Odia News Portal

ଇଟାଲୀକୁ ଟପିଲା ଭାରତ : ୩ ଦିନରେ ୨୯ ହଜାରରୁ ଊର୍ଦ୍ଧ୍ବ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ପ୍ରତିଦିନ କାୟା ମେଲାଇ ଚାଲିଛି କରୋନା ଭାଇରସ୍‌ (କୋଭିଡ-୧୯) । ଗତ ୪୮ ଘଣ୍ଟା ମଧ୍ୟରେ ଭାରତ ବିଶ୍ବର ଅଧିକ ପ୍ରଭାବିତ ଦେଶ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଯାଇଛି । ଗତ ଗୋଟିଏ ଦିନରେ ଦେଶରେ ୯୯୭୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨.୪୭ ଲକ୍ଷକୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ଦୃଷ୍ଟିରୁ ସ୍ପେନକୁ ପଛରେ ପକାଇ ଭାରତ ପଞ୍ଚମ ସ୍ଥାନରେ ରହିଛି ।

ଭାରତରେ ଗତ ୩ ଦିନରେ ୨୯ ହଜାରରୁ ଊଦ୍ଧ୍ୱର୍ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଗୁରୁବାର ୯୩୦୪, ଶୁକ୍ରବାର ୯୮୫୧ ଓ ଶନିବାର ୯୮୮୭ ଜଣ ନୂଆ କରୋନା ସାମଲା ସାମ୍‌ନାକୁ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମନ୍ତ୍ରଣାଳୟ ଶନିବାର ସକାଳ ୮ଟାରେ ଦେଇଥିବା ତଥ୍ୟ ଅନୁସାରେ ଦେଶରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୧୫ ହଜାର ୯୪୨ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲା ବେଳେ ୧ ଲକ୍ଷ ୧୪ ହଜାର ୭୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ବିଶ୍ୱର ସର୍ବାଧିକ କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତ ଏବେ ଇଟାଲୀକୁ ପଛରେ ପକାଇ ଦେଇଛି । କିନ୍ତୁ ଦୁଇଦେଶରେ ମୃତ୍ୟୁସଂଖ୍ୟାରେ ବଡ ଅନ୍ତର ପରିଲକ୍ଷିତ ହୋଇଛି । ଇଟାଲୀରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୪ ହଜାର ୫୩୧ ରହିଥିଲା ବେଳେ ସେଠାରେ ଏପର୍ଯ୍ୟନ୍ତ ୩୩ ହଜାର ୭୭୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ସେଠାରେ ଏବେ ସଂକ୍ରମଣ ହ୍ରାସ ପାଇଛି । ଆମେରିକା, ବ୍ରାଜିଲ, ରୁଷ, ସ୍ପେନ ବ୍ରିଟେନ ପରେ ଭାରତ ପଞ୍ଚମ ସ୍ଥାନରେ ପହଞ୍ଚିଯାଇଛି । ଭାରତରେ ଆରୋଗ୍ୟ ହାର ଏବେ ୪୮.୨୦ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ଯେଉଁ ୨୯୪ ନୂଆ ମୃତ୍ୟୁ ଘଟଣା ସାମ୍‌ନାକୁ ଆସିଛି ସେଥିରେ ମହାରଷ୍ଟ୍ରରେ ୧୩୯ ଜଣ ରହିଥିଲା ବେଳେ ଦିଲ୍ଲୀର ୫୮, ଗୁଜରାଟର ୩୫, ତାମିଲନାଡୁରେ ୧୨, ଉତ୍ତରପ୍ରଦେଶରେ ୧୨, ପଶ୍ଚିମବଙ୍ଗରେ ୧୧, ତେଲଙ୍ଗାନାରେ ୮, ମଧ୍ୟପ୍ରଦେଶରେ ୭, ରାଜସ୍ଥାନରେ ୫, ଆନ୍ଧ୍ରପ୍ରଦେଶରେ ୨ ଏବଂ ଜମ୍ମୁ-କାଶ୍ମୀର, ଓଡ଼ିଶା, ପଞ୍ଜାବ, ଝାଡଖଣ୍ଡ ଓ ଉତ୍ତରାଖଣ୍ଡରେ ଜଣେ ଲେଖାଏ ରହିଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ୨୮୪୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୁଜରାଟରେ ୧୧୯୦, ଦିଲ୍ଲୀରେ ୭୦୮, ମଧ୍ୟପ୍ରଦେଶରେ ୩୮୪, ପଶ୍ଚିମବଙ୍ଗରେ ୩୬୬, ଉତ୍ତରପ୍ରଦେଶରେ ୨୫୭, ତାମିଲନାଡୁରେ ୨୩୨, ରାଜସ୍ଥାନରେ ୨୧୮, ତେଲଙ୍ଗାନାରେ ୧୧୩, ଆନ୍ଧ୍ରପ୍ରଦେଶରେ ୭୩, କର୍ଣ୍ଣାଟକରେ ୫୭, ପଞ୍ଜାବରେ ୪୮, ଜମ୍ମୁ-କାଶ୍ମୀରରେ ୩୬, ବିହାରରେ ୨୯, ହରିଆଣାରେ ୨୪ ଓ କେରଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିଭଳି ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ଅନ୍ୟ ରାଜ୍ୟଠାରୁ ଶୀର୍ଷରେ ରହିଛି । ସେଠାରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତ ସଂଖ୍ୟା ୮୦ ହଜାର ୨୨୯ ରହିଥିଲା ବେଳେ ତାମିଲନାଡୁରେ ୨୮ ହଜାର ୬୯୪, ଦିଲ୍ଲୀରେ ୨୬ ହଜାର ୩୩୪, ଗୁଜରାଟରେ ୧୯ ହଜାର ୯୪, ରାଜସ୍ଥାନରେ ୧୦ ହଜାର ୮୪, ଉତ୍ତରପ୍ରଦେଶରେ ୯ ହଜାର ୭୩୩, ମଧ୍ୟପ୍ରଦେଶରେ ୮ ହଜାର ୯୯୬, ପଶ୍ଚିମବଙ୍ଗରେ ୭ ହଜାର ୩୦୩, କର୍ଣ୍ଣାଟକରେ ୪ ହଜାର ୮୩୫, ବିହାରରେ ୪ ହଜାର ୫୯୬ ଏବଂ ଆନ୍ଧ୍ରପ୍ରଦେଶରେ ୪ ହଜାର ୩୦୩ ଜଣ ସଂକ୍ରମିତ ହୋଇଛନ୍ତି । ଭାରତର ୩୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କରୋନା ପ୍ରଭାବିତ ହୋଇଛି ।

ସେହିଭଳି କରୋନା ନମୁନା ପରୀକ୍ଷାକୁ ଆହୁରି ବ୍ୟାପକ କରିବା ଲାଗି ଦେଶରେ ଗତ ୬ ଦିନରେ ୬୬ ନୂଆ ଲ୍ୟାବ ପ୍ରତିଷ୍ଠା କରାଯାଇଛି । ସେଥିରୁ ୪୮ଟି ସରକାରୀ ଓ ୧୮ଟି ବେସରକାରୀ ଲ୍ୟାବ ରହିଛି । ଏସବୁ ଲ୍ୟାବରେ ପ୍ରତିଦିନ ୧୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇପାରିବ । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୭ ହଜାର ୯୩୮ ନମୁନା ପରୀକ୍ଷା କରାଯାଇଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪୫ ଲକ୍ଷ ୨୪ ହଜାର ୩୧୭ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ହୋଇଥିବା ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର) ସୂତ୍ରରୁ ଜଣାପଡିଛି ।