ଭୁବନେଶ୍ୱର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ଗୁରୁବାର ଦିନ ଆରମ୍ଭ ହୋଇଛି ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ। ସହରାଞ୍ଚଳର ଗ୍ରାହକମାନଙ୍କୁ ସୁଲଭ ଦରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷ ହେଉଥିବା ଭିନ୍ନ ଭିନ୍ନ କିସମର ସୁଆଦିଆ ଆମ୍ୱ ପହଞ୍ଚାଇବା ପାଇଁ କିଛି ବର୍ଷ ହେବ ଓରମାସ ଏହି କାର୍ଯ୍ୟକ୍ରମ କରିଆସୁଛି। ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳର ଉତ୍ପାଦକ ଗୋଷ୍ଠୀମାନେ ସେମାନଙ୍କ ବଗିଚାର ଆମ୍ବ ଉଚିତ ଦରରେ ବିକ୍ରି କରିବା ପାଇଁ ବଜାର ସୁବିଧା ମଧ୍ୟ ପାଇପାରୁଛନ୍ତି। ଯାହାକି ସେମାନଙ୍କ ଆର୍ଥିକ ବିକାଶ ଦିଗରେ ମଧ୍ୟ ସହାୟକ ହେଉଛି। ଭୁବନେଶ୍ୱରର ୧୩ଟି ସ୍ଥାନ ଯଥା, ବାଣୀବିହାର ଛକ ପାଣ୍ଟାଲୁନ ସୋରୁମ ପାଖ, ରାଜଭବନ ଛକ ନିକଟ ଏଲ.ଆଇ.ସି ଅଫିସ ପାଖ, ବଜରଙ୍ଗ ବିହାର ପେଟ୍ରୋଲ ପମ୍ପ- ପଟିଆ, ବିପିସିଏଲ ପେଟ୍ରୋଲ ପମ୍ପ- ଚନ୍ଦ୍ରଶେଖରପୁର, ନୂଆଗାଁ ଲିଙ୍ଗିପୁର ପେଟ୍ରୋଲ ପମ୍ପ, ବି.ଏମ.ସି କାର୍ଯ୍ୟାଳୟ ନିକଟ ଆଧାର ଫ୍ରେସ, ଜେଡ-ୱାନ ଆପାର୍ଟମେଣ୍ଟ- ନନ୍ଦନକାନ ରୋଡ, ଡୁମୁଡୁମା କସମୋପଲିସ ଆପାର୍ଟମେଣ୍ଟ ପାଖ, ଲୋକସେବା ଭବନ ପଛ ପାଖ, କଳିଙ୍ଗ ଷ୍ଟୁଡିଓ ଛକ, ପୋଖରୀପୁଟ ଏବଂ ୟୁନିଟ-୮ ସ୍ଥିତ ଏସ.ଆଇ.ଆର.ଡି କ୍ୟାମ୍ପସ ସମ୍ମୁଖରେ ଆମ୍ବ ବିକ୍ରି ପାଇଁ ସ୍ୱତନ୍ତ୍ର ଷ୍ଟଲ୍ ମାନ ଖୋଲାଯାଇଛି। ଆଜି ପ୍ରଥମ ଦିନରେ ଷ୍ଟଲ ଗୁଡ଼ିକରେ ଆମ୍ବ କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି।
ଷ୍ଟଲ ଗୁଡ଼ିକରେ ମୟୂରଭଞ୍ଜ, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରୁ ଉତ୍ପାଦକ ଗୋଷ୍ଠୀମାନଙ୍କର ବଗିଚାର ଗଛ ପାଚିଲା ସୁଆଦିଆ ଆମ୍ୱ ବିକ୍ରି କରାଯାଉଛି। ଏଠାରେ ବାଇଗଣପଲେଇ, ଗୋପାଳଭୋଗ, ହାତୀଝୁଲ, ହିମସାଗର, ମଲ୍ଲିକା, ନୀଲମ, ଦସେରୀ, ତୋଟାପୁରୀ, ଲେଙ୍ଗଡ଼ା, ବମ୍ବେଗ୍ରୀନ, ଆମ୍ରପଲ୍ଲୀ ଆଦି ୧୦ରୁ ଅଧିକ କିସମର ଆମ୍ବ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ଭୁବନେଶ୍ୱରର ଗ୍ରାହକମାନେ ଘରେ ବସି ସ୍ୱିଗି ଜରିଆରେ ଅନଲାଇନରେ ଆମ୍ବ କିଣିପାରିବେ ବୋଲି ଓରମାସ ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀରେ ଏହି ଆମ୍ବ ବିକ୍ରି ଷ୍ଟଲ ଗୁଡ଼ିକ ସକାଳ ୮.୩୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିରେ ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନେ କରୋନା ମୁକାବିଲାର ନିୟମାବଳୀ ପାଳନ କରି ଆମ୍ବ ବିକ୍ରି କରିବେ। ଏଥିସହ ଗ୍ରାହକମାନେ ଷ୍ଟଲରୁ ଆମ୍ବ କିଣିବା ସମୟରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ମୁହଁରେ ମାସ୍କ ପିନ୍ଧିବା ନିୟମକୁ ପାଳନ କରିବା ପାଇଁ ଓରମାସ ତରଫରୁ ନିବେଦନ କରାଯାଇଛି। ଗାଁ ଆମ୍ୱ ପସରା କାର୍ଯ୍ୟକ୍ରମ ମଇ ୨୮ ତାରିଖରୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।