ଭୁବନେଶ୍ୱର : ରାଜଧାନୀ ଏବେ ଧିରେ ଧିରେ ନିଶା ବେପାରୀ ଓ ନିଶାଡିଙ୍କ କବଳକୁ ଚାଲିଯାଉଛି । ଗତ କିଛିଦିନର ଚୋରି, ଡକାୟତି, ରାହାଜାନୀ, ଛିନ୍ତାଇ ଓ ନିଶା ସାମଗ୍ରୀ ଜବତରୁ ଏହା ଜଳ ଜଳ ହୋଇ ଦିଶୁଛି । ଗୋଟିଏ ପଟେ କରୋନା ମହାମାରୀ ଭୟରେ ଲୋକ ଛାନିଆରେ ଥିବାବେଳେ ଅନ୍ୟପଟେ ନିଶାଡି ଓ ଲୁଟେରାଙ୍କ ଭୟ ଜୀବନକୁ ଦୁର୍ବିସହ କରିଦେବାରେ ଲାଗିଛି । ଗତ ପ୍ରାୟ ପନ୍ଦର ଦିନ ହେଲା ରାଜଧାନୀରେ ନିଶାଡିଙ୍କ ଉତ୍ପାତ ବଢିବାରେ ଲାଗିଛି । ଲୋକସେବାଭବନ ଓ ରାଜଭବନ ଆଖପାଖରୁ ଏକାଧିକ ମୋବାଇଲ୍ ଲୁଟ୍ ଓ ମହିଳାଙ୍କ ବେକରୁ ଚେନ୍ ଛିଣ୍ଡା ଘଟଣାରେ ନିଶାଡିମାନେ ସଂଶ୍ଳିଷ୍ଟ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ସେହିଭଳି ପ୍ରତି ୟୁନିଟ୍ରେ ଏବେ ଚୋରି ପ୍ରବଳମାତ୍ରାରେ ବଢିଯାଇଛି । ରାତିବେଳା ତ ଦୂରରକଥା ଦିନବେଳା ବି ଚୋର କଳାକନା ବୁଲାଇ ଦେଉଛନ୍ତି । ନିକଟରେ ରାଜଧାନୀର ଜଣେ ଆଇପିଏସ୍ ଅଫିସରଙ୍କ ଘରେ କଳାକନା ବୁଲାଇ ଚୋରମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ । ବିଗୁଡୁଥିବା ରାଜଧାନୀର ଏଭଳି ଅବସ୍ଥା ପାଇଁ ସାଧାରଣ ଲୋକେ ଏବେ ପୁଲିସ୍କୁ ଦାୟୀ କରୁଛନ୍ତି । କାରଣ ପୂର୍ବଭଳି ଆଉ ପୁଲିସ୍ ପାଟ୍ରୋଲିଂ ନାହିଁ କି ପୁଲିସ୍ ବି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।
ଶହ ଶହ ଲୁଟେରା ଓ ଚୋର କରୋନା ଆଳରେ ଜେଲ୍ରୁ ବାହାରି ଏବେ ସହରରେ ଉତ୍ପାତ କରୁଥିବାବେଳେ ସେମାନଙ୍କ ଉପରେ ଯେଭଳି ନଜର ରହିବାକଥା ତାହା ନାହିଁ । ଏଥି ସହିତ ରାଜଧାନୀର ପ୍ରମୁଖ ଥାନାର ଅଧିକାରୀମାନେ ଯେଭଳି ବଦନାମ ମୁଣ୍ଡାଉଛନ୍ତି ତାହା ବି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇବାରେ ଲାଗିଛି । ପ୍ରେମ ବ୍ୟାପରେରେ କ୍ୟାପିଟାଲ ଥାନାର ଜଣେ ଯୁବ ଅଧିକାରୀ ନିଲମ୍ବିତ ହୋଇଥିବାବେଳେ ଖାରବେଳନଗର ଥାନାର ଜଣେ କର୍ମଚାରୀ ଏବେ ଥାନାରୁ ଏସି ଚୋରି ମାମଲାରେ ଛନ୍ଦିହୋଇ ପଡିଛନ୍ତି । ସେଭଳି ଏୟାରଫିଲ୍ଡ ଥାନାର ଜଣେ ମହିଳା କନେଷ୍ଟବଳ ସୁଧ ବେପାରରେ ମାତି ଖାକିରେ ଦାଗ ଲଗାଇଛନ୍ତି । ନିଶା ବେପାର କ୍ଷେତ୍ରରେ ରାଜଧାନୀ ତ ଏବେ ଅନ୍ୟ ସବୁ ଅଞ୍ଚଳକୁ ଟପିଗଲାଣି । ପୂର୍ବରୁ କେବଳ ହଳଦୀପଡିଆ ବସ୍ତିକୁ ଧଳା ଜହରର ପେଣ୍ଠସ୍ଥଳ ଭାବେ ବୁଝାଉଥିବାବେଳେ ଏବେ ସହର ସାରା ସବୁଆଡେ ଏହା ଅବାଧରେ ମିଳୁଛି । କେବଳ
ଚରସ ନୁହେଁ ଗଞ୍ଜେଇ ଓ ଚୋରାମଦରୁ ସୁଅ ବି ଛୁଟୁଛି ।
ଗଞ୍ଜେଇ ଓ ମଦର ଚୋରା କାରବାର ପାଇଁ ରାଜଭବନ ନିକଟରେ ଥିବା ଛଅ ନମ୍ବର ୟୁନିଟ୍ ଏବେ ରେକର୍ଡ କରିଛି । ଏଠି ପରିବା ଦୋକାନରେ ବି ଖୋଲାଖୋଲି ଗଞ୍ଜେଇ ମିଳୁଛିା ପୁଲିସ୍ ସବୁ ଦେଖୁଥିଲେ ବି ଚୁପ୍ । ପୁଲିସ୍ ପେଟ୍ରୋଲିଂ ନଥିବାରୁ ଛୋଟ ଛୋଟ ପିଲାମାନେ ଖୋଲାଖୋଲି ନିଶା ସେବନ ସହିତ ଚୋରି ଡକାୟତିରେ ମାତୁଛନ୍ତି । ପୁଲିସ୍ କର୍ତ୍ତୃପକ୍ଷ ଯଦି କରୋନା ଆଳରେ ଏଭଳି ଢିଲା ମାରିବେ ତେବେ ଆଉ କିଛିଦିନ ପରେ ରାଜଧାନୀବାସୀ ଘରୁ ବାହାରିବା କଷ୍ଟକର ହୋଇପଡିବ ବୋଲି କୁହାଗଲାଣି ।