Odia News Portal

ଯୌନ ଉତ୍ପିଡନା ଅଭିଯୋଗରେ ନନ୍ଦନକାନନ ଥାନା ପୂର୍ବତନ ଆଇଆଇସିଙ୍କୁ ନିଲମ୍ବିତ

ଭୁବନେଶ୍ବର : ମହଙ୍ଗା ପଡିଲା ମହିଳା ସହକର୍ମୀଙ୍କୂ ଅସଦାଚାରଣ କରିବା। ଯୌନ ଉତ୍ପିଡନା ଅଭିଯୋଗରେ ନନ୍ଦନକାନନ ପୋଲିସ ଷ୍ଟେସନର ପୂର୍ବତନ ଆଇଆଇସି ପରମାନନ୍ଦ ନାୟକ ନିଲମ୍ବିତ। ତାଙ୍କୁ ପୋଲିସ ଡିଜି ଅଭୟ ନିଲମ୍ବିତ କରିଛନ୍ତି। ଉପରସ୍ଥ ଅଧିକାରୀଙ୍କ  ନିକଟରେ  ଶ୍ରୀଯୁକ୍ତ ନାୟକଙ୍କ ବିରୋଧରେ ଜଣେ ମହିଳା ସହକର୍ମୀ ଯୌନ ଉତ୍ପିଡନାର ଅଭିଯୋଗ ଆଣିଥିଲେ।

ଏହା ପରେ  ଖଣ୍ଡଗିରି ଥାନା ଆଇଆଇସି ସମ୍ପ୍‌କ୍ତ  ମହିଳା ସହକର୍ମୀଙ୍କୁ ଧମକ ଦେଇଥିବାର ଅଭିଯୋଗ ଆଣିଥିଲେ। ଅଭିଯୋଗ ପାଇବା  ପରେ କମିଶନର ସୁଧାଂଶୁ ଷଡଙ୍ଗୀ ତାଙ୍କୁ ଥାନାରୁ ହଟାଇ ଦେଇଥିଲେ। ଏବେ ପୋଲିସ ଡିଜି ଅଭୟ ତାଙ୍କୁ ନିଲମ୍ବନ କରିଛନ୍ତି।

ସେହିଭଳି କିଛି ଦିନ ତଳେ  ପୋଲିସ ହାତରେ ପୋଲିସ ଅଟକ ହୋଇଥିଲେ । କ୍ୟାପିଟାଲ ଥାନାର ନିଲମ୍ବିତ ସବଇନସପେକ୍ଟର ରାକେଶ ସାମଲଙ୍କୁ ଅଟକ ରଖିଥିଲା କମିସନରେଟ ପୋଲିସ। ଜଣେ ଯୁବତୀଙ୍କୁ ପ୍ରେମ, ପରେ ପ୍ରତାରଣା ସହ ଧମକ ଦେବା ଅଭିଯୋଗ ଆସିବା ପରେ ଫେରାରେ ଥିଲେ ରାକେଶ । ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ହୋଇଥିଲା ଚଢ଼ଉ। ଆଜି ତାକୁ ରାଉରକେଲାରୁ ଅଟକ ରଖିଛି ମହିଳା ଥାନା ପୋଲିସ। ସେପଟେ ଆଜି ପୀଡିତାଙ୍କ କୋର୍ଟରେ ବୟାନ ରେକର୍ଡ ହୋଇଛି । ସିଆରପିସି ଧାରା ୧୬୪ରେ ଯୁବତୀଙ୍କ ବୟାନ ରେକର୍ଡ ହୋଇଛି ।

ଗତ ୬ତାରିଖରେ ରାକେଶଙ୍କ ନାଁରେ ଲିଖିତ ଅଭିଯୋଗ ଆଣିଥିଲେ ଯୁବତୀ । ଅଭିଯୋଗ ଥିଲା ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ଜୋର ଜବରଦସ୍ତ ଗର୍ଭପାତ କରିଥିଲେ ରାକେଶ। ସେପଟେ ଗାଡି ଚୋରି ର‍୍ୟାକେଟ୍‌ରେ ସଂପୃକ୍ତି ନେଇ ରାକେଶ ନାଁରେ ଆସିଥିବା ଅଭିଯୋଗର ତଦନ୍ତ କରୁଛି ପୋଲିସ । କମିଶନରେଟ ପୋଲିସ ପାଖରୁ ମିଳିଥିବା ସୂଚନା ଅନୁସାରେ ରାକେଶ ଚୋରି ଗାଡି ଆଣି ବିକ୍ରି କରୁଥିଲା। ଏନେଇ କୌଣସି ପ୍ରମାଣ ମିଳିନି । ଏବେ ରାକେଶ ନାମରେ ଯୁବତୀ ଆଣିଥିବା ଅଭିଯୋଗକୁ ନେଇ ଚାଲିଛି ତଦନ୍ତ ।