ଭୁବନେଶ୍ୱର : କରୋନା ସଂକ୍ରମଣ ଆଶଙ୍କାରେ ଗାଁ ଗହଳରେ ଲୋକେ ପ୍ରବାସୀଙ୍କୁ ନିଜ ନିଜ ଗାଁରେ ପୂରାଇ ଦେଉନଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ରାଜଧାନୀ ମୁହାଁ ହୋଇଛନ୍ତି । ରାଜଧାନୀର ବସ୍ତି ଗୁଡିକ ମୁକୁଳା ପଡିଥିବାରୁ ସଂକ୍ରମିତ ବ୍ୟକ୍ତିମାନେ ସହଜରେ ଆସି ଏଠାରେ ରହୁଛନ୍ତି । ଶୁକ୍ରବାରେ ସାଲିଆ ସାହିରୁ ଜଣେ କରୋନା ସଂକ୍ରମିତ ମିଳିବାପରେ ଏବେ ରାଜଧାନୀର ବସ୍ତି କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିବା ସହିତ ରାଜଧାନୀବାସୀଙ୍କ ମଧ୍ୟରେ ପୁଣିଥରେ ଆତଙ୍କ ସୃଷ୍ଟି ହୋଇଛି । ରାଜଧାନୀର ଅନେକ ବସ୍ତିରେ କିଏ କେତେବେଳେ କେଉଁଠୁ ଆସି ରହୁଛି ତାହାର ଖବର କାହା ପାଖରେ ନାହିଁ । ଏଥିଯୋଗୁଁ ଅନେକ ପ୍ରବାସୀ ଏବେ ରାଜଧାନୀର ବସ୍ତିମୁହାଁ ହୋଇଛନ୍ତି । ନିଜ ନିଜ ଚିହ୍ନା ପରିଚୟ ଲୋକଙ୍କୁ ଆଗତୁରା ଫୋନ୍ କରି ଆସି ପହଞ୍ଚି ଯାଉଛନ୍ତି । ଏମାନଙ୍କୁ ନାଁ ବସ୍ତିଲୋକ ଅଟକାଉଛନ୍ତି ନା ପୁଲିସ୍ । ବସ୍ତିର ଆଖପାଖରେ ତ ପୁଲିସ୍ର ଦେଖାଦର୍ଶନ ହିଁ ନାହିଁ । ଯେହେତୁ ବସ୍ତିରେ ବିଭିନ୍ନ ଅଞ୍ଚଳର ଲୋକେ ବସବାସ କରୁଛନ୍ତି ତେଣୁ ନୂଆ ଲୋକଙ୍କୁ ଚିହ୍ନିବା ସମ୍ଭବପର ହେଉନାହିଁ । କରୋନା ସଂକ୍ରମଣ ପ୍ରଥମେ ରାଜଧାନୀରୁ ଆରମ୍ଭ ହୋଇଥିଲା ।

କରିବା ଓ ଗାଁରେ ପୂରାଇ ଦେଉନଥିବାରୁ ସେମାନେ ଏବେ ସହର ମୁହାଁ ହୋଇଛନ୍ତି । କେତେକ ପ୍ରବାସୀତ ଅଧା ବାଟରୁ ରେଳ କିମ୍ବା ବସ୍ରୁ ଓହ୍ଲାଇ ବସ୍ତିମୁହାଁ ହୋଇଛନ୍ତି । ଉଲ୍ଲେଖନୀୟ ଯେ ରାଜଧାନୀରେ ସରକାରୀ ଖାତାରେ ୪୩୬ ବସ୍ତି ଥିବାବେଳେ ବେସରକାରୀ ଭାବେ ଏହା ପ୍ରାୟ ଦୁଇଗୁଣ ହୋଇଗଲାଣି । ବସ୍ତି ଅଞ୍ଚଳକୁ ବାଦ୍ ଦେଇ ଲୋକେ ସହରର ଗଳି କନ୍ଦି ଏପରିକି ସରକାରୀ କ୍ୱାର୍ଟର ପଛପଟେ ଥିବା କନ୍ଜରଭେନ୍ସି ଗୁଡିକୁ ଜବରଦଖଲ କରି ବସ୍ତି ତିଆରି କରିସାରିଲେଣି ।

( ଭୁବନେଶ୍ୱରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )