ଆଠଗଡ଼ : କଥାରେ ଅଛି କାହାର ସର୍ବନାଶ ତ କାହାର ପୁଷ ମାସ । ପର ଜିନିଷକୁ ବୋହି ନେବାରେ ଆମ ଲୋକେ ସିଦ୍ଧ ହସ୍ତ । ଏମିତି ଏକ ଘଟଣା ଘଟିଛି ପୁରୁଣା କଟକ ସମ୍ବଲପୁର ରାସ୍ତାର କରିକୋଲ ଛକ ନିକଟରେ । ଏକ ଟମାଟୋ ବୋଝେଇ ଟ୍ରକ ଆଜି ସକାଳେ ରାସ୍ତାରେ ଓଲଟି ପଡ଼ିବାରୁ ଲୋକେ ଟମାଟୋକଗୁଡ଼ିକୁ ବୋହି ନେବାର ଦେଖାଯାଇଥିଲା । ଟ୍ରକ୍ ଟମାଟୋ ବୋଝେଇ କରି କଟକରୁ ଆଠଗଡ଼ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା ।
ଫଳରେ ଟମାଟୋଗୁଡ଼ିକ ରାସ୍ତାରେ ବିଛେଇ ହୋଇ ପଡ଼ିଥିଲା । ରାସ୍ତାରେ ଯାଉଥିବା ଲୋକେ ଟମାଟୋ ଗୋଟାଇ ନେବାରେ ଲାଗିଥିଲେ । ଫଳରେ କିଛି ସମୟ ପାଇଁ ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ସବୁ ଠିଆ ହୋଇ ରହିଥିଲା ।ଘଟଣାସ୍ଥଳରେ ଆଠଗଡ଼ ପୋଲିସ୍ ପହଞ୍ଚି ଲୋକଙ୍କୁ ଘଉଡ଼ାଇବା ସହ ଘଟଣାର ଯାଞ୍ଚ କରୁଥିବା ଜଣାଯାଇଛି ।