ଭୁବନେଶ୍ୱର : ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଚଳିତ ବର୍ଷ ନଭେମ୍ବର ୨ ତାରିଖରୁ ଆରମ୍ଭ ହେବାର ଥିଲା । ଭେନ୍ୟୁ ଓ କ୍ରୀଡ଼ାସୂଚୀ ମଧ୍ୟ ଘୋଷଣା ସରିଥିଲା । କିନ୍ତୁ କରୋନା ବା କୋଭିଡ୍ ୧୯ର ସଂକ୍ରମଣ ଯୋଗୁ ବିଶ୍ୱକପ୍କୁ ଆସନ୍ତା ବର୍ଷ ଫେବ୍ରୁଆରୀ ମାସକୁ ଘୁଞ୍ଚାଇ ଦିଆଯାଇଥିଲା । ଆଜି ଫିଫା ପକ୍ଷରୁ ଟୁର୍ଣ୍ଣାମେଣ୍ଟର ପୁନଃ ସୂଚୀ ଘୋଷଣା କରାଯାଇଛି । ବିଶ୍ୱକପ୍ ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ତାରିଖରେ ଶେଷ ହେବ । ପୂର୍ବଭଳି ୫ଟି ଭେନ୍ୟୁ ଯଥା ଭୁବନେଶ୍ୱର, କୋଲକାତା, ନଭି ମୁମ୍ବାଇ, ଗୌହାଟୀ,ଅହମ୍ମଦାବାଦ ଅପରିବର୍ତ୍ତିତ ରହିଛି ।
ପୂର୍ବସୂଚୀ ଅନୁସାରେ ଭୁବନେଶ୍ୱରରେ ଗ୍ରୁପ୍ ପର୍ଯ୍ୟାୟ, ଗୋଟିଏ କ୍ୱାର୍ଟର ଓ ଗୋଟିଏ ସେମି ଫାଇନାଲ୍ ସହ ମୋଟ୍ ୮ଟି ମ୍ୟାଚ୍ ଖେଳାଯିବାର ଥିଲା । ମ୍ୟାଚ୍ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଗୁଡ଼ିକ ଫେବ୍ରୁଆରୀ ୧୭, ୨୦ ଓ ୨୩ ତାରିଖରେ ଖେଳାଯିବ । ଗ୍ରୁପ୍ ବି’ର ୩ଟି ଏବଂ ଗ୍ରୁପ୍ ଏ’ର ଗୋଟିଏ ମ୍ୟାଚ୍ ଭୁବନେଶ୍ୱରରେ ଖେଳାଯିବ । ସେମିତି କ୍ୱାର୍ଟର ଫାଇନାଲ ୨୮ ତାରିଖ ଏବଂ ସେମି ଫାଇନାଲ ମାର୍ଚ୍ଚ ୩ ତାରିଖରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।
୧୬ଟି ଦଳକୁ ନେଇ ମୋଟ୍ ୩୨ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ଦିବସରେ ଉଭୟ ଭୁବନେଶ୍ୱର ଓ ଗୌହାଟୀରେ ମ୍ୟାଚ୍ ରହିଛି । ନଭି ମୁମ୍ବାଇରେ ଫାଇନାଲ୍ ମ୍ୟାଚ୍ ଆୟୋଜିତ ହେବ । ଫେବ୍ରୁଆରୀ ୧୭ରୁ ୨୪ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ, ୨୭ ଓ ୨୮ ତାରିଖରେ କ୍ୱାର୍ଟର, ମାର୍ଚ୍ଚ ୩ ତାରିଖରେ ସେମି ଫାଇନାଲ୍ ଏବଂ ୭ ତାରିଖରେ ତୃତୀୟ/ଚତୁର୍ଥ ସ୍ଥାନ ମୁକାବିଲା ଓ ଫାଇନାଲ ମ୍ୟାଚ୍ ଖେଳାଯିବ । ଗୌହାଟୀ, ଭୁବନେଶ୍ୱର, କୋଲକାତା ଓ ଅହମ୍ମଦାବାଦରେ ଗ୍ରୁପ୍ ପର୍ଯ୍ୟାୟ ରହିଛି । ନଭି ମୁମ୍ବାଇରେ କ୍ୱାର୍ଟର ଫାଇନାଲ୍ (ଗୋଟିଏ), ସେମି ଫାଇନାଲ (ଗୋଟିଏ) ଓ ଫାଇନାଲ ମ୍ୟାଚ୍ ରହିଛି ।