Odia News Portal

କର୍ମଚାରୀଙ୍କ ପଦୋନ୍ନତି ଯୋଜନାକୁ ଅଣଦେଖା

ଭୁବନେଶ୍ବର : ମୋ ସରକାର ଯୋଜନାରେ ରାଜ୍ୟ ସରକାର ନିକଟ ଅତୀତରେ କର୍ମଚାରୀଙ୍କ ପାଇଁ ଆଣିଥିବା କଲ୍ୟାଣକାରୀ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ହିଁ କନିଷ୍ଠ ଅଧିକାରୀମାନେ ଅଣଦେଖା କରୁଥିବାର ଅଭିଯୋଗ ଖୋଦ୍‍ ସଚିବାଳୟ ସେବା ବର୍ଗର କର୍ମଚାରୀମାନେ ଆଣିଛନ୍ତି । ଏଥିଯୋଗୁଁ ଚଳିତବର୍ଷ ରାଜ୍ୟ ସଚିବାଳୟ ସେବା କ୍ୟାଡରରେ କୌଣସି ପଦୋନ୍ନତି ନମିଳିବାର ସମ୍ଭାବନା ଦେଖାଦେଇଛି । କର୍ମଚାରୀଙ୍କ କହିବାକଥା ଯେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ବିଧି ଅଧିକାରୀ ଓ ସଚିବାଳୟ ସେବା ବର୍ଗର ଅଧିକାରୀଙ୍କ ମଧ୍ୟରେ ଅନୁଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପ୍ରସଙ୍ଗକୁ ନେଇ ଏକ ମାମଲା ନ୍ୟାୟାଳୟରେ ବିଚାରାଧିନ ଥିଲା । ୨୦୧୮ ମସିହାରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଉକ୍ତ ମାମଲାକୁ ଫଏସଲା କରି ବିଧି ଅଧିକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ । ରାଜ୍ୟ ସରକାରଙ୍କ ୨୦୦୧ ମସିହାର ସଂଶୋଧିତ ନିୟମାବଳୀକୁ ଅସିଦ୍ଧ ଘୋଷଣା କରିଥିଲେ । ଏହି ରାୟକୁ ବିରୋଧକରି ରାଜ୍ୟ ସରକାର ଉଚ୍ଚତମ ନ୍ୟାୟାଳୟରେ ଏକ ମାମଲା ଦାୟର କରିଛନ୍ତି । ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସରକାରୀ ଓକିଲ ସାଙ୍ଗକୁ ବଡ ପାଉଣା ଦେଇ ବେସରକାରୀ ଓକିଲ ମଧ୍ୟ ନିଯୁକ୍ତ କରିଛନ୍ତି । ଇତି ମଧ୍ୟରେ ଚାରି ପାଞ୍ଚଥର ଶୁଣାଣି ହୋଇ ସାରିଥିଲେ ହେଁ ମାମଲା ଫଏସଲା ହୋଇନାହିଁ ।

ଅପରପକ୍ଷରେ ସାଧାରଣ ପ୍ରଶାସନ ବିଭାଗର ଓ ବିଧି ବିଭାଗର ପରାମର୍ଶ କ୍ରମେ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଉକ୍ତ ବିଧି ଅଧିକାରୀଙ୍କ ପାଇଁ ଆବଶ୍ୟକ ମୁତାବକ ପଦବୀ ବିଭିନ୍ନ ଗ୍ରେଡ୍‍ରେ ସଂରକ୍ଷିତ ରଖାଯାଇଛି ଏବଂ ସଚିବାଳୟ ସେବା ବର୍ଗର ଯୋଗ୍ୟ ଅଧିକାରୀଙ୍କୁ ୨୦୧୬ ବର୍ଷର ନୂତନ ନିୟମାବଳୀ ଅନୁଯାୟୀ ପଦୋନ୍ନତି ୨୦୧୮ ଓ ୨୦୧୯ ବର୍ଷରେ ଦିଆଯାଇଛି ।
ଏଠାରେ ପ୍ରକାଶ ଥାଉକି ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଗୃହ ବିଭାଗର ଦାୟିତ୍ୱରେ ଥିବାବେଳେ ଏ ସମସ୍ତ ନିଷ୍ପତ୍ତି ନିଆଯାଇଥିଲା । ସବୁକିଛି ଠିକ୍‍ ଚାଲିଥିବାବେଳେ ଏବଂ ବିଶେଷକରି କୌଣସି ଅଦାଲତର ସେପରି ଆଦେଶ ଇତି ମଧ୍ୟରେ ଆସିନଥିବାବେଳେ ହଟାତ୍‍ ଗୃହ ବିଭାଗ ସଚିବାଳୟ ସେବା ବର୍ଗର ସମସ୍ତ ପଦୋନ୍ନତିକୁ ଅଚଳ କରିଦେଇଛନ୍ତି । ଜାନୁୟାରୀ ପଦୋନ୍ନତି ଦେବାକୁ ମୋ କର୍ମଚାରୀଙ୍କ ସରକାରର କଡା ନିର୍ଦ୍ଦେଶ ଥିବାବେଳେ ଚଳିତବର୍ଷ ଅଧା ହେବା ବେଳକୁ ଗୋଟଏି ମଧ୍ୟ ପଦୋନ୍ନତି ଦିଆଯାଇନାହିଁ । ଅଭିଯୋଗ ଅନୁଯାୟୀ କନିଷ୍ଠ ଅଧିକାରୀମାନେ ପ୍ରସଙ୍ଗର ପୂର୍ବାପର ଇତିହାସ, ଆଇନ୍‍ଗତ ଦିଗ, ଖୋଦ୍‍ ସରକାରଙ୍କ ନିଷ୍ପତ୍ତି ଉପରେ ଜ୍ଞାନ ନରଖି ଖାମଖିଆଲି ମତ ଦେଇଥିବାରୁ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଛି ।

କେବଳ ସେତିକି ନୁହେଁଏହି କନିଷ୍ଠ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଛିଡା କରିଦେଇଛନ୍ତି । କେତେକ କର୍ମଚାରୀ ଉପରେକ୍ତ କନିଷ୍ଠ ଅଧିକାରୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ୨୦୧୫ ବର୍ଷରୁ ୨୦୧୯ ବର୍ଷ ପର୍ଯ୍ୟନ୍ତ ୫ବର୍ଷ ଧରି କ୍ୟାଡରରେ ସବୁକିଛି ଠିକ୍‍ ଚାଲିଥିବାବେଳେ ଆଜି କ୍ୟାଡର ଅନ୍ଧାର ଭିତରକୁ ଠେଲିହୋଇ ଯାଇଛି । ସଂଘ ନେତା ଏ ଅଚଳ ଅବସ୍ଥାରୁ କ୍ୟାଡରକୁ ରକ୍ଷା କରିବା ବଦଳରେ କରୋନାର ଦ୍ୱାହି ଦେଇ ନିରବ ରହିଛନ୍ତି । ତୁରନ୍ତ ଏ କୃତ୍ରିମ ଅଚଳାବସ୍ଥା ଦୂର ନହେଲେ ଆଗକୁ ଏକ ବଡ ଆନ୍ଦୋଳନ ଦେଖାଦେବ ବୋଲି କେତେକ ବରିଷ୍ଠ ଅଧିକାରୀ କହିଛନ୍ତି ।