Odia News Portal

ସେବାୟତଙ୍କର ହେବ ଦୁଇଥର କୋଭିଡ଼ ଟେଷ୍ଟ

ପୁରୀ : ରଥଯାତ୍ରାରେ ସାମିଲ ଥିବା ସମସ୍ତ ବ୍ୟକ୍ତି ଙ୍କ କୋଭିଡ ଟେଷ୍ଟ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ସଂକ୍ରମଣ ଯେଭଳି ପୁରୀ ସହରରେ ନ ବ୍ୟପେ ସେ ନେଇ ଏହି ପଦକ୍ଷେପ ନିଆଯାଉଛି। ଏ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଚି। ଉନ୍ନୟନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ପୁରୀ ଜିଲାପାଳ, ଏସପି ଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ହୋଇ ଥିଲେ। ନିଷ୍ପତ୍ତି ଅନୁଯାୟୀ ରଥଯାତ୍ରା ରେ ସାମିଲ ହୋଇ ଥିବା ସମସ୍ତ ସେବାୟତଙ୍କ ପୁଣି କୋଭିଡ ଟେଷ୍ଟ ହେବ। ଦୁଇ ଥର ଲେଖଏ କୋଭିଡ ଟେଷ୍ଟ ହେବ।
ସେବାୟତ ସହିତ ରଥଯାତ୍ରା ରେ ସାମିଲ ପୋଲିସ କର୍ମଚାରୀ, ସରକାରୀ କର୍ମଚାରୀଙ୍କ ସମେତ ସମସ୍ତ ବ୍ୟକ୍ତି ବିଶେଷଙ୍କ କରୋନା ପରୀକ୍ଷା ହେବ। କାରଣ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅନେକ ବ୍ୟକ୍ତି ବିଶେଷ ଏହି ରଥଯାତ୍ରା କାର୍ଯ୍ୟକ୍ରମ ରେ ସାମିଲ ରହିବେ। କୋଭିଡ ସଂକ୍ରମଣ ଯେଭଳି ନ ବ୍ୟପେ ସେ ନେଇ ସୁନିଶ୍ଚିତ କରିବା ପାଇଁ ଏହି ଟେଷ୍ଟ ହେବ। ଏ ନେଇ ପ୍ରକ୍ରିୟା ଆରଂଭ ହୋଇଛି।
ପ୍ରଥମେ ଆଜି ଗୋପବନ୍ଧୁ ଆୟୁର୍ବେଦ କଲେଜରେ ପୋଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି। ପର୍ଯ୍ୟାୟ କ୍ରମେ ସେବାୟତ, ସରକାରି କର୍ମଚାରୀଙ୍କ ମଧ୍ୟ କରୋନା ଟେଷ୍ଟ ହେବ। ତେବେ ରଥଯାତ୍ରା ସୁରୁଖୁରୁରେ ହୋଇ ଥିବା ଏବଂ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ସବୁ କିଛି ହୋଇ ଥିଲା ବୋଲୀ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର କହିଛନ୍ତି। ସେହିପରି ରଥଯାତ୍ରା ପୁର୍ବରୁ ସେବାୟତଙ୍କ କୋଭିଡ ଟେଷ୍ଟରୁ ଜଣେ ସେବାୟତ କରୋନା ପଜେଟିଭ ପରେ ପ୍ରଶାସନ ଅଧିକ ସଚେତନ ହୋଇଛି। ରଥଯାତ୍ରାରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ କୋଭିଡ ଟେଷ୍ଟ ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି।