ନୂଆଦିଲ୍ଲୀ : କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦଙ୍କ ଅବସ୍ଥା ଗୁରୁତର ହୋଇଯାଇଛି । ତାଙ୍କୁ ଏବେ ରାୱଲପିଣ୍ଡି ସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବାର ସୂଚନା ମିଳିଛି । କିଛି ଦିନ ତଳେ ସେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ସେ ନିଜେ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ସାର୍ବଜନୀନ କରିଥିଲେ ।
ସେ ସେଥିରେ ଉଲ୍ଲେଖ କରିଥିଲେ ଯେ ତାଙ୍କ ଦେହରେ କରୋନା ଜନିତ କିଛି ଲକ୍ଷଣ ପ୍ରକାଶ ପାଇନାହିଁ । କିନ୍ତୁ ସେ କରୋନା ପଜିଟିଭ୍ ବାହାରିଛନ୍ତି । ସେ ହୋମ କ୍ୱାରେଣ୍ଟିନରେ ରହିବାକୁ ସ୍ଥିର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ରସିଦ ବାରମ୍ବାର ଭାରତକୁ ନେଇ ବିବାଦୀୟ ବୟାନ ଦେଇଆସୁଛନ୍ତି । ଗତ ବର୍ଷ ସେ ଭାରତ ଉପରେ କ୍ଷୁଦ୍ର ଆକାରର ପରମାଣୁ ବୋମା ମାଡ଼ କରାଯିବ ବୋଲି ଧମକ ଦେଇଥିଲେ ।