ଭୁବନେଶ୍ୱର : ମେଘ ବାଦଲ ମୁହଁ ଦେଖାଇ ପଳାଉଛି । ହେଲେ ବର୍ଷା ନାହିଁ । ମୌସୁମୀ କୁଆଡ଼େ ହଜିଯାଇଛି। ୨/୩ ଦିନ ହେଲାଣି ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା । ଏହାସହ ଖରା ଓ ଗୁଳୁଗୁଳି ବଢ଼ିଛି । ପାଣିପାଗ ପୂର୍ବାନୁମାନ କହୁଛି, ଏବେ ରାଜ୍ୟରେ ବିଶେଷ ବର୍ଷା ନାହିଁ । ତଥାପି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ ପ୍ରାୟତଃ ଶୁଖିଲା ରହିବ ।
ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି । ୨୮ ଯାଏଁ ଏମିତି ପାଗ ରହିବ । ବାକି ଜାଗାରେ ବର୍ଷା ସମ୍ଭାବନା କମ୍ ।
ଗୁରୁବାର ଦିନ ଭିତରେ ଫୁଲବାଣୀରେ ୩୬ ମିଲିମିଟର ଓ କୋରାପୁଟରେ ୫ ମିମି ବର୍ଷା ହୋଇଛି । ଏହାବାଦ୍ ସବୁଠି ପାଗ ଶୁଖିଲା ଥିଲା । ଅନୁଗୁଳରେ ସର୍ବାଧିକ ତାପମାତ୍ରା ୩୭.୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ଟିଟିଲାଗଡ଼ରେ ବି ପାରଦ ୩୭ ଡିଗ୍ରୀ ଛୁଇଁଥିଲା । ଗତକାଲି ତୁଳନାରେ ଉପକୂଳରେ ତାତି ପ୍ରକୋପ ସାମାନ୍ୟ କମିଥିଲା।