Odia News Portal

ଜଳବନ୍ଦୀ ଆଶଙ୍କାରେ ଉତ୍ତର ନିର୍ବାଚନ ମଣ୍ଡଳୀଵାସୀ

ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୪ନମ୍ବର ୱାର୍ଡର ନଖରା, ନୂଆପାଟଣା,ବଙ୍ଗୁଆରୀ, ସାହାବାଦ, ହରିଦାସପୁର, ସୁନ୍ଦରାପାଟଣା, ନହରକଣ୍ଟା, ହଂସପାଳ, ରୁଦ୍ରପୁର, ଜୟପୁର, ପାହାଳ,ଜୋହଳ, ଓ କୁଣ୍ଡିତରାପାଟଣା ଗ୍ରାମଗୁଡ଼ିକ କୁଆଖାଇ ନଦୀ, ପୁରୀ ମୁଖ୍ୟ କେନାଲ୍‌, ଜାତୀୟ ରାଜପଥ-୧୬,
ପୁରୁଣା ଜଗନ୍ନାଥ ସଡ଼କ, ନିଆଳୀ-ମାଧବ ରାସ୍ତା ଓ ପ୍ରାଚୀ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିଲାବେଳେ ଏହି ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାନଯିବା କାରଣରୁ ଜୁନ୍ ମାସରେ
ମଧ୍ୟ ରୁଦ୍ରପୁର, ହରିଦାସପୁର, ବଙ୍ଗୁଆରୀ, ପାହାଳ ଓ ନୂଆପାଟଣା ଗହୀର ଅଦ୍ୟାବଧି ଦୂଷିତ ଜଳବନ୍ଦୀ ହୋଇଅଛି । ଏହି ଦୂଷିତ ଜଳ ସଂକ୍ରମଣରେ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

ଏହି ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ବିଧାୟକଙ୍କ ଗହଣରେ ପୌର କମିଶନର ବିଗତ ଦିନରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖି ଥିଲେ। ବିଗତ ‘ଅମ୍ଫନ’ ବାତ୍ୟା ସମୟରେ ବିଧାୟକ ସୁଶାନ୍ତ କୁମାର ରାଉତ ରୁଦ୍ରପୁର ସହ ଜଳବନ୍ଦୀ ହୋଇଥିବା ସମସ୍ତ ଗ୍ରାମକୁ ପରିଦର୍ଶନରେ ଯାଇ ଲୋକଙ୍କ ମଧ୍ୟରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଥିଲେ । ଏହି ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଜାତୀୟ
ରାଜପଥ ପ୍ରାଧିକରଣକୁ ପତ୍ର ସଂଖ୍ୟା-୩୦୫୯୩, ତା ୦୨.୧୧.୨୦୧୯ ଓ ପତ୍ର ସଂଖ୍ୟା ୨୨୦୨୨, ତାରିଖ ୦୯.୦୬.୨୦୨୦ରେ ଜାତୀୟ ରାଜପଥ ପାଶ୍ୱର୍ର ଡ୍ରେନ୍‌ ନିର୍ମାଣ ଅନୁମତି ପାଇଁ ପତ୍ର ଲେଖାଯାଇଥିଲେ ମଧ୍ୟ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା କାରଣରୁ ଏହି ୱାର୍ଡ଼ର ଜାତୀୟ ରାଜପଥ ପାଶ୍ୱର୍ ଲକ୍ଷେଶ୍ୱର ଗହୀର, ସାହାବାଦ, ରୁଦ୍ରପୁର, କୁଣ୍ଡିତରାପାଟଣା, ହଂସପାଳ ଭୋଇସାହି, ପାହାଳ, ନହରକଣ୍ଟା ଅଞ୍ଚଳ ଜଳମଗ୍ନ ହେବାପାଇଁ ବାଧ୍ୟ ହେଉଛି । ୱାର୍ଡ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମର ରାସ୍ତା ପାଶ୍ୱର୍ ଡ୍ରେନ୍ ନିର୍ମାଣ ସହ ପ୍ରାଚୀ ନଦୀ ଓ ପାରମ୍ପରିକ ଜଳ ନିଷ୍କାସନ ପଥ ଅବରୋଧ ମୁକ୍ତ କରି ଜଳ ନିଷ୍କାସନ ପାଇଁ ଅଞ୍ଚଳବାସୀ ମାନ୍ୟବର ବିଧାୟକ, ମାନ୍ୟବର ସାଂସଦ, ପୁର୍ତ୍ତ, ଜଳସମ୍ପଦ, ନଗର ଉନ୍ନୟନ ମନ୍ତ୍ରୀଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସଦୟ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ କୌଣସି ବିଧିବଦ୍ଧ ଡ୍ରେନେଜ୍ ବ୍ୟବସ୍ଥା ସମ୍ପାଦନ ନ କରି ବର୍ଷା ଜନିତ ଆପାତକାଳୀନ ସ୍ଥିତିରେ ପାଣି ପମ୍ପ ପକାଇ ଜଳ ନିଷ୍କାସନ ବ୍ୟବସ୍ଥାର ପ୍ରହସନ ସୃଷ୍ଟି
କରାଯାଉଛି, ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି । ସମ୍ପ୍ରତି ବିଶ୍ୱରେ କରୋନା ସଂକ୍ରମଣ ଦେଖାଦେଇଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ପରିମଳ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ୪ ନମ୍ବର ୱାର୍ଡର ପରିମଳ ବ୍ୟବସ୍ଥା ଉନ୍ନତିକରଣ ସହ ଅଞ୍ଚଳରୁ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପାଦନ କରି ଏହି ୱାର୍ଡ ଅନ୍ତର୍ଗତ ସମସ୍ତ ଗ୍ରାମକୁ ଶୂନ୍ୟ ଜଳ ପ୍ଲାବନ କରିବା ପାଇଁ ଅଞ୍ଚଳବାସୀ ପୁନଶ୍ଚ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।