ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ବର୍ଷା । ମୌସୁମୀ ପ୍ରବାହ ସ୍ୱାଭାବିକ ରହିଛି । ପାଣିପାଗ ପୂର୍ବାନୁମାନ ଯାହା-ଏଭଳି ସ୍ଥିତି ଏବେ ଲାଗି ରହିବ । ଆସନ୍ତା ୧୮ ତାରିଖବେଳକୁ ବର୍ଷା ପରିମାଣ ଆହୁରି ବଢ଼ିବ । ୧୯ ତାରିଖ ସୁଦ୍ଧା ପଶ୍ଚିମବଙ୍ଗ ପାଖାପାଖି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୩/୪ ଦିନ ବର୍ଷା ଅଧିକ ରହିବ । ବେଶି ବର୍ଷିବ ଉତ୍ତର ଓଡ଼ିଶାରେ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସଙ୍କ କହିବାନୁଯାୟୀ ଏଭଳି ପାଗ ଜାରି ରହିବ । ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଅଛି । ବାକି ଜାଗାରେ ବି ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।
ମଙ୍ଗଳବାର ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହାବାଦ୍ କୋରାପୁଟ ଓ ରାୟଗଡ଼ାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୮ ତାରିଖରୁ ବର୍ଷା ପରିମାଣ ବଢ଼ିବ ।
୧୯ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ବେଶି ବର୍ଷା ହେବ ଉତ୍ତର ଓଡ଼ିଶାରେ ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କହିଛି, ମୌସୁମୀ ଏଯାବତ୍ ରାଜ୍ୟରେ ଭଲ ବର୍ଷା କରାଇଛି । ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୨୩% ଅଧିକ ବର୍ଷା ହୋଇଛି ।ରାଜ୍ୟରେ ୧୬ ଜିଲ୍ଲାରେ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିଛି । ୮ ଜିଲ୍ଲାରେ ବର୍ଷା ସ୍ୱାଭାବିକ ଅଛି । ୬ ଜିଲ୍ଲାରେ ଏବେ ବି ବର୍ଷା ପରିମାଣ କମ୍ ରହିଛି । ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, କେନ୍ଦ୍ରାପଡ଼ା ଓ ଯାଜପୁରରେ ବର୍ଷା ପରିମାଣ କମ୍ ରହିଛି ।
ସ୍ୱାଭାବିକ ତୁଳନାରେ ନୂଆପଡ଼ାରେ ୨୯%, ବଲାଙ୍ଗିରରେ ୪୮%, ସୋନପୁରରେ ୨୦%, ବୌଦ୍ଧରେ ୪୯%, ଯାଜପୁରରେ ୨୬% ଓ କେନ୍ଦ୍ରାପଡ଼ାରେ ୨୪% କମ୍ ବର୍ଷିଛି ମୌସୁମୀ ।
ଜୁନ୍ ପହିଲାରୁ ଆଜି ସୁଦ୍ଧା ସର୍ବାଧିକ ବର୍ଷା ରେକର୍ଡ ହୋଇଛି ଝାରସୁଗୁଡ଼ା ଜିଲ୍ଲାରେ । ଝାରସୁଗୁଡ଼ାରେ ଯେତିକି ବର୍ଷା ହେବା, ତା’ଠାରୁ ୧୪୭% ଅଧିକ ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ତୁଳନାରେ ଗଞ୍ଜାମରେ ୮୮%, ଢେଙ୍କାନାଳରେ ୭୧%, ଭଦ୍ରକରେ ୬୩% ଓ ଗଜପତିରେ ୬୩% ଅଧିକ ବର୍ଷା ଦେଇଛି ମୌସୁମୀ ।
ଏହାବାଦ୍ କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି ।ବରଗଡ଼, ଦେବଗଡ଼, କେନ୍ଦୁଝର, ଜଗତସିଂହପୁର, ପୁରୀ, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିରେ ବର୍ଷା ସ୍ୱାଭାବିକ ରହିଛି ।