Odia News Portal

ନିରଞ୍ଜନ ନା ଟାଇଟାନିକର ନାବିକ ?

ଭୁବନେଶ୍ବର : ଲକଡାଉନ୍ ସମୟ । ଶଙ୍କୁନା କହଁର ନାମକ ଜଣେ କଂଗ୍ରେସ କର୍ମୀ କଂଗ୍ରେସ ଭବନ ଭିତରେ ଲୋକଙ୍କ ପାଇଁ ଖାଇବା ପାଇଁ ବ୍ୟବସ୍ଥା କଲେ । କଂଗ୍ରେସ ଭବନ ଅଛି ମାଷ୍ଟର କ୍ୟାଣ୍ଟିନ୍ ଛକରେ । ଭିକାରୀଠାରୁ ଆରମ୍ଭ କରି ଶ୍ରମିକଙ୍କ ପର୍ଯ୍ୟନ୍ତ ପ୍ରଥମ ଦିନ ପ୍ରାୟ ପାଞ୍ଚ ଶହ ଲୋକ ଜମା ହୋଇଗଲେ । ଭାତ, ଡାଲମା ତିଆରି କରିଥିବା ଶଙ୍କୁନାଙ୍କ ଅକଲ ଗୁଡ଼ୁମ୍ । ଏ ସମସ୍ତଙ୍କୁ ଖାଇବାକୁ ଦେବା ପାଇଁ ଏ ଆଦିବାସୀ ଯୁବକଜଣକ ବି ନାକେଦମ୍ ହେଲେ । ୟାକୁ ତା’କୁ ସାହାଯ୍ୟ କରିବା ପାଇଁ ହାତ ପାତିଲେ । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପାଖକୁ ଗଲେ । ନିରଞ୍ଜନ ଦେଲେ ୨ ହଜାର ଟଙ୍କା । ୩ ମାସ ଖାଇବାକୁ ଦେଲେ ଶଙ୍କୁନା, ହିସାବ କଲେ ଦିନ ପିଛା ୧୧୦ ଟଙ୍କା ।
କେନ୍ଦ୍ରୀୟ କଂଗ୍ରେସ ଏଆଇସିସି କହିଥିଲା ଯେ ସିଏଏ ବିରୋଧରେ ପ୍ରତି ରାଜ୍ୟରେ ରାଲି ଆୟୋଜନ କର । ଓଡ଼ିଶାରେ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ମୋର୍ଚ୍ଚା ରାଲି ଆୟୋଜନ କରୁଥାଏ । ସେ ରାଲିରେ ଯାଇ ନିରଞ୍ଜନ ଠିଆ ହୋଇ ପଡି ଉଡ଼ନ୍ତା ଖଇ ଗୋବିନ୍ଦାୟ ସ୍ୱାହା ନ୍ୟାୟରେ ତାଳି ବାଡେଇ ଦେଲେ । ପ୍ରବାସୀ ଶ୍ରମିକଙ୍କୁ ଟିକେଟ୍ ଭଡ଼ା ଦେବା ପାଇଁ ସୋନିଆ ଗାନ୍ଧୀ ଆହ୍ୱାନ ଦେଲେ । ଚତୁର ନିରଞ୍ଜନ କହିଲେ ରାଜ୍ୟ ସରକାର ତାଙ୍କୁ ଲିଷ୍ଟ୍ ଦେଉ ନାହାନ୍ତି । ଆରେ ଭାଇ ତୁମେ କିଏ କି ? ଆପଣ ଭାବୁଥିବେ, ପିସିସି ସଭାପତି ଟଙ୍କା ଦେଉଛନ୍ତି କି ନା ପରି ଏକ ଛୋଟ କଥା ଆମେ ଏଠି କାହିଁକି ଉଠୋଉଛୁ? ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ କେବଳ ଗୋଟିଏ ମାତ୍ର ସର୍ତ୍ତରେ ନିରଞ୍ଜନ ସଭାପତି ହେଲେ । ତା’ଥିଲା, ଏବାବୁ ଜଣକ ଦଳକୁ ବଳ ଦେବା ପାଇଁ ଟଙ୍କା ଦେବେ । କେବଳ ଏହି ଗୋଟିଏ ସର୍ତ୍ତ । ନେତୃତ୍ୱ ନେବାର ଆଉ କୌଣସି ଦକ୍ଷତା ରଖି ନଥିଲେ ସେ । ନା ଜଣେ ଭଲ ବକ୍ତା ନା ତାଙ୍କର କୌଣସି ନିର୍ଦ୍ଦିଷ୍ଟ କନଷ୍ଟିଚ୍ୟୁଏନ୍ସି ଅଛି!!! କେବଳ ଟଙ୍କା ପାଇଁ ତାଙ୍କୁ ପିସିସି ସଭାପତି କରା ଯାଇଥିଲା । କିନ୍ତୁ ସେ ଏବେ ଖସିକି ଅଛନ୍ତି ।
