ଭୁବନେଶ୍ୱର : ଜୀବନ ପଛେ ଦେଇଦେଲେ, କିନ୍ତୁ ଦେଶର ମଥା ନୂଆଇବାକୁ ଦେଲେ ନାହିଁ । ଲଦାଖର ଗଲୱାନ ଭ୍ୟାଲିରେ ଦେଶ ପାଇଁ ଶହୀଦ ହୋଇଥିବା ଏହି ବୀର ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଭୁବନେଶ୍ୱର ଶାସ୍ତ୍ରୀ ନଗର ବାସିନ୍ଦା । ଏହା ସହ ଚାଇନା ସାମଗ୍ରୀ ବୟକଟ କରିବାକୁ ମଧ୍ୟ କହିଛନ୍ତି ।
ଆଜି ସନ୍ଧ୍ୟାରେ ଭୁବନେଶ୍ୱର ୧୨୦ ବାଟାଲିୟନ ମୁଖ୍ୟ ଫାଟକ ଆଗରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଶହୀଦ ଯବାବଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଦେଶ ପାଇଁ ଶହୀଦ ଯବାନଙ୍କ ତ୍ୟାଗକୁ ସାଲ୍ୟୁଟ କରିଛନ୍ତି ଶାସ୍ତ୍ରୀ ନଗର ବାସିନ୍ଦା । ଦେଶବାସୀ ଯେ ଆମ ଯବାନଙ୍କ ସହ ସବୁବେଳେ ଅଛନ୍ତି, ଏଭଳି କିଛି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ।
କେବଳ ଏତିକି ନୁହେଁ, ଲଦାଖରେ ଚୀନ ଯେଉଁ ପ୍ରକାର ପରିସ୍ଥିତି ସୃଷ୍ଟି କଲା ତାକୁ ନେଇ ମଧ୍ୟ ସବକ ଶିଖାଇବାକୁ ଲେକେ ଚାହୁଁଛନ୍ତି । ଦେଶରେ ଏବେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛି ଚୀନ । ତେଣୁ ଚୀନ ସାମଗ୍ରୀ ବୟକଟ କରି ଅର୍ଥନୈତିକ ସ୍ତରରେ ମଧ୍ୟ ପ୍ରଭାବ ପକାଇବାକୁ ପୁଣି ଥରେ ଦାବି ହେଲାଣି । ଆଜିର ଯୁବ ସମାଜ ଚୀନ ସାମଗ୍ରୀ ବୟକଟ କରି ଉଚିତ ଶିକ୍ଷା ଦେବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
ସେପଟେ ଲଦାଖ ଗଲୱନ ସୀମନ୍ତରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ନେଇ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ଭାରତ ବିରୋଧରେ ଲଢ଼ିବା ପାଇଁ ଭାରତ ଚାରିପାଖରେ ଥିବା ଦେଶ ଚୀନକୁ ଉସୁକାଉଛନ୍ତି । ଏହି ସଂଘର୍ଷରେ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । ଭାରତ ଏହି ଲଢ଼େଇରେ ପଛଘୁଞ୍ଚା ଦେବନାହିଁ । ଏହାସହ ବୀର ଯବାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରି ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିପରି ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ କ୍ୟାଣ୍ଡେଲ ମାର୍ଚ୍ଚ କରି ଶହୀଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।