Odia News Portal

କରୋନା ମୁକାବିଲା ପାଇଁ ଉପକୂଳିଆ ଜିଲ୍ଲାପାଳ ନାକେଦମ

ଭୁବନେଶ୍ୱର : ରାଜ୍ୟରେ କରୋନା ପ୍ରବେଶ କରିବା ପରଠାରୁ ଉପକୂଳିଆ ଜିଲ୍ଲାପାଳମାନେ ନାକେଦମ ହେଲେଣି ।
କରୋନା ମୁକାବିଲା ପାଇଁ ଏଭଳି ଖଟୁଛନ୍ତି ଦିନ ରାତି ଏକାକାର । କେତେକ ଜିଲ୍ଲାପାଳ ତ ଚାକିରି କରିବା ଦିନଠାରୁ
ଏଭଳି ଅବସ୍ଥା ହୋଇନଥିଲେ ବୋଲି କହିବା ଆରମ୍ଭ କରିଛନ୍ତି । ତେବେ ଯୁବ ଜିଲ୍ଲାପାଳମାନେ ସଫଳ କରୋନା ମୁକାବିଲା
ସହିତ ଭବିଷ୍ୟତ ପାଇଁ ବିପର୍ଯ୍ୟୟ ମୁକାବିଲା ଅଭିଜ୍ଞତା ସାଉଁଟିବାରେ ଲାଗିଛନ୍ତି । ପ୍ରଥମ କରୋନା ରୋଗୀ ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱରରେ ଚିହ୍ନଟ ହେବାପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏହାପରେ ରାଜଧାନୀରେ ଲାଗ ଲାଗ କରୋନା ରୋଗୀ ବାହାରିଥିଲେ । ଏଠାରେ ପ୍ରଶାସନର ପ୍ରାଣକେନ୍ଦ୍ର ଥିବାରୁ ସବୁ ଶକ୍ତି ଏକାଠି ହୋଇ କରୋନା ମୁକାବିଲା କରିଥିଲେ । ଫଳରେ ଖୋରଧା ଜିଲ୍ଲାପାଳଙ୍କ ଉପରେ ଏତେଟା ଚାପ ପଡିନଥିଲା । ଚାପରେ ଥିଲେ ବିଏମ୍‍ସି କମିଶନର ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ । କରୋନା ଯେତେବେଳେ ଅନ୍ୟ ଜିଲ୍ଲାକୁ ବ୍ୟାପିଲା ଓ ପ୍ରବାସୀମାନେ ଫେରିବା ଆରମ୍ଭ କଲେ ସେତେବେଳେ ଜିଲ୍ଲାପାଳମାନଙ୍କ ଦାୟିତ୍ୱ ବଢିଗଲା । କରୋନା ରୋଗୀ ଚିହ୍ନଟ, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜି କ୍ୱାରେଣ୍ଟାଇନ୍‍ କରିବା, ରୋଗୀ ଚିହ୍ନଟ ଅଂଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିବା ସେଠାରେ ଲୋକଙ୍କୁ ସେବା ଯୋଗାଇବା ଆଦି କାମରେ ଲାଗିଲେ । ଏହାପରେ ପ୍ରବାସୀଙ୍କ ଫେରିବା ଆରମ୍ଭ ହେବାପରେ ଦାୟିତ୍ୱ ବହୁଗୁଣିତ ହୋଇଗଲା । ରେଳରେ ଆସୁଥିବା ପ୍ରବାସୀଙ୍କୁ ନେଇ କ୍ୱାରେଣ୍ଟାଇନ୍‍ରେ ଛାଡିବା ଥିଲା ସବୁଠାରୁ ବଡ ଆହ୍ୱାନ । ଏହା
ସାଙ୍ଗକୁ ସୋମନଙ୍କର ନମୂନା ପରୀକ୍ଷ ଓ ଚିକିତ୍ସା ବି ଚାଲିଛି ।
ପ୍ରବାସୀଙ୍କ ଖାଇବା, ରହିବା, ଚିକିତ୍ସା ସବୁକିଛିର ଦାୟିତ୍ୱ
ଜିଲ୍ଲାପାଳଙ୍କ ତଦାରଖରେ ଚାଲୁଛି । ପ୍ରବାସୀମାନେ ଫେରିବାପରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତ୍‍ସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କ ନିଦ ଏକ ପ୍ରକାର ହଜିଯାଇଛି । ଦିନ ରାତି ଏବେ କରୋନା ମୁକାବିଲାରେ ବିତୁଛି । ଏହି ଜିଲ୍ଲା ଗୁଡିକୁ ବାଦ୍‍ଦେଲେ କଟକ, ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗିର ଭଳି କରୋନା ସଂକ୍ରମଣ ଜିଲ୍ଲା ବି ରହିଛନ୍ତି । ତେବେ ଉପକୂଳ ଜିଲ୍ଲାରେ ସଂଖ୍ୟାଧିକ ରୋଗୀ ଚିହ୍ନଟ ହେଉଥିବାରୁ ଏଠାରେ ପ୍ରଶାସନର ଦାୟିତ୍ୱ ବହୁଗୁଣିତ ହୋଇଛି । ଆଜି ସୁଦ୍ଧା ରାଜ୍ୟରେ ୨୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରେ ସର୍ବାଧିକ ୪୫୮ ରହିଛନ୍ତି । ଏହା ପଛକୁ ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍‍ସିଂହପୁର ଓ ପୁରୀ ଭଳି ଉପକୂଳ ଜିଲ୍ଲା ଅଛନ୍ତି । ଗତ ଦୁଇଦିନ ଧରି କେନ୍ଦ୍ରାପଡାରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି ।
ଏମାନଙ୍କ ଚିକିତ୍ସା ସହିତ ଗୋଷ୍ଠି ସଂକ୍ରମଣକୁ ରୋକିବା ଏବେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପାଇଁ ବଡ ଆହ୍ୱାନ ହୋଇଛି । ସେହିଭଳି ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ, ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରମୁଖ କରୋନା ସଂକ୍ରମଣକୁ ପ୍ରତିହତ ଲାଗି ଦିନରାତି ଏକ କରି ଦେଇଛନ୍ତି । ଜିଲ୍ଲାପାଳଙ୍କ ସଫଳ କରୋନା ପରିଚାଳନା ପାଇଁ ରାଜ୍ୟରେ କରୋନା ଏକ ପ୍ରକାର ଖୁଆଡ ଭିତରେ ଥିବାବେଳେ ଉପକୂଳିଆ ଜିଲ୍ଲାପାଳମାନେ କିନ୍ତୁ ଅନ୍ୟ ଜିଲ୍ଲାପାଳଙ୍କ ତୁଳନାରେ ନୟାନ୍ତ ହେଉଥିବା ଜଳ ଜଳ ହୋଇ ଦେଖାଯାଉଛି ।