Odia News Portal

ଏଫଆଇଏଚ୍ ପୁରୁଷ ହକି ସିରିଜ, ସେମିଫାଇନାଲରେ ଭାରତ

ଭୁବନେଶ୍ୱର : ଏଫଆଇଏଚ ପୁରୁଷ ହକି ଫାଇନାଲ୍ସରେ ଭାରତର ତାର ପ୍ରାଧ୍ୟାନ୍ୟ ବିସ୍ତାର ଜାରି ରଖିଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ଫାଇନାଲ୍ସରେ ଭାରତ ହ୍ୟାଟ୍ରିକ ବିଜୟ ସହ ସେମି ଫାଇନାଲକୁ ଉନ୍ନୀତ ହୋଇଛି। ଆଜି ପୁଲ ଏରେ ଖେଳାଯାଇଥିବା ମ୍ୟାଚରେ ଭାରତ ଉଜବେକିସ୍ତାନକୁ ୧୦-୦ରେ ପରାସ୍ତ କରି ପୁଲ ଏରେ ଶୀର୍ଷରେ ରହିଛି। ପ୍ରଥମ ମ୍ୟାଚ୍ ପରି ଆଜିର ମ୍ୟାଚରେ ମଧ୍ୟ ଭାରତ ଗୋଲ ବର୍ଷା କରିଛି।
କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ ଭାରତ ଏକତରଫା ଭାବେ ବିଜୟୀ ହୋଇଛି। ଦଳ ଆରମ୍ଭରୁ  ହିଁ ଉଜବେକିସ୍ତାନ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରି ଖେଳିଥିଲା। ବିପକ୍ଷ ଦଳର ଦୁର୍ବଳ ଡିଫେଣ୍ଡରର ଫାଇଦା ଉଠାଇ ଭାରତ ଘନ ଘନ ଆକ୍ରମଣ କରି ଗୋଟିଏ ପରେ ଗୋଟିଏ ଗୋଲ୍ ଦେଇଥିଲା। ଦଳ ଉଜବେକିସ୍ତାନକୁ ମ୍ୟାଚକୁ ଫେରିବାକୁ କୌଣସି ସୁଯୋଗ ଦେଇନଥିଲା।
ଆଜିର ମ୍ୟାଚରେ ଆକାଶଦୀପି ସିଂହ ହ୍ୟାଟ୍ରିକ ଗୋଲ୍ ଦେଇଥିଲେ। ସେ ମ୍ୟାଚର ୧୧, ୨୬ ଓ ୫୩ ତମ ମିନିଟରେ ଗୋଲ୍ ସ୍କୋର କରିଥିଲେ। ସେହି ଭଳି ୪ ଏବଂ ୨୨ ତମ ମିନିଟରେ ବରୁଣ କୁମାର ଦୁଇଟି ଗୋଲ୍ ସ୍କୋର କରିଥିଲେ। ଏହି ପରି ମନଦୀପ ସିଂହ ୩୦ ଓ ୬୦ ତମ ମିନିଟରେ ଗୋଲ୍ ଦେଇଥିଲେ। ଓଡ଼ିଶାର ଖେଳାଳି ଅମିତ୍ ରୋହିଦାସ ୧୫ତମ ମିନିଟରେ, ୨୭ ତମ ମିନିଟରେ ନୀଳକାନ୍ତ ଶର୍ମା ଏବଂ ୪୫ ତମ ମିନିଟରେ ଗୁରୁସହିବଜିତ୍ ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।  ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ରୁଷିଆକୁ ୧୦-୦ ଗୋଲରେ ହରାଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ପୋଲାଣ୍ଡକୁକ ୩-୧ରେ ପରାସ୍ତ କରିଥିଲା।