Odia News Portal

କରୋନାଠୁ ଭୟଙ୍କର ହେଲେଣି ରାଜଧାନୀରେ ଚୋର ଓ ଲୁଟେରା

ଭୁବନେଶ୍ବର : ରାଜଧାନୀରେ କରୋନା ଠାରୁ ଭୟଙ୍କର ହେଲେଣି ଚୋର ଓ ଲୁଟେରା । ରାତିବେଳା ତ ଦୂରରକଥା ଦିନ ଦ୍ୱିପ୍ରହର ଓ ମୁହସଞ୍ଜବେଳେ ଏମାନେ ଚେନ୍‍ ମୋବାଇଲ ଲୁଟ୍‍ କରିବା ସହିତ ଘରେ ପଶିଯାଉଛନ୍ତି । କମିଶନରେଟ ପୁଲିସ୍‍ କରୋନା ମୁକାବିଲା କରୁଥିବା ଘେନି ଚିତ୍ର ଦେଉଥିବାବେଳେ ଚୋରମାନେ କିନ୍ତୁ ଏବେ ଏକପ୍ରକାର ଲଗାମଛଡା ହୋଇଥିବାରୁ ସହରବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଅଳ୍ପଦିନ ତଳେ ରାଜଧାନୀର ଜଣେ ଆଇପିଏସ୍‍ ଅଫିସରଙ୍କ ଘରୁ ଚୋରମାନେ କଳାକନା ବୁଲାଇଥିଲେ । ଇଜ୍ଜତ ରକ୍ଷାପାଇଁ ପୁଲିସ୍‍ ଦିନରାତି ଏକ କରି ଚୋରିସାମଗ୍ରୀ ଧରିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲା । ହେଲେ ସାଧାରଣ ଲୋକେ ଲୁଟ୍‍ ପାଟର ଶିକାର ହେଉଥିବାବେଳେ ସେମାନଙ୍କ ସାମଗ୍ରୀ କିନ୍ତୁ ମିଳୁନାହିଁ । ଚେନ୍‍ ମୋବାଇଲ କିଛି ପାଉନାହିଁ ପୁଲିସ୍‍ । ବର୍ତ୍ତମାନ ସବୁଠାରୁ ଅଧିକ ଚୋରି ଓ ରାହାଜାନୀ ଦେଖାଦେଇଛି କମିଶନରରେଟ ପୁଲିସ୍‍ର କ୍ୟାପିଟାଲ ଥାନା ଅଞ୍ଚଳରେ । ଲୁଟେରାମାନେ କେତେବେଳେ ଚେନ୍‍ ଛିଣ୍ଡାଉଛନ୍ତି ତ ଆଉ କେତେବେଳେ ଲୋକଙ୍କ ହାତକୁ ଆଖିପିଛୁଳାକେ ମୋବାଇଲ୍‍ ଝାମ୍ପି ନେଉଛନ୍ତି । ଏହା ପୁଣି କୌଣସି ଗଳିକନ୍ଦିରେ ନୁହେଁ, ଖୋଦ କ୍ୟାପିଟାଲ ଥାନା ଠାରୁ କେଇ ମିଟର ଦୂରରେ ଥିବା ଇନ୍ଦିରାଗାନ୍ଧୀ ପାର୍କ ଆଖପାଖରେ ।
ଗତ ସପ୍ତାହେ ହେଲା ଏଠାରେ ପଲସର ଆରୋହୀ ଲୁଟେରାମାନେ ଏକ ପ୍ରକାର ଆତଙ୍କରାଜ ଚଳାଇଥିବାବେଳେ ଜଣକୁ ହେଲେ ପୁଲିସ୍‍ ଧରିପାରି ନାହିଁ । ସେହିଭଳି କ୍ୟାପିଟାଲ ଥାନା ଅଧିନରେ ଥିବା ଛଅନମ୍ବର ଅଞ୍ଚଳରେ ଏବେ ଦିନରାତି ଚୋରି ହେଉଛି । ନିଶାଡିମାନେ ଟିକେ ସୁଯୋଗ ପାଇଲେ ସରକାରୀ କ୍ୱାଟର୍ସ ଭାଙ୍ଗି ପଶୁଛନ୍ତି । ଥାନାରେ ଅଭିଯୋଗ କଲେ ଫଳ ଶୂନ । ଏଠାରେ କିଏ ଚୋରିରେ ସମ୍ପୃକ୍ତ ପୁଲିସ୍‍ ବାବୁମାନେ ଜାଣୁଛନ୍ତି । ବେଶି ଚାପ ପଡିଲେ ନିଶା କାରବାରରେ ଜଣେ ଦି ଜଣକୁ ଧରି ନେଉଛନ୍ତି । ହେଲେ ଏମିତି ଦଫା ଲଗାଉଛନ୍ତି ଯେ ସପ୍ତାହକ ପରେ ଲୁଟେରାମାନେ ଆସି ଆରାମରେ ପୁଣି ଧନ୍ଦା ଆରମ୍ଭ କରିଦେଉଛନ୍ତି । ଛଅନମ୍ବର ଅଞ୍ଚଳରେ ସବୁ ବଡ ବଡ ପୁଲିସ୍‍, ସଚିବ ଓ ମବୀମାନେ ରହୁଥିବାବେଳେ ଚୋରଙ୍କ ପ୍ରତି କ୍ୟାପିଟାଲ ଥାନାବାବୁଙ୍କ ଏଭଳି ପ୍ରେମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କରୋନା ସଂକ୍ରମଣ ଆରମ୍ଭରୁ ଜେଲ୍‍ରେ ସ୍ଥାନ ଅଭାବ ଦର୍ଶାଇ ଗୁଡିଏ ଚୋରଙ୍କୁ ମୁକୁଳାଇ ଦେଲେ । ସେମାନଙ୍କ ଉପରେ ଯେଭଳି ନଜର ରହିବାକଥା ତାହା ରହିଲା ନାହିଁ । ଏବେ ଅପରାଧ ବଢିବାରୁ ଚୋରମାନେ କରୋନା ଆକ୍ରାନ୍ତ ବୋଲି ବାହାନା ଦେଖାଇ ପୁଲିସ୍‍ ସେମାନଙ୍କୁ ଧରୁନାହିଁ । ଚୋରଙ୍କୁ ଧରିବା ତ ଦୂରରକଥା ଯେଉଁ ଅଞ୍ଚଳରେ ଘନ ଘନ ଚୋରି, ଛିନ୍‍ତାଇ ଆଦି ହେଉଛି ସେଠାରେ ପୁଲିସ୍‍ ପେଟ୍ରୋଲିଂ ଗାଡିକୁ ଦେଖିବାକୁ ମିଳୁନାହିଁ । ପିସିଆର ସବୁ କୁଆଡେ ଗଲ ।ବୋଲି ରାଜଧାନୀବାସୀ ପ୍ରଶ୍ନ କଲେଣି । ଏବେ ସଞ୍ଜ ନଇଁଲାମାତ୍ରେ ପିସିଆର ଗାଡି ଗୁଡିକ ସାଇରନ ବଜାଇ ଦୋକାନ ବନ୍ଦ ପାଇଁ ତାଗିଦା କରୁଛି ।
ଦୋକାନ ବନ୍ଦ ହେଲେ ପିସିଆରକୁ ଆଉ ଦେଖିବାକୁ ମିଳୁନାହିଁ । ଏବେ ଦୈନିକ ଖବରକାଗଜରେ ଫାଳେ ଫାଳେ ପୃଷ୍ଠା ରାଜଧାନୀର ଅପରାଧ ଖବରରେ ପୂରି ଯାଉଥିବାବେଳେ ବିଭାଗର ବଡ ବାବୁମାନେ କିଭଳି ଦେଖୁ ନାହାନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କମିଶନରେଟ ପୁଲିସ୍‍ର କିଛି ଉପର ଅଧିକାରୀ ପରସ୍ପର ମଧ୍ୟରେ ଗୋଡ ଟଣାଟଣିରେ ମାତି ଥିବାରୁ ସହରରେ ଏଭଳି ଅବସ୍ଥା ବୋଲି କିଛି ତଳିଆ ପୁଲିସ୍‍ କର୍ମଚାରୀ କହୁଛନ୍ତି । ଚାରିଚକିଆ ପିସିଆରର ଦେଖାଦର୍ଶନ ନଥିବାବେଳେ ଦୁଇ ଚକିଆ ପିସିଆର କୁଆଡେ ଗଲାବୋଲି ଲୋକେ ପ୍ରଶ୍ନ କଲେଣି । ଯଦି ଏଭଳି ଅବସ୍ଥା ଲାଗି ରୁହେ ତେବେ ଅପରାଧ ମାମଲାରେ ଭୁବନେଶ୍ୱର ବିହାର ହେବାକୁ ବେଶି ଦିନ ଲାଗିବନାହିଁ ବୋଲି ମତପ୍ରକାଶ ପାଇଲାଣି ।