Odia News Portal

ମାଓ କ୍ୟାମ୍ପ୍‌ରେ ପଶିଲା କରୋନା

ମାଲକାନଗିରି : ମାଓ କ୍ୟାମ୍ପ୍‌ରେ ପଶିଲା କରୋନା । ଏଭଳି ଏକ ସୂଚନା ଆସିବା ପରେ ପୋଲିସ୍ ତତ୍ପର ହୋଇ ଉଠିଛି । ଛତିଶଗଡ଼ ବିଜାପୁର ଜିଲ୍ଲା ପେଡାକ୍ୱାଲି ଗାଁରେ ଜଣେ କ୍ୟାଡର ମହିଳା ମାଓବାଦୀଙ୍କୁ ପୋଲିସ୍ ଗିରଫ କରିବା ପରେ ଏ କଥା ସ୍ପଷ୍ଟ ହୋଇଛି । ଏହି ମହିଳା ମାଓବାଦୀଙ୍କ ନାଁ ସୁମିତ୍ରା ।
ସୁମିତ୍ରାଙ୍କ ଠାରେ ଥଣ୍ଡା ଓ ଜ୍ୱର ଲକ୍ଷଣ ଦେଖା ଯିବା ପରେ ମାଓ ସଂଗଠନରେ ଚହଳ ପଡ଼ିଗଲା । ତେଣୁ ବିଶ୍ରାମ ନେବା ପାଇଁ ତୁରନ୍ତ ତାଙ୍କୁ କ୍ୟାମ୍ପରୁ ଘରକୁ ବିଦା କରି ଦିଆଗଲା । ଏପଟେ ପୋଲିସ୍ ଏହି ଖବର ପାଇବା ପରେ ସୁମିତ୍ରାଙ୍କ ଗାଁରେ ଚଢ଼ାଉ କରି ତାଙ୍କୁ ଗିରଫ କରିଛି ।

ଦଶ ବର୍ଷ ହେବ ସୁମିତ୍ରା ମାଓ ସଂଗଠନରେ କାମ କରୁଛନ୍ତି । ସେ କହିବା କଥା, ତାଙ୍କ ଭଳି ଅନ୍ୟ ମାଓ ସଦସ୍ୟଙ୍କ ଠାରେ ମଧ୍ୟ ଏଭଳି ଲକ୍ଷଣ ଦେଖିବାକୁ ମିଳିଛି । ତେଣୁ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମଣ ହୋଇଥାଇ ପାରେ । ଅବଶ୍ୟ ସୁମିତ୍ରା କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ୍ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖି ତାଙ୍କ ସ୍ୱାବ୍ ଓ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଇଛି । ଏ ସମ୍ପର୍କରେ ବସ୍ତର ଏସ୍‌ପି ସୁନ୍ଦରରାଜ ପି. ସୂଚନା ଦେଇଛନ୍ତି । ତେଣୁ ଲାଗୁଛି ସୁମିତ୍ରାଙ୍କୁ ଘରକୁ ବିଦା କରିବା ପଛର କାରଣ ହେଉଛି କରୋନାକୁ ନେଇ ମାଓ କ୍ୟାମ୍ପରେ ଭୟ ।