ଭୁବନେଶ୍ୱର : କୋଭିଡ୍-୧୯ ପରବର୍ତୀ ସମୟରେ ପ୍ରକଳ୍ପଗୁଡ଼ିକର ସ୍ଥିତି କିଭଳି ରହିବ ତାହା ଜାଣିବା ଲାଗି ଦେଶର ଅଗ୍ରଣୀ ଅନ୍ଲାଇନ୍ ସଂସ୍ଥା ପ୍ରାଜେକ୍ଟସ୍ ଟୁଡେ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଏଥିରେ ଭାରତର ପ୍ରକଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୨୩୩ ବରିଷ୍ଠ କର୍ତୃପକ୍ଷଙ୍କୁ ସାମିଲ କରାଯାଇଥିଲା ଯେଉଁଥିରେ ପ୍ରତିଷ୍ଠାତା, ସ୍ଥପତି, ପରାମର୍ଶଦାତା ଏବଂ ଠିକାଦାର ଆଦି ରହିଛନ୍ତି । ସର୍ଭେରେ ଭାଗ ନେଇଥିବା ଅଧିକାଂଶ ବ୍ୟକ୍ତି କହିଛନ୍ତି ଯେ, ଫାର୍ମା ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ବାଦ ଦେଲେ ଅନ୍ୟ ସମସ୍ତ କ୍ଷେତ୍ର କରୋନା ସଙ୍କଟ ପାଇଁ ଲାଗୁ କରାଯାଇଥିବା ଲକ୍ଡାଉନ୍ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଲକ୍ଡାଉନ୍ ହଟିବା ପରେ ପୁନର୍ବାର ସେଗୁଡ଼ିକ ଚାଲୁ ହେବା ଲାଗି ସମୟ ଲାଗିବ । ୬୦ ଦିନିଆ ଲକ୍ଡାଉନ୍ ସାରା ଅର୍ଥନୀତିକୁ ଠପ୍ କରିଦେଇଛନ୍ତି । ଏହି ସଙ୍କଟ କେବେ ଦୂର ହେବ ଏବଂ ପୁଣି ଥରେ ସବୁ କିଛି କେବେ ସ୍ୱାଭାବିକ ହେବ ତାହାର ଆକଳନ ଉତ୍ପାଦନକାରୀ, ଗ୍ରାହକ ଏବଂ ସରକାର ଲଗାଇପାରୁନାହାନ୍ତି ।
ଏହି ସର୍ଭେରୁ ଜଣାପଡ଼ିଛି ଯେ ଅଧାରେ ଲଟକି ରହିଥିବା ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ଲାଗି ସୁଲଭ ସୁଧ ହାରରେ ପାଣ୍ଠି ହାସଲ କରିବା ପ୍ରତିଷ୍ଠାତାମାନଙ୍କ ପାଇଁ ସବୁଠୁ ବଡ଼ ପ୍ରତିିବନ୍ଧକ ସାଜିଛି । କୁଶଳୀ ଶ୍ରମିକମାନେ ମଧ୍ୟ ସେମାନଙ୍କ ବାସସ୍ଥାନକୁ ଫେରିଯାଇଥିବାରୁ ସେଭଳି କୌଶଳ ଜଣାଥିବା ଶ୍ରମିକ ହାସଲ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଏହି ଲକ୍ଡାଉନ୍ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିଛି । ସ୍ଥପତି, ପରାମର୍ଶଦାତା ଓ ଠିକାକାରମାନେ କହିଛନ୍ତି ଯେ ବର୍ତମାନର ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବା ଏବଂ ଗ୍ରାହକଙ୍କୁ ପାଖରେ ଧରି ରଖିବା ପ୍ରତି ସେମାନେ ଅଗ୍ରାଧିକାର ଦେଉଛନ୍ତି ।
ସର୍ଭେରେ ଭାଗ ନେଇଥିବା ଅଧିକାଂଶ ବ୍ୟକ୍ତି କହିଛନ୍ତି ଯେ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଆଗାମୀ ଦିନରେ ଜାରି ରହିବ । ଭବିଷ୍ୟତରେ ବଡ଼ ଘରଗୁଡ଼ିକର ଚାହିଦା ବଢ଼ିବ । ବଡ଼ କଂପାନିଗୁଡ଼ିକ ଗୋଟିଏ ବଡ଼ କାର୍ଯ୍ୟାଳୟରୁ ପରିଚାଳିତ ହେବା ପରିବର୍ତେ ବିଭିନ୍ନ ସ୍ଥାନରେ ଛୋଟ ଛୋଟ କାର୍ଯ୍ୟାଳୟ ସ୍ଥାପନ କରିବା ଉପରେ ଗୁରୁତ୍ୱାରୋପ କରିବେ । ସର୍ଭେରେ ଭାଗ ନେଇଥିବା ୨୭.୯ ପ୍ରତିଶତ ଲୋକ କହିଛନ୍ତି ଯେ, କରୋନା ସଙ୍କଟର ପ୍ରଭାବ ଦୂର ହେବା ଲାଗି ଦୁଇରୁ ତିନି ବର୍ଷ ସମୟ ଲାଗିବ । ସେହିପରି ୬୯ ପ୍ରତିଶତ ଲୋକ କହିଛନ୍ତି ଯେ ଫାର୍ମା, ମେଡିକାଲ୍ ଉପକରଣ, ଗାଡ଼ି ଏବଂ ବୟନ ଶିଳ୍ପ ଇତ୍ୟାଦି କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ ଦେଶ ଭାବେ ଉଭା ହେବାର ସମ୍ଭାବନା ସୃଷ୍ଟି ହୋଇଛି । ପ୍ରୋଜେକ୍ଟସ୍ ଟୁଡେ ଅନୁଯାୟୀ, ୧୩୦ ରେଡ୍ ଜୋନ୍ ଜିଲ୍ଲାରେ ୧୦୮ ପ୍ରକଳ୍ପରେ ନିବେଶ କରାଯାଇଥିବା ବେଳେ ୨୯,୨୫୫ଟି ପ୍ରକଳ୍ପରେ ୫୧,୦୭,୮୩୧ କୋଟି ଟଙ୍କା ନିବେଶ କରାଯାଇଛି । ସେଥି ମଧ୍ୟରୁ ୨୧,୧୧,୯୮୫ କୋଟି ଟଙ୍କାର ୮୯୧୭ଟି ପ୍ରକଳ୍ପ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି । ସେହି ପ୍ରକଳ୍ପ ମଧ୍ୟରୁ ୬୨.୯ ପ୍ରତିଶତ ସରକାରୀ ଏବଂ ୩୧.୧ ପ୍ରତିଶତ ଘରୋଇ ପ୍ରକଳ୍ପ ରହିଛି ।