ପୁରୀ : ସୁପ୍ରିମକୋର୍ଟରୁ ଗ୍ରୀନ ସିଗନାଲ ମିଳିବା ପରେ ରଥଯାତ୍ରା ନେଇ ପ୍ରସ୍ତୁତି ଆହୁରି ତ୍ୱରାନ୍ୱିତ ହୋଇଛି । ବିନା ଭକ୍ତରେ କିପରି ଶାନ୍ତିଶୃଙ୍ଖଳାର ସହ ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମ୍ପନ୍ନ ହୋଇପାରିବ, ସେନେଇ ପୁରା ପ୍ରସ୍ତୁତିରେ ଲାଗିପଡ଼ିଛି ପ୍ରଶାସନ । ଖୋଦ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୋଲିସ ଡିଜି ଶ୍ରୀ ଅଭୟ ଓ ସୈମେନ୍ଦ୍ର ପ୍ରିୟଦର୍ଶୀ ସିଂହଦ୍ୱାର ନିକଟରେ ସ୍ଥିତି ସମୀକ୍ଷା କରିଛନ୍ତି । ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ନେଇ ଏହି ସମୀକ୍ଷା ହୋଇଛି ।
ରାତି ପାହିଲେ ରଥଯାତ୍ରା । ବଡ଼ ଦାଣ୍ଡକୁ ଆସିବେ କଳାଠାକୁର । ଶେଷ ମୁହୂର୍ତ୍ତରେ ରଥଯାତ୍ରା ନେଇ ହଁ କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ତେବେ କଣାକଣାର ସହ ସୁପ୍ରିମକୋର୍ଟ ଏହି ଅନୁମତି ଦେଇଛନ୍ତି । ରଥଯାତ୍ରାର ଗୁରୁ ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦିଆଯାଇଛି । ଆଉ ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ମଧ୍ୟ ତ୍ୱରାନ୍ୱିତ ହୋଇଛି । ହାତରେ ସମୟ କମ ଥିବାରୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସିଂହଦ୍ୱାରାରେ ପହଞ୍ଚି ସମୀକ୍ଷା କରୁଛନ୍ତି ।
ସେପଟେ ଆଜି ସିଂହଦ୍ୱାରରେ ଲାଗିଛି ୩ ରଥ । ରଥଖଳାରୁ ଦକ୍ଷିଣ ମୋଡ଼ ହୋଇ ସିଂହଦ୍ୱାର ସମ୍ମୁଖରେ ରଥ ଲାଗିଛି । ସେବାୟତଙ୍କ ଦ୍ୱାରା ରଥ ଟଣା ହୋଇ ସିଂହଦ୍ୱାର ପର୍ଯ୍ୟନ୍ତ ଅଣାଯାଇଛି ।