Odia News Portal

କଲମ ବଦଳରେ ହାତରେ କରଣୀ ଧରିଲେ ଛାତ୍ର

ଅନୁଗୁଳ : କିଏ ବାଲି ବୋହୁଛି ତ କିଏ ମେଜିଆ ଓ ଆଉ କିଏ ପ୍ଲାଷ୍ଟର କରୁଛି । ଆପଣ ଭାବୁଥିବେ ଆମେ କୌଣସି ଶ୍ରମିକଙ୍କ ବିଷୟରେ କହୁଛୁ । ହେଲେ ଆପଣ ଭୁଲ୍ ଭାବୁଛନ୍ତି । ଏମାନେ କୌଣସି ଶ୍ରମିକ ନୁହଁନ୍ତି ,ଏମାନେ ହେଉଛନ୍ତି ସ୍କୁଲ ଛାତ୍ର । କଲମ ବଦଳରେ ଏମାନଙ୍କୁ ଧରାଇ ଦିଆଯାଇଛି କରଣୀ । ଲକ୍ ଡାଉନ ପାଇଁ ଜାରି ହୋଇଥିବା କଟକଣା ଫଳରେ ରାଜ୍ଯର ସମସ୍ତ ଶିକ୍ଷାଳୟ ବନ୍ଦ ରହିଛି । ଯାହାଫଳରେ ଛାତ୍ରଛାତ୍ରୀମାନେ ଘରେ ରହି ପାଠ ପଢିବାକୁ କହିଛନ୍ତି ସରକାର । କିନ୍ତୁ ଅନୁଗୁଳ ଜିଲ୍ଲା ବଅଂରପାଳ ବ୍ଲକ କଞ୍ଜରା ମାହାରା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି କିଛି ଅଭାବନୀୟ ଦୃଶ୍ୟ

ଉକ୍ତ ବିଦ୍ୟାଳୟରେ ପାଠ ପଢୁଥିବା କିଛି ଛାତ୍ରଙ୍କୁ ଠିକାଦାର ଆଣି ସ୍କୁଲର କନଷ୍ଟ୍ରକସନ କାମରେ ଲଗାଇଛନ୍ତି। ସପ୍ତମ ଶ୍ରେଣୀର ୬ ଜଣ ଛାତ୍ର ଏଥିରେ ମାସିଲ୍ ହୋଇଛନ୍ତି । ଏମାନଙ୍କ ଭିତରୁ କିଏ ବାଲି ବୋହୁଛି ତ କିଏ ପ୍ଲାଷ୍ଟର କରୁଛି। ଏମାନଙ୍କ ଭିତରେ କରୋନାକୁ ନେଇ କୌଣସି କଟକଣା ନାହିଁ । ନା ପିନ୍ଧିଛନ୍ତି ମାସ୍କ ନା ମାନୁଛନ୍ତି ସାମାଜିକ ଦୂରତ୍ବ । ଠିକାଦାର ଆଦେଶରେ କରିଚାଲିଛନ୍ତି କାମ ।

ଅପରପଟେ ଆମ ସମ୍ବିଧାନରେ ୧୯୮୬ ଅଧିନିୟମ ଅନୁଯାୟୀ ୧୪ ବର୍ଷରୁ କମ ବାଳକ କାମ କରିବା ହେଉଛି ଏକ ଅପରାଧ କିନ୍ତୁ ଏହାକୁ ଖାତିର ନକରି କିଭଳି ଶିଶୁ ମାନଙ୍କୁ କରୋନା ସମୟରେ ସ୍କୁଲର କାମ କରିବାକୁ ନେଇଥିଲେ କଣ୍ଟ୍ରାକ୍ଟର? ଏହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ତେବେ ଏହି ଘଟଣା ଜାଣିବା ପରେ ବି ସ୍କୁଲ କମିଟି ଓ ଶିକ୍ଷକ ମାନଙ୍କର ଏଯାଏ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।