Odia News Portal

ପଛକୁ ଫେରିଲା ଚୀନ୍‌

ନୂଆଦିଲ୍ଲୀ : ଲଦ୍ଦାଖରେ ଚୀନ୍‌ ସହ ଜାରି ବିବାଦକୁ ନେଇ ଆସିଛି ଖୁସି ଖବର।  ଭାରତ ଓ ଚୀନ୍‌ର ସୈନିକ ପୂର୍ବ ଲଦ୍ଦାଖର ୩ଟି ଅଲଗା ଅଲଗା ଅଞ୍ଚଳରୁ ନିଜ ନିଜର  ଅଞ୍ଚଳକୁ ପଛକୁ ହଟିଛନ୍ତି ।  ଏହି ସପ୍ତାହରେ ହେବାକୁ ଥିବା ସେନାର କଥାବାର୍ତ୍ତା ପୂର୍ବରୁ ଦୁଇ ଦେଶ ତରଫରୁ ଏହି ପ୍ରୟାସ ସଫଳ ହୋଇଛି । ଏକ ମାସରୁ ଅଧିକ ସମୟ ଧରି ସୀମାରେ ଜାରି ରହିଥିବା ଅଶାନ୍ତ ବାତାବରଣ ଏବେ ଥଣ୍ଡା ହେବାର ଆଶା ସୃଷ୍ଟି କରିଛି ।

ଭାରତ ଓ ଚୀନ୍‌ର ସେନା  ମଧ୍ୟରେ  ଏହି ସପ୍ତାହ ପାଟ୍ରୋଲିଂ ପଏଣ୍ଟ ୧୪ ( ଗଲଭାନ ଏରିଆ ) , ପାଟ୍ରୋଲ ପଏଣ୍ଟ ୧୫ ଓ ହଟ୍‌ ସ୍ପ୍ରିଙ୍ଗସ ଏରିଆ ସହ  ଲଦ୍ଦାଖର କେତେକ  ଭିନ୍ନଭିନ୍ନ  ସ୍ଥାନରେ ମିଟିଂ ହେବାର ଅଛି । ସରକାରଙ୍କ ପ୍ରମୁଖ ସୂତ୍ରରୁ ଏହି ସୂଚନା ଦିଆଯାଇଛି ।

ସେ କହିଛନ୍ତି , ଚୀନ୍‌ର ସେନା ଗଲଭାନ ଭ୍ୟାଲି , ପାଟ୍ରୋଲିଂ ପଏଣ୍ଟ -୧୫ ଓ ହଟ୍‌ ସ୍ପ୍ରିଙ୍ଗ୍ସ ଏରିଆ ରୁ ୨ରୁ ୨.୫ କିମି ପଛକୁ ହଟି ସାରିଛନ୍ତି ।  ସୂତ୍ରରୁ ପ୍ରକାଶ ଯେ,  ଏହା ୬ଜୁନ୍‌ରେ  ଲେପ୍ଟେନାଣ୍ଟ ଜେନେରାଲ  ସ୍ତରରେ ହୋଇଥିବା କଥାବାର୍ତ୍ତା ଓ ଆଗକୁ ଥିବା ମିଟିଂର ପ୍ରଭାବ ।

ଚୀନ୍‌ ସେନା ଯେତେବେଳେ ନିଜର ସେନା ପଛକୁ ହଟାଇଥିଲା , ଭାରତ ମଧ୍ୟ ତାପରେ ସେହି ଅଞ୍ଚଳରୁ  ନିଜର କିଛି ସେନା ଓ ଭାଇକଲ୍‌କୁ  ଫେରେଇ ନେଇଛି ।  ଅଶାନ୍ତିର ଏହି ବାତାବରଣ ଭିତରେ ଦୁଇ ପକ୍ଷରୁ ବାଟାଲିୟନ କମାଣ୍ଡର ସ୍ତରର କଥାବାର୍ତ୍ତା ଚାଲିଛି । ଚୀନ୍‌ ସହ କଥାବାର୍ତ୍ତା ପାଇଁ  ଭାରତୀୟ ସେନା ଦଳ  ପ୍ରଥମରୁ ହିଁ ଚୁସୁଲରେ ଉପସ୍ଥିତ ଅଛନ୍ତି , ଯିଏ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ କରୁଛନ୍ତି ।