Odia News Portal

ସରକାରଙ୍କୁ ସମାଲୋଚନା ପାଇଁ କଂଗ୍ରେସ ନେତାଙ୍କ ଭିନ୍ନ ଗୋଠ

ଭୁବନେଶ୍ୱର : ଗୋଷ୍ଠି କନ୍ଦଳରୁ ସାମୟିକ ରିହାତି ପାଇଥିବା ରାଜ୍ୟ କଂଗ୍ରେସ ଏବେ ମାସ୍କ କିଣା ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିବାରେ ଲାଗିଛି । ପ୍ରତିଦିନ ଦଳର ନେତାମାନେ ସାମ୍ବାଦିକ ସମ୍ମିଳନୀ କରି କେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ
ତ ଆଉ କେତେବେଳେ ସାମଗ୍ରୀ ଖରିଦ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଘେରୁଛନ୍ତି । ଏହାକୁ ଦେଖିଲାପରେ କଂଗ୍ରେସ ନେତାମାନେ ଯେ ଏବେସୁଦ୍ଧା ଭିନ୍ନ ଗୋଠରେ ଅଛନ୍ତି ଓ ଗୋଟିଏ ଦିଗକୁ ସମସ୍ତେ ମୁହଁ କରିପାରି ନାହାନ୍ତି ତାହା ଜଳ ଜଳ ହୋଇ ଦିଶୁଛି । ମାସ୍କ କିଣା ପ୍ରସଙ୍ଗ ପଦାକୁ ଆସିଲାପରେ ସରକାରଙ୍କୁ ଆକ୍ରମଣ ପାଇଁ ପ୍ରଥମେ ମଇଦାନକୁ ଆସିଥିଲେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ଘନ ଘନ ପ୍ରେସ୍‍ ବିବୃତ୍ତିରେ ସିଏ କିଛି ସରକାରୀ ଅଧିକାରୀଙ୍କ ଆଡେ ଅଙ୍ଗୁଳି ନିର୍ଦ୍ଦେଶ କଲେ । ମୂଳ ପ୍ରସଙ୍ଗକୁ ଛାଡି ଡାଳକୁ ଧରିବା ଫଳରେ ତାଙ୍କ ଅଭିଯୋଗ ଉପରେ ସାଧାରଣ ଲୋକଙ୍କର ସେତେଟା ବିଶ୍ୱାସ ହେଲାନାହିଁ । ଏହାପରେ ଏବେ ଦଳର ମଙ୍ଗ ଧରିଛନ୍ତି ସୁଦର୍ଶନ ଦାସ । ପ୍ରତିଦିନ ସିଏ ନୂଆ ନୂଆ ତଥ୍ୟ ଉପସ୍ଥାପନ କରୁଛନ୍ତିା  ତେବେ ଶ୍ରୀ ଦାସ ଯେଉଁ କାଗଜ ଦେଖାଉଛନ୍ତି ସମାନ କାଗଜ କିଛି ଗଣମାଧ୍ୟମ ଓ ସୂଚନା ଅଧିକାରୀକର୍ମୀ ଦେଖାଉଥିବାରୁ ସିଏ ଯେତେଯାହା କହିଲେ ବି ଦାନା ଧରୁନାହିଁ । ବରଂ କଂଗ୍ରେସ ନେତାଙ୍କର ଏହା କପିପେଷ୍ଟ ବୋଲି ଲୋକେ କହିବା ଆରମ୍ଭ କଲେଣି । ନିରଞ୍ଜନ ଓ ସଦୁର୍ଶନଙ୍କ ସରକାରୀ ସମାଲୋଚନା ଭିତରେ ମଝିରେ ମଝିରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏଣ୍ଟ୍ରି ମାରୁଛନ୍ତି ।
ଟିଭି ସାମ୍ବାଦିକଙ୍କୁ ଦେଖିଲାମାତ୍ରେ କେତେବେଳେ କାହାକୁ ଗାଳି ଦେଉଛନ୍ତି ତାହା ତାଙ୍କ ସମର୍ଥକମାନେ ଜାଣିପାରୁ ନାହାନ୍ତି । କେତେବେଳେ ସ୍ୱାସ୍ଥ୍ୟମବୀ ତ କେତେବେଳେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସମାଲୋଚନା କରୁଛନ୍ତି । ଏହାବାଦ୍‍ ଏକଦା କଂଗ୍ରେସ ଗଣମାଧ୍ୟମର ମୁଖ୍ୟ ଥିବା ସତ୍ୟପ୍ରକାଶ ନାୟକ ବି ନିଜସ୍ୱ ୱେବ ପୋର୍ଟାଲ ଜରିଆରେ ସମାନ ଅଭିଯୋଗରେ ସରକାରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି । ତେବେ ଏହା ଭିତରେ ଫରକ ହେଉଛି ଗୋଟିଏ ଯେ ଶ୍ରୀ ନାୟକ ଯେଭଳି ଶାଣିତ ଭାବେ ଆକ୍ରମଣ କରୁଛନ୍ତି ତାହା ଅନ୍ୟ କଂଗ୍ରେସ ନେତାମାନେ କରିପାରୁ ନାହାନ୍ତି । ତେଣୁ କଂଗ୍ରେସ ନେତାଙ୍କ ଏଭଳି ସରକାର ବିରୋଧି ରୂପ ଦେଖିଲାପରେ ସେମାନଙ୍କୁ କିଛି ବ୍ରହ୍ମାଙ୍କ ଅବତାର ବୋଲି କହିବା ଆରମ୍ଭ କଲେଣି । ବ୍ରହ୍ମାଙ୍କ ଚାରି ମୁଖ ଭଳି କଂଗ୍ରେସ ନେତାମାନେ କିଏ କେତେବେଳେ କୁଆଡେ ମୁହଁ କରି ଗାଳି ଦେଉଛି ତାହା ଖୋଦ କଂଗ୍ରେସ ନେତାମାନେ ଠଉରେଇ ପାରୁନାହାନ୍ତି । ଗଣମାଧ୍ୟମ ବି ବାଉଳା ହୋଇଯାଉଛି । ତେଣୁ ଦଳୀୟ ନେତାମାନେ ଯେତେ ପାଟିତୁଣ୍ଡ କଲେ ବି ସାଧାରଣ ଲୋକେ ତ ଦୂରରକଥା ଖୋଦ ଶାସକଦଳ ବି ତାହାକୁ ଗୁରୁତ୍ୱ ଦେଉନାହିଁ ।
କଂଗ୍ରେସ ଏବେ ନବଙ୍କୁ ଟାର୍ଗେଟ କରିବା ଓ ଖୋଦ ନବ ଦାସ କଂଗ୍ରେସ ଉପସଭାପତି ରହିସାରିଥିବାରୁ ତାହାକୁ ମଧ୍ୟ କିଛି ଲୋକ ଭିନ୍ନ ନଜରରେ ଦେଖୁଛନ୍ତି । ବହୁ ପ୍ରସଙ୍ଗରେ ଚୁପ୍‍ ରହିଥିବା କଂଗ୍ରେସ ନବଙ୍କ ଉପରେ ପୁରୁଣା ରାଗ ଶୁଝାଉଛି ବୋଲି କହିବା ଆରମ୍ଭ କରିଦେଲେଣି । ତେଣୁ ସିଏ ଯାହା ହେଉ ଗୋଷ୍ଠି କନ୍ଦଳରେ ସର୍ବଦା ଘାଣ୍ଟି ହେଉଥିବା ରାଜ୍ୟ କଂଗ୍ରେସ ପାଇଁ ପୁରୁଣା କଂଗ୍ରେସ ନେତା ନବ ଦାସ ଯେ କିଛିଟା ଆଶ୍ୱସ୍ତ ଆଣି ଦେଇଛନ୍ତି ସେଥିରେ କୌଣସି ସନ୍ଦେହ ନଥିବା ଖୋଦ କଂଗ୍ରେସିଆମାନେ କହିବାକୁ ପଛାଉ ନାହାନ୍ତି ।