ଭୁବନେଶ୍ୱର : କୌଣସି ସିନେମାର କାହାଣୀ ନୁହେଁ, ବରଂ ମନକୁ ଛୁଇଁଲା ଭଳି ନିଛକ ସତ୍ୟ ଘଟଣାଟିଏ । ଦିନକ ପାଇଁ ଏସପି ବନିଗଲେ ଜଣେ ୪ବର୍ଷର କୁନି ଝିଅ । ତାହା ପୁଣି ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାର । ନାଁ ତାଙ୍କର ଆରଧ୍ୟା ଚାଣ୍ଡକ, ଘର ସୁକୁମା ସହରରେ ।
ବୟସ ୪ବର୍ଷ ହେଲେ ମଧ୍ୟ ତାଙ୍କ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାରା ବିଶ୍ୱ ଆଜି କରୋନା ସହ ଲଢୁଥିବାବେଳେ ଅନେକ ଲୋକ ଭୟଭୀତ ହୋଇ ଅଛନ୍ତି । ସରକାରୀସ୍ତରରେ କରୋନା ମୁକାବିଲା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଗଣମାଧ୍ୟମ ସାମ୍ମାକୁ ଆସି ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ଆହ୍ୱାନ ଦେଉଛନ୍ତି । ହେଲେ ଲୋକ ଏହାକୁ ଠିକ୍ ଭାବେ ପାଳନ କରୁ ନ ଥିବାରୁ ଏହି କୁନି ଝିଅ ଜଣେ ପୁଲିସ ଅଧିକାରୀ ସାଜି ସୁକୁମା ସହରରେ ବେଶ୍ କିଛିଦିନ ହେଲା ଲୋକଙ୍କୁ ସଚେତନ କରୁଛନ୍ତି । ବିଭିନ୍ନ ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓ ଭାଇରାଲ ହେବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପସନ୍ଦ କରିଛନ୍ତି ।
ଏହି ଘଟଣା ପରେ ସୁକୁମା ଏସ୍ପି ଶୌଲଭ ସିନ୍ହା ତାଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ମାନପତ୍ର ଦେଇ ସମ୍ମାନିତ କରିବା ସହ ନିଜ ଚୌକିରେ ବସାଇ ଦିନକ ପାଇଁ ସୁକୁମା ଏସ୍ପି ବନାଇଛନ୍ତି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚରେ ବିଷୟ ହୋଇଛି ।