Odia News Portal

କରୋନା ପ୍ରଭାବରେ ରାଜଧାନୀର ଦୁଇ ବୃହତ୍‍ ପ୍ରକଳ୍ପ ଉପରେ କଳାବାଦଲ

ଭୁବନେଶ୍ୱର : କରୋନା ମାଡରେ ଘାଇଲା ହୋଇଥିବା ଅର୍ଥନୀତି ଯୋଗୁଁ ଏବେ ରାଜଧାନୀର ଦୁଇ ଦୁଇଟି ବଡ ପ୍ରକଳ୍ପ ଉପରେ ଅନିଶ୍ଚିତତାର କଳାବାଦଲ ଦେଖା ଦେଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନୂଆ ପ୍ରକଳ୍ପ ଉପରେ ବର୍ଷେ ପାଇଁ ରୋକ ଲଗାଇବା ସହିତ ଖର୍ଚ୍ଚକାଟ ପାଇଁ ସଙ୍କେତ ଦେବାପରେ ଏବେ ରାଜ୍ୟର ଦୁଇ ପ୍ରକଳ୍ପର ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ରାଜଧାନୀରେ କାର୍ଯ୍ୟକାରୀ ହେଉଛି ସ୍ମାର୍ଟସିଟି ଯୋଜନା । ଦୀର୍ଘଦିନ ପରେ ଏହି ଯୋଜନା କେବଳ ଜନପଥ ସମ୍ପ୍ରସାରଣ ଏବଂ ମୋ ସାଇକେଲ ଓ ମୋବସ୍‍ରେ ଏକ ପ୍ରକାର ସୀମିତ ରହିଛି । ସ୍ମାର୍ଟସିଟିର ବହୁ ପ୍ରତିକ୍ଷୀତ ୱାଇଫାଇ ଓ ସିସିଟିଭି ଯୋଜନା ଅଧପନ୍ତିରିଆ । ସ୍ମାର୍ଟସିଟିର ଅନେକ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇପାରିନାହିଁ । ଏଣେ ସ୍ମାର୍ଟସିଟି ପ୍ରକଳ୍ପକୁ ଆଗକୁ ବଢାଇବାପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିବାବେଳେ ଆସିଛି କରୋନା ।
ତେଣୁ ଏହି ବୃହତ୍‍ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କିମ୍ବା ବିଦେଶରୁ ଋଣ ଆଣିବା ଆଉ ସହଜ ନୁହେଁ । ଉଲ୍ଲେଖନୀୟ ଯେ ସ୍ମାର୍ଟସିଟି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବାର୍ଷିକ ୧୦୦ କୋଟି ଟଙ୍କା କରି ଦେଉଥିବାବେଳେ ପ୍ରକଳ୍ପ ଅର୍ଥର ସିଂହଭାଗ ରାଜ୍ୟ ସରକାର ବିଦେଶୀ ବ୍ୟାଙ୍କ୍‍ରୁ ଋଣ ଆଣିବେ । ହେଲେ ବର୍ତ୍ତମାନ ସମଗ୍ର ବିଶ୍ୱ ଅର୍ଥନୀତି କରୋନା ମାଡରେ ପ୍ରଭାବିତ ହୋଇଥିବାବେଳେ ଅର୍ଥ କେଉଁଠୁ ଆସିବ ତାହାକୁ ନେଇ ଏବେ ଚିନ୍ତା । ଅବସ୍ଥା ଏଭଳି ହେଲାଣି ଯେ ସ୍ମାର୍ଟସିଟିରେ ଯେତିକି ବି କାର୍ଯ୍ୟ ହାତକୁ ନିଆଯାଇଛି ତାହାକୁ ଚଳାଇ ରଖିବା କଷ୍ଟକର ହେବବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ରାଜ୍ୟ ସରକାର ମଧ୍ୟ ଏହି ପ୍ରକଳ୍ପକୁ ନିଜସ୍ୱ ପାଣ୍ଠିରୁ ଅର୍ଥ ଯୋଗାଇବା ଅବସ୍ଥାରେ ନାହାନ୍ତି । କରୋନା ମୁକାବିଲା ପାଇଁ ସୁଅ ଭଳି ଅର୍ଥ ଖର୍ଚ୍ଚ ହେଉଥିବାବେଳେ ରାଜସ୍ୱ ଆଦାୟ ଗୁରୁତର ଭାବେ ହ୍ରାସ ପାଇଛି । ରାଜସ୍ୱର ମୁଖ୍ୟ ଆୟ ଖଣି କ୍ଷେତ୍ରରୁ ବି ସରକାର ଧାର୍ଯ୍ୟ ଲକ୍ଷ୍ୟର ଅଧା ରାଜସ୍ୱ ପାଉନାହାନ୍ତି । ରାଜ୍ୟ ସରକାର ଏବେ ଖର୍ଚ୍ଚକାଟ ପାଇଁ ପ୍ରସ୍ତୁତ ହେଉଥିବାବେଳେ ସ୍ମାର୍ଟସିଟିକୁ ଟଙ୍କା ଦେବା ସମ୍ଭବନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ସେହିଭଳି ଆଉ ଗୋଟିଏ ପ୍ରକଳ୍ପ ହେଉଛି ରାଜଧାନୀରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ।
ପିପିପି ମୋଡ୍‍ରେ ପ୍ରତିଷ୍ଠା ହେବାକୁ ଥିବା ଏହି ରେଳଷ୍ଟେସନ ପାଇଁ ବହୁ ଆଡମ୍ବରରେ ଶୁଭ ଦିଆଯାଇଛି । ଜମି ଅଧିଗ୍ରହଣ ଆରମ୍ଭ ହେଲାବେଳକୁ କରୋନା ସଂକ୍ରମଣ ଦେଖାଦେଇଛି । ତେଣୁ ଏଭଳି ସ୍ଥିତିରେ ଏହି ବୃହତ୍‍ ପ୍ରକଳ୍ପ ପାଇଁ ବାହାର ସଂସ୍ଥା ଆଗେଇ ଆସିବା ଉପରେ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ରେଳବାଇ ମଧ୍ୟ ପ୍ରକଳ୍ପକୁ ଅର୍ଥ ପ୍ରଦାନ କରିବା ଅବସ୍ଥାରେ ନାହିଁ । ରାଜ୍ୟ ସରକାର ବି ତାଙ୍କର ଅଂଶଧନ କିଭଳି ଦେବେ ତାହା ଉପରେ ସମସ୍ତଙ୍କ ନଜର । ତେଣୁ କରୋନା ପରିପ୍ରେକ୍ଷୀରେ ରାଜ୍ୟ ରାଜଧାନୀରେ କାର୍ଯ୍ୟକାରୀ ହେଉଥିବା ଏହି ଦୁଇଟି ବୃହତ୍‍ ପ୍ରକଳ୍ପ ଏବେ ଅଧାବାଟରେ ଅଟକି ଯିବାର ସମ୍ଭାବନା ସୃଷ୍ଟି ହୋଇଛି । କେବଳ ଏହି ଦୁଇଟି ପ୍ରକଳ୍ପ ନୁହେଁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଆଉ କିଛି କେନ୍ଦ୍ରୀୟ ପ୍ରକଳ୍ପ ଉପରେ ମଧ୍ୟ କରୋନା ପ୍ରଭାବ ପଡିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ।