Odia News Portal

ଅପହଞ୍ଚ ଇଲାକାରେ ଫସିଥିବା ଓଡିଆଙ୍କୁ ବିମାନରେ ଫେରାଇ ଆଣିଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡିଶା ବାହାରେ ଫସି ରହିଥିବା ଓଡିଆ ବିଶେଷକରି ଯେଉଁଠାରୁ ସଡକ ସୁବିଧା କିମ୍ବା ରେଳସେବା ଯୋଗେ ଫେରିବାର ସୁଯୋ ନାହିଁ ସେଠାରୁ ବିମାନ ଯୋଗେ ପ୍ରବାସୀଙ୍କୁ ଆଣିବାପାଇଁ ରାଜ୍ୟ ସରକାର ଅଭିଯାନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏଭଳି ସ୍ପର୍ଶକାତର ଘଟଣାରେ ସିଧାସଳଖ ହସ୍ତକ୍ଷେପ କରିବାପରେ ପ୍ରଥମ ପର୍ଯ୍ୟାୟରେ ମଣିପୁରରେ ଅଟକି ରହିଥିବା ୧୩୮ ଓଡିଆଙ୍କୁ ଏୟାର ଏସିଆ ବିମାନରେ ଓଡିଶା ଫେରାଇ ଅଣାଯାଇଛି । ଗମନାଗମନ ଯୋଗୁଁ ଓଡିଶା ଫେରିପାରୁନଥିବା ଅନେକ ବ୍ୟକ୍ତି ଏବେ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ପ୍ରତିଷ୍ଠା ହୋଇଥିବା କଣ୍ଟ୍ରୋଲରୁମ୍‍ ସହିତ ଯୋଗାଯୋଗ କରିବାରେ ଲାଗିଛନ୍ତି ।

କଣ୍ଟ୍ରୋଲରୁମ୍‍ ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ୍‍ ଅଫିସର ଅମିତାମ ଠାକୁର ପ୍ରବାସରେ ଫସି ରହିଥିବା ବ୍ୟକ୍ତିମାନଙ୍କର ବିସ୍ତୃତ ସୂଚନା ସଂଗ୍ରହ ସହିତ ଯେଉଁମାନେ ସଡକ କିମ୍ବା ରେଳଯୋଗେ ଫେରିପାରୁ ନାହାନ୍ତି ସେମାନଙ୍କ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳାୟକୁ ଅବଗତ କଲାପରେ ସରକାର ଏବେ ବିମାନ ମାଧ୍ୟମରେ ପ୍ରବାସୀ ଓଡିଆଙ୍କୁ ଫେରାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଵୁଧଵାର ଅପରାହ୍ନ ୨ଟା ୩୦ରେ ଏୟାର ଏସିଆ ବିମାନରେ ଯାତ୍ରୀମାନେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସମସ୍ତ ଯାତ୍ରୀ କେନ୍ଦ୍ରାପଡା ଜିଲ୍ଲାର ହୋଇଥିବାବେଳେ ସେମାନଙ୍କୁ ପାଛୋଟି ନେବାପାଇଁ ବିଧାୟକ ଅତନୁ ସବ୍ୟସାଚୀ, ପ୍ରଦାପ ଦେବ ଓ ସୁଶାନ୍ତ ରାଉତ ପ୍ରମୁଖ ଅପେକ୍ଷା କରିଥିଲେ । ବିମାନରେ ଫେରିଥିବା ଏହି ପ୍ରବାସୀମାନଙ୍କୁ ବସ୍‍ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଯିବା ସହିତ କରୋନା ମାର୍ଗଦର୍ଶିଆ ଅନୁଯାୟୀ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନ୍‍ରେ ରହିବାପାଇଁ କୁହାଯାଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସମଗ୍ର ଦେଶରେ ଲକ୍‍ ଡାଉନ୍‍ ଆରମ୍ଭ ହେବା ପରଠାରୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ବିଶେଷକରି ମଣିପୁର, ତ୍ରିପୁରା, ନାଗାଲ୍ୟାଣ୍ଡ, ଆସାମରେ ପ୍ରାୟ ୩୦୦ ଓଡିଆ ଅଟକି ରହିଛନ୍ତି । ଏମାନଙ୍କୁ ଉଦ୍ଧାର କରି ଆଣିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଜୋର ଦେବାପରେ ଏବେ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି । ଖୁବ୍‍ଶୀଘ୍ର ଫସି ରହିଥିବା ଅନ୍ୟ ପ୍ରବାସୀମାନେ ଫେରିବେ ବୋଲି ଆଶା କରାଯାଉଛି । ରାଜ୍ୟ ବାହାରେ ଫସି ରହିଥିବା ସମସ୍ତ ପ୍ରବାସୀ ଓଡିଶା ଫେରିବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ଏହି ମିଶନ ଜାରି ରହିବ ବୋଲି ସୂଚନା ମିଳିଛି ।