ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘ (ଓସା) ଏବେ ସଂଗରୋଧ କେନ୍ଦ୍ରରେ । କର୍ମଚାରୀ ନେତାମାନଙ୍କ ଦେଖାଦର୍ଶନ ନମିଳିବାରୁ ଲୋକସେବା ଭବନରେ ଏଭଳି ଆଲୋଚନା ଜୋର
ଧରିଛି । ସଂଘର କିଛି ସଦସ୍ୟଙ୍କ କହିବା କଥା ଯେ କରୋନା
ଆତଙ୍କ କେବଳ ସାଧାରଣ ଜୀବନଯାତ୍ରା, ଦପ୍ତର, ବଜାର,
ଯାନବାହାନ ବନ୍ଦ କରିଦେଇଛି ତାହା ନୁହେଁ, ବରଂ ଏହା
ଏବେ ସଂଘ ନେତାଙ୍କୁ ବି କବଳିତ କରିସାରିଲାଣି । ବିଗତ ଦୁଇବର୍ଷ ଧରି ସଚିବାଳୟ ସେବା ସଂଘକୁ ବିବାଦ ପିଛା କରିବା ଛାଡୁନାହିଁ । କେବେ ନେତାଙ୍କ ଗୋଷ୍ଠି କନ୍ଦଳ ତ କେବେ ସଂଘ ଅର୍ଥର ତୋଷାରପାତ, କେବେ ନେତାଙ୍କ ଅପାରଗତାକୁ ନେଇ ସଂଘରେ ଝଡ ଆସିଛି ।
କେବଳ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଦୁଇବର୍ଷ ବିତିଗଲା ।
ଏହାପରେ ମଧ୍ୟ ନେତା କଳିର ମଞ୍ଜି ପୋତିଲେ । କାର୍ଯ୍ୟକାଳ
ଶେଷପରେ ମଧ୍ୟ ପଦବୀ ଛାଡିଲେ ନାହିଁ କି ନିର୍ବାଚନ ପାଇଁ
ବାଟ ଖୋଲିଲେନାହିଁ । ଏକ ତୃତୀୟ ପକ୍ଷର ଉଦ୍ୟମରେ
ନିର୍ବାଚନ ପାଇଁ ବାଟ ଖୋଲିଲା । କିନ୍ତୁ ପୁଣି ନେତାଙ୍କ
କୂଟନୀତି ପାଇଁ ନିର୍ବାଚନ କମିଶନ ପାଣ୍ଠି ନପାଇବାରୁ
ନିର୍ବାଚନ ବନ୍ଦ ହୋଇଗଲା । ଏହା ପରେ ପରେ କରୋନା
ଆସି ନିର୍ବାଚନର ସମସ୍ତ ସମ୍ଭାବନା ଉପରେ ପରଦା
ଢାଙ୍କିଦେଲା । ତିନିମାସ ବିତିଗଲା । ସବୁ କିଛି ନିରବୀ ଗଲା ।
କେବଳ ସେତିକି ନୁହେଁ ଇତି ମଧ୍ୟରେ ଚଳିତ ବର୍ଷର
୫ମାସ ବିତିଗଲାଣି । ସଚିବାଳୟ ସେବାର ମୋଟ୍ ୭ଟି
ଗ୍ରେଡ୍ ମଧ୍ୟରୁ ମାତ୍ର ଗୋଟିଏ ଗ୍ରେଡ୍ର ପଦକ୍ରମ ତାଲିକା
ପ୍ରସ୍ତୁତ ହୋଇଛି । କୌଣସି ଗୋଟିଏ ବି ଗ୍ରେଡ୍ ପାଇଁ
ପଦୋନ୍ନତି ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ
କରାଯାଇନାହିଁ । ଦୀର୍ଘ ୫ବର୍ଷ ଧରି ସୁରୁଖୁରୁରେ ଚାଲିଥିବା
ପଦୋନ୍ନତି ପ୍ରକ୍ରିୟାକୁ ଖୋଦ୍ ଗୃହ ବିଭାଗ ଅଚଳ
କରିଦେଇଛି । ମୋ ସରକାର ବ୍ୟବସ୍ଥା ଅନୁଯାୟୀ ଠିକ୍
ସମୟରେ ଯୋଗ୍ୟ ପ୍ରାର୍ଥୀଙ୍କୁ ପଦୋନ୍ନତି ଦେବାକଥା ।
ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ଏହାକୁ ଅଣଦେଖା
କରାଯାଇଛି । କୌଣସି କାରଣ କିମ୍ବା ଅଦାଲତର ଆଦେଶ
ନଥାଇ ପୂରା ପଦୋନ୍ନତି ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଛି ।
ଏଥିଯୋଗୁଁ ଗୋଟିଏ ପଟେ ପଦବୀ ଖାଲି ପଡିଥିବାବେଳେ ଅନ୍ୟ
ପଟେ କର୍ମଚାରୀ ପ୍ରତିମାସରେ ବିନା ପଦୋନ୍ନତିରେ ଚାକିରିରୁ
ଅବସର ନେଉଛନ୍ତି । ୫ମାସ ମଧ୍ୟରେ ୨୬ଜଣ କର୍ମଚାରୀ
ବିନା ପଦୋନ୍ନତିରେ ଅବସର ନେଇ ସାରିଲେଣି ।
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶହ ଶହ କର୍ମଚାରୀ ଏକ ଅଭିଯୋଗପତ୍ର ଦେଇଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । କରୋନା କାର୍ଯ୍ୟପାଇଁ ବ୍ୟସ୍ତ ଥିବା ଦର୍ଶାଇ ଅଧିକାରୀମାନେ କର୍ମଚାରୀଙ୍କ ଅଭିଯୋଗ ଶୁଣିବାକୁ ମନାକରି ଦେଉଛନ୍ତି । କର୍ମଚାରୀଙ୍କ ମଧ୍ୟରେ ହତାଶାଭାବ ଦେଖା ଦେଇଛି । ଅପର ପକ୍ଷରେ ତଥାକଥିତ ନେତା ନିରବ ଅଛନ୍ତି । କେହି କେହି କହୁଛନ୍ତି ପୂର୍ବରୁ ସଂଘ ନେତା ଅଚଳ ଥିଲେ, ଏବେ ସଂଗରୋଧ କେନ୍ଦ୍ରରେ । ତେଣୁ କର୍ମଚାରୀଙ୍କ ପ୍ରାପ୍ୟ ଏବେ ଭଗବାନଙ୍କ ଭରସାରେ