ସମୀକ୍ଷକଙ୍କ ମତ : ୨୦୧୨ରେ ତାଙ୍କୁ କାହିଁକି ବାହାର କରାଯାଇଥିଲା, ସେ ରାଗ ଶୁଝାଉଛନ୍ତି ସେ । ଏବେ ଦଳକୁ ଟାଇଟାନିକ୍ ଜାହାଜ କରିଦେଇଛନ୍ତି ନିରଞ୍ଜନ । କେବେ ବୁଡ଼ିବ, ସେ ଅପେକ୍ଷାରେ । ଦଳରେ ନା କୌଣସି ପ୍ରୋଗ୍ରାମ ଅଛି, ନା କୌଣସି ପ୍ରୋପାଗାଣ୍ଡା ଅଛି ନା କର୍ମୀଙ୍କୁ ଧରି ରଖିବାର ଆବେଗ । ନୂଆ ବ୍ଲଡ୍ ନାହିିଁ । ପୁରୁଣା ବିଜେଡ଼ିକୁ ନହେଲେ ବିଜେପିକୁ ଡେଇଁବା ଚକ୍କରରେ । ଚାହୁଁ ଚାହୁଁ ଓଡ଼ିଶାକୁ ଦୀର୍ଘ ବର୍ଷ ଶାସନ କରିଥିବା ଏ ଦଳ ଫସିଲ୍ ଅବସ୍ଥାକୁ ଆସିଗଲାଣି । ଆଉ ନିରଞ୍ଜନ ଦାରୁଭୂତୋ ମୁରାରୀ । ଯେତେବେଳେ ସଂଗଠନ ଗଢ଼ିବାର ବେଳ, ସେତେବେଳେ ତାଙ୍କ ହାତ ବନ୍ଧା । ବହୁ ଜିଲ୍ଲାରୁ ନିଶ୍ଚିହ୍ନ ହୋଇଗଲାଣି କଂଗ୍ରେସ । ପ୍ରାୟ ଶହେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳ ଏବେ ତୃତୀୟ ସ୍ଥାନରେ । ଏ ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେଉଛି ସିନା ସୁଧୁରିବାର ନାଁ ଗନ୍ଧ ଧରୁନି । ଧୀରେ ଧୀରେ କଂଗ୍ରେସର ସବୁ ୱିଙ୍ଗରେ ଉଇ ଲାଗି କଲେଣି । ମହିଳା କଂଗ୍ରେସ ବୋଲି ଆଉ କିଛି ନାହିଁ କହିଲେ ଚଳେ । ଛାତ୍ର କଂଗ୍ରେସ୍ ମୃତବତ୍ । ଯୁବ କଂଗ୍ରେସର ଅବସ୍ଥା ବି ଊଣା ଅଧିକେ ସେଇଆ । କୌଣସି ଇସ୍ୟୁ ବିରୋଧରେ ନିରଂଜନ ସ୍ପଷ୍ଟ ମତ ରଖି ପାରୁ ନାହାନ୍ତି । ନିରଞ୍ଜନ ସଭାପତି ହୋଇ ଆସିବା ପରେ ଦଳ କୌଣସି ଆନ୍ଦୋଳନ କରି ନାହିଁ । ଟିଭିରେ ବିବୃତିଟେ ମଧ୍ୟ ଠିକରେ ଦେଇ ପାରୁ ନାହାନ୍ତି ନିରଞ୍ଜନ । ଏ ଅସଂଗତି କ’ଣ ପାଇଁ ?
ତା’ର କାରଣ ଜାଣିବା ପାଇଁ ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ । ୨୦୧୯ରେ ଖଣ୍ଡପଡାରେ କଂଗ୍ରେସ କ୍ୟାଣ୍ଡିଡେଟ୍ କିଏ ଥିଲେ ବୋଲି ପଚାରିଲେ କେହି କହି ପାରିବେ ନାହିଁ । ଘରୋଇ ଚାପ କୁଆଡେ ନିରଞ୍ଜନଙ୍କୁ ଚେପା କରିଛି । ଘରୁ ଗଣି ଗଣି ଦିନକୁ ଅଢ଼େଇ ହଜାର ଟଙ୍କା ଦିଆ ଯାଉଛି ନିରଞ୍ଜନଙ୍କୁ । ସଂଧ୍ୟା ବେଳେ ହିସାବ ମଗା ଯାଉଛି । ଯାହା ବଳୁଛି, ତା’ ସେ ମଧ୍ୟ ଫେରାଉଥିବା ଶୁଣିବାକୁ ମିଳୁଛି । ତାଙ୍କର ବିତ୍ତଶାଳୀ ଭାଇ ଓ କକାପୁଅ ଭାଇମାନେ କଂଗ୍ରେସ ସଜାଡ଼ିବା ପାଇଁ ଟଙ୍କାଟିଏ ଖର୍ଚ୍ଚ କରିବା ମୁଡ଼ରେ ନଥିବା କୁଆଡେ ଶୁଣିବାକୁ ମିଳୁଛି । ତାଙ୍କ ପୁଅ ସୁଲିଆ ପଟ୍ଟନାୟକ ବାଲେଶ୍ୱରରୁ ହାରିବା ପରେ ଏବେ ରାଜନୀତି ଛାଡି ଦେଇ ପୁଣି ବ୍ୟବସାୟରେ ମନ ଦେଇଛନ୍ତି । ନିରଞ୍ଜଦନ ସବୁ ଭାଗ୍ୟ, ଭଗବାନ ଉପରେ ଛାଡି ଦେଇଛନ୍ତି । ଭଗବାନ କିନ୍ତୁ କର୍ମକୁ ନେଇ ନଛୋଡବନ୍ଧା ।