପ୍ରବାସୀଙ୍କୁ ନିଜ ପଟକ ନେବାପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଏ କ୍ଷେତ୍ରରେ ଯଦିଓ ଶାସକଦଳ ସବୁଠାରୁ ଆଗରେ ରହିଛି ତେବେ
ଯେକୌଣସି ପ୍ରକାରେ ନିଜର ସ୍ଥିତି ଜାହିରପାଇଁ ବିରୋଧିଧଳ ସମାଲୋଚନାକୁ ଅସ୍ତ୍ର କରିଛି । ତେବେ ଆଗାମୀ ଦିନରେ ବାତ୍ୟା ଓ କରୋନାର ପ୍ରକୋପ ଶିଥିଳ ପଡିଲା ପରେ କାହା ପଟରେ କେତେ ସମର୍ଥ ଅଛନ୍ତି ତାହା ଧିରେ ଧିରେ ସ୍ପଷ୍ଟ ହୋଇଯିବ ।