ଭୁବନେଶ୍ୱର : ଲୋକସେବା ଭବନ କର୍ମଚାରୀଙ୍କୁ ଏବେ କରୋନା ଭୟ ଗୋଡାଇଛି । ରାଜଧାନୀରେ ଦୈନିକ କରୋନା ରୋଗୀ ବାହାରିବା ଯୋଗୁଁ ଭୟ ବଢି ଚାଲିଥିବାବେଳେ ଦପ୍ତରକୁ ପ୍ରତିଦିନ ବିଶୋଧନ ଓ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନିୟମକୁ କଡାକଡି ପାଳନ ପାଇଁ ମତପ୍ରକାଶ ପାଉଛି । ସେହିଭଳି ଯେଉଁ କର୍ମଚାରୀମାନେ ରାଜଧାନୀ ବାହାରୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ମଧ୍ୟ କିଛି କର୍ମଚାରୀ ମତ ଦେଉଛନ୍ତି । ପଞ୍ଚମ ପର୍ଯ୍ୟାୟ ଲକ୍ଡାଉନ୍ରେ ସମସ୍ତ କର୍ମଚାରୀ ଦପ୍ତର ଆସିବାକୁ କୁହାଯାଇଛି । ଅବଶ୍ୟ ସବୁ କର୍ମଚାରୀ ଦପ୍ତର ଆସିବା ପୂର୍ବରୁ ଅଗ୍ନିଶମ ବାହିନୀ ପକ୍ଷରୁ ଲୋକସେବା ଭବନକୁ ବିଶୋଧନ କରାଯାଇଥିଲା । କର୍ମଚାରୀମାନେ ଟିକେ ଆଶ୍ୱସ୍ତ ଥିଲେ ହେଲେ କେତେକ ବିଭାଗରେ କର୍ମଚାରୀମାନେ ଖୁନ୍ଦାଖୁନ୍ଦି ହୋଇ ବସୁଥିବାରୁ ସାମାଜିକ ଦୂରତ୍ୱ ନିୟମ ଏଠାରେ ଏକ ପ୍ରକାର ନାହିଁ କହିଲେ ଚଳେ । ଉପାୟ ବି କିଛି ନାହିଁ । କମ୍ପ୍ୟୁଟର ଓ ଚଉକି ଏଭଳି ଭାବେ ପଡିଛି ଯେ ଗୋଟିଏ ସ୍ଥାନରୁ ତାହାକୁ ଅନ୍ୟ ସ୍ଥାନକୁ ହଟାଇ ନେଇହେବ ନାହିଁ । ତେଣୁ ଅନେକ କର୍ମଚାରୀ ବାଧ୍ୟମହୋଇ ନିଜ ସାଙ୍ଗରେ ସାନିଟାଇଜର ଧରି ବୁଲୁଥିବା ଦେଖିବାକୁ ମିଳୁଛି ।
କର୍ମଚାରୀମାନେ ଯଦିଓ ନିୟମମାନି ମାସ୍କ ପିନ୍ଧୁଛନ୍ତି କିନ୍ତୁ ସାମାଜିକ ଦୂରତ୍ୱ ରହୁନଥିବାରୁ ଅନେକ ଆତଙ୍କିତ ଅବସ୍ଥାରେ ଅଛନ୍ତିା ବିଶେଷକରି ଦୈନିକ କଟକ, ଖୋରଧା, ପୁରୀ ଆସି ସ୍ଥାନରୁ ସଚିବାଳୟକୁ ଆସୁଥିବା କର୍ମଚାରୀମାନଙ୍କୁ ନେଇ ଚିନ୍ତା ବଢିବାରେ ଲାଗିଛି । କାରଣ ରାଜଧାନୀ ଭଳି କଟକ ଓ ପୁରୀରେ ବି କରୋନା ସଂକ୍ରମଣ ବଢି ଚାଲିଛି । ରାଜଧାନୀରେ ଯେବେଠାରୁ କ୍ୱାରେଣ୍ଟାଇନ୍ କେନ୍ଦ୍ର ବାହାରେ ସଂକ୍ରମିତ ବ୍ୟକ୍ତି ଠାବ ହେଲେଣି ସେବେଠାରୁ କର୍ମଚାରୀଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଛି । କିଛି କର୍ମଚାରୀଙ୍କ କହିବାକଥା ଯେ ଲୋକସେବା ଭବନ ଭିତରେ ଯେଭଳି ଜନଗହଳି ରହୁଛି ଓ ଗାଡିମୋଟର ଗଦାହୋଇ ରହୁଛି ତାହା ସଂକ୍ରମଣକୁ ଏକ ପ୍ରକାର ନିମବଣ । ଯଦି ଜଣେ ବି କେହି ସଂକ୍ରମଣର ଶିକାର ହେବ ତେବେ ପୂରା ଲୋକସେବାଭବନ ସଂକ୍ରମିତ ହୋଇଯିବ । ତେଣୁ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷାପାଇଁ ଦୁଇ ସିଫ୍ଟରେ ଦପ୍ତର କାର୍ଯ୍ୟ ଚଳାଇବାକୁ ବି କେତେକ ମତ ଦେଉଛନ୍ତି ।
ଏହାଦ୍ୱାରା ଅତି କମ୍ରେ ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ । ସେହିଭଳି ଦପ୍ତର ଭିତର ପରିସରକୁ ପ୍ରତିଦିନ ବିଶୋଧନ କରିବାପାଇଁ ମତ ପ୍ରକାଶ ପାଉଛି । ଯେହେତୁ ବିଭିନ୍ନ ସ୍ଥାନରୁ କର୍ମଚାରୀମାନେ ଏଠାକୁ ପ୍ରତିଦିନ ଆସୁଛନ୍ତି ତେଣୁ ସପ୍ତାହରେ ଥରେ ବିଶୋଧନ କରିବାର କିଛି ମାନେ ନାହିଁ ବୋଲି ମତ ପ୍ରକାଶ ପାଉଛି । ସଂକ୍ରମଣ ଭୟରୁ ଲୋକସେବା ଭବନ ଭିତରକୁ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ କର୍ମଚାରୀମାନଙ୍କ ଭିତରେ ଯେଭଳି ଗହଳି ରହୁଛି ଓ ମାଳ ମାଳ ହୋଇ ସେମାନେ ଗପିବା ସହିତ ଯା ଆସ କରୁଛନ୍ତି ଆଗାମୀ ଦିନରେ ତାହା ଭଙ୍କର ସ୍ଥିତି ଉପୁଯାଇବ ବୋଲି କିଛି ବରିଷ୍ଠ କର୍ମଚାରୀ ମତ ଦେଉଛନ୍ତି ।