Odia News Portal

ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ, ୮ ଗିରଫ

ଆଠଗଡ଼ : ବଜ୍ରକାପ୍ତା ଚୋରାଚାଲାଣ ମାମଲାରେ ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୮ଜଣଙ୍କୁ ଗିରଫ କରାଯାଇଥିଲାବେଳେ ବହୁ ପରିମାଣର ବଜ୍ରକାପ୍ତା କାତି ଜବତ ହୋଇଛି । ଜଣେ ଅଭିଯୁକ୍ତ ଫେରାର୍‌ ଥିବା ଜଣାଯାଇଛି । ଗତ ୨୧ ତାରିଖରେ ରେଢ଼ାଖୋଲ୍‌ରୁ କଟକକୁ ବଜ୍ରକାପ୍ତା ଚୋରା ଚାଲାଣ ମାମଲାରେ ଆଠଗଡ଼ ବନବିଭାଗ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି । ଅଭିଯୁକ୍ତ ହେଉଛି ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳର ବିପିନ ବିହାରୀ ଭୋଇ । ପୂର୍ବରୁ ଏହି ଘଟଣାରେ ବନବିଭାଗ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇଥିଲା ।

ସେହିପରି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନ ବିଭାଗ ବନଖଣ୍ଡର ଗିରିଶ୍ଚନ୍ଦ୍ରପୁର ରେଞ୍ଜ କଞ୍ଚନପୁର ଗାଁ ନିକଟ ଟିକିରାନଦୀ କୂଳରୁ ୨.୬ କେଜି ବଜ୍ରକାପ୍ତା କାତି ଜବତ କରିବା ସହିତ ଏହି ର‌୍ୟାକେଟରେ ସମ୍ପୃକ୍ତ ଜଣେ ପୂର୍ବତନ ସରପଞ୍ଚଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି । ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତ ଫେରାର ଅଛି । ଗିରଫ ଅଭିଯୁକ୍ତମାନେ ହେଲେ କିସିଣ୍ଡା ଥାନା କଞ୍ଚନପୁର ଗ୍ରାମର ସୁଶିଲ ସେଠୀ (୨୪), ସଡ଼ୋ ଗ୍ରାମର ଲକ୍ଷ୍ମଣ ସେଠୀ (୪୫), ଶ୍ରୀରାମ ଶବର (୬୫), ଶିର ଶବର (୪୧), ଖିଜୁ ଶବର (୫୦), ପୂର୍ବତନ ସରପଞ୍ଚ ନାକଟିଦେଉଳ ଥାନା ଗୌଡ଼ପଡ଼ା ଗାଁର ଯଦୁମଣି ପାତ୍ର (୪୦) ଓ ନାକଟିଦେଉଳ ଗାଁର ନେପାଳ ସାହୁ (୬୦) । ବନ ବିଭାଗ ମାମଲା ରୁଜୁ କରିଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବା ବୋଲି ରେଢାଖୋଲ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି । ଡିଏଫ୍‌ଓ ଶ୍ରୀ ବେହେରା କହିଛନ୍ତି ଯେ, ଆଜକୁ ପ୍ରାୟ ୬ମାସରୁ ଅଧିକ ହେବ ଏହି ବଜ୍ରକାପ୍ତା ଶିକାର ଓ ବ୍ୟବସାୟ ସଂପର୍କରେ ସେ ସୂଚନା ପାଇଥିବା ବେଳେ ୩ ମାସ ହେବ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ । କିଛିଦିନ ପୂର୍ବରୁ ଆଠଗଡ଼ରେ ଧରାପଡ଼ିଥିବା ବ୍ୟବସାୟୀ ସହ ରେଢାଖୋଲ ଅଞ୍ଚଳର ଶିକାରୀ ଓ ବେପାରୀଙ୍କର ଲିଙ୍କ୍‌ ଥିବା ସୁରାକ ମିଳିଥିଲା ।

ଆଦିବାସୀ ଶ୍ରେଣୀର ଲୋକ ଜଙ୍ଗଲକୁ ଯାଇ ବଜ୍ରକାପ୍ତା ପାଇବା ପରେ ସଂପୃକ୍ତ ବେପାରୀଙ୍କୁୁ ଖବର ଦେଉଥିଲେ । ବେପାରୀମାନେ ଜଙ୍ଗଲରେ ପହଞ୍ଚି ମୋବାଇଲରେ ଫଟୋ ଓ ଭିଡିଓ ଉତ୍ତୋଳନ କରି ବାହାର ଅଞ୍ଚଳର ବ୍ୟବସାୟୀଙ୍କ ନିକଟକୁ ପଠାଉଥିଲେ । ସଂପୃକ୍ତ ବ୍ୟବସାୟୀ ଫଟୋ ଓ ଭିଡିଓ ଦେଖିବା ପରେ ଏ ଅଞ୍ଚଳକୁ ଆସି ବଜ୍ରକାପ୍ତା ନେଉଥିଲେ । ଏହି ବ୍ୟବସାୟ ପାଇଁ ଶିକାରୀ ଓ ବେପାରୀ ନେଟୱାର୍କ ଗଠନ ହୋଇଥିଲା । କୋଡ୍‌ୱାର୍ଡ଼ରେ ସଙ୍କେତ ଦିଆନିଆ ହେବା ସହିତ ବ୍ୟବସାୟ ହେଉଥିଲା । ଏହି ନେଟୱର୍କର ଚେର ଅନୁଗୁଳ, ଦେବଗଡ଼, କଟକ ଜିଲ୍ଲାକୁ ଲମ୍ୱିଥିବା ତଦନ୍ତରୁ ଜଣାପଡ଼ିଛି । ଡିଏଫ୍‌ଓ ଶ୍ରୀ ବେହେରାଙ୍କ ନେତୃତ୍ୱରେ ଏସିଏଫ୍‌ ରଙ୍କନିଧି ନାଥ, ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ବନ୍ଧ ଓ ସମସ୍ତ ୬ଟି ରେଞ୍ଜର ରେଞ୍ଜ ଅଧିକାରୀ ଓ କର୍ମଚାରୀ ଚଢ଼ଉରେ ସାମିଲ ଥିଲେ । ଏଯାବତ୍‌ ବଜ୍ରକାପ୍ତା ଚେରାଚାଲାଣ ମାମଲାରେ ୩୦ ଜଣଙ୍କୁ ଗିରଫ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଚୋରା କାରବାର ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ରେ ହେଉଥିଲାବେଳେ ଏହାକୁ ଠାବ କରିବା ପାଇଁ ସାଇବର୍‌ କ୍ରାଇମ୍‌ ଏକ୍ସପର୍ଟଙ୍କ ସହଯୋଗ ଆବଶ୍ୟକ ବୋଲି ଅପରେସନ୍‌ ପାଙ୍ଗୋଲିନ୍‌ରେ ସହଯୋଗ କରୁଥିବା ‘ଫିପୁଲ୍ସ ଫର୍‌ ଆନିମଲ୍‌ସ’ର ମୁଖ୍ୟ ସଞ୍ଜୀବ ଦାସ କହିଛନ୍ତି ।