ଆନନ୍ଦପୁର : ମହିଳା ସରପଞ୍ଚଙ୍କୁ ପୋଲିସ ମାଡ ମାରିବା ଘଟଣା ଏବେ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି । ସରପଞ୍ଚଙ୍କୁ କଲେକ୍ଟରଙ୍କ କ୍ଷମତା ମିଳିଥିବା ବେଳେ କରୋନା ସଙ୍କଟ ସମୟରେ ଜଣେ ମହିଳା ସରପଞ୍ଚଙ୍କୁ ବଉଳା ଫାଣ୍ଡି ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ପ୍ରତିବାଦ କରିବା ସହ ସରପଞ୍ଚ ମହାସଂଘର କର୍ମକର୍ତ୍ତା କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଦୃଢ ପ୍ରତିବାଦ ଜଣାଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ସରପଞ୍ଚମାନେ ଟିଏମ୍ସି ଦାୟିତ୍ୱ କରିବେ ନାହିଁ ବୋଲି କହିଛନ୍ତି ।
ଜିଲ୍ଲାପାଳ ଅଭିଯୋଗ ଗ୍ରହଣ କରିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଗତ ୩ ତାରିଖ ରାତିରେ ବଙ୍ଗୁର ଟିଏମସି ସେଣ୍ଟର ରୁ ଜଣେ ଅନ୍ତେବାସୀ ପାଚେରି ଡେଇଁ ଫେରାର ହୋଇଯାଇଥିଲା । ଏ ବିଷୟରେ ଅଭିଯୋଗ କରିବା ପାଇଁ ଫାଣ୍ଡିକୁ ଯାଇଥିବା ବାଙ୍ଗୁର ସରପଞ୍ଚ ସୁପ୍ରଭା ରାଉତଙ୍କୁ ପୋଲିସ୍ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଉକ୍ତ ଦିନ ସେହି ସମୟରେ ଏକ ଯୁବତୀ ଅପହରଣ ମାମଲା ରେ ବହୁଲୋକ ଫାଣ୍ଡି ସମ୍ମୁଖରେ ରୁଣ୍ଡହୋଇ ପ୍ରତିବାଦ କରୁଥିବାବେଳେ ସେମାନଙ୍କୁ ଘଉଡାଇବା ସମୟରେ ପୋଲିସ୍ ମହିଳା ସରପଞ୍ଚ ଙ୍କୁ ମଧ୍ୟ ଆକ୍ରମଣ କରିଥିବା ସରପଞ୍ଚ ଅଭିଯୋଗ କରିଥିଲେ ।