Odia News Portal

ସାମ୍ବାଦିକ କହି ଚାନ୍ଦା ଆଦାୟ, ୬ ଗିରଫ

ଭୁବନେଶ୍ବର  : ଏବେ ସୋସିଆଲ ମିଡିଆରେ ଅନେକ ୟୁଟ୍ୟୁବ ଚ୍ୟାନେଲ ଦେଖିବାକୁ ମିଳୁଛି । ହେଲେ ଏହା ବୈଧ କି ଅବୈଧ ତାହା ଜାଣିବାର ସୁଯୋଗ ନାହିଁ । ଅନେକ ଯୁବକ ଏହି ସବୁ ୟୁଟ୍ୟୁବ ଚ୍ୟାନେଲର ବୁମ୍‌ ଧରି ନିଜକୁ ସାମ୍ବାଦିକ ପରିଚୟ ଦେଇ ଅନେକ ବେଆଇନ କାର୍ଯ୍ୟରେ ସଂପୃକ୍ତ ରହୁଥିବା ଖବର ମିଳୁଛି । ଶୁକ୍ରବାର ନିଜକୁ ଏମ୍‌-ଏଚ୍‌ ନ୍ୟୁଜ୍‌ ଓଡ଼ିଶା ୟୁଟ୍ୟୁବ ଚ୍ୟାନେଲ୍‌ର ସାମ୍ବାଦିକ ପରିଚୟ ଦେଇ ଜନୈକ ବ୍ୟକ୍ତିଙ୍କ ଘରେ ବେଆଇନ ଭାବେ ରାତିରେ ପ୍ରବେଶ କରିଥିବା ୬ ଜଣ ଯୁବକକୁ ପୁଲିସ ଗିରଫ କରିଛି ।

ଶୁକ୍ରବାର ରାତି ପ୍ରାୟ ୮ଟାରେ ସାମ୍ବାଦିକ ପରିଚୟ ଦେଇ ୬ ଜଣ ଯୁବକ ଏକ କାର୍‌ରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ କଙ୍କଡ଼ାପାଳ ଗ୍ରାମର ନୃସିଂହ ଚରଣ ଦାସଙ୍କ ଘରକୁ ଆସିଥିଲେ । ସେଠାରେ ମଦ ବିକ୍ରି ହେଉଥିବା କହି ଘରର ଆସବାବପତ୍ର ଛାନ୍‌ଭିନ୍‌ କରିଥିଲେ । ଘରେ ନୃସିଂହ କିମ୍ବା ତାଙ୍କ ପତ୍ନୀ କେହି ନଥିଲେ। କେବଳ ତାଙ୍କର ପୁଅ ଝିଅ ଘରେ ଥିଲେ । ଏତେ ଲୋକଙ୍କୁ ଦେଖି ସେମାନେ ଭୟରେ ଚିତ୍କାର କରିଥିଲେ । ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ପହଞ୍ଚି ଯୁବକମାନଙ୍କୁ ପରିଚୟ ମାଗିବାରୁ ସେମାନେ ଏମଏଚ ନ୍ୟୁଜ୍‌ ଓଡ଼ିଶା ଚ୍ୟାନେଲର ସାମ୍ବାଦିକ ବୋଲି କହିଥିଲେ । ଲୋକଙ୍କର ସନ୍ଦେହ ହେବାରୁ ଯୁବକମାନଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ବାଲିଆପାଳ ପୁଲିସ ଗାଡ଼ି ସହ ଯୁବକମାନଙ୍କୁ ଥାନାକୁ ଆଣିଥିଲେ ।

ଯୁବକମାନଙ୍କ ମଧ୍ୟରେ ରିପୋର୍ଟର କହୁଥିବା ତପନ ମାଝୀଙ୍କର ଘର ନିକଟସ୍ଥ ନାରାୟଣପୁର ଗ୍ରାମରେ ହୋଇଥିବା ବେଳେ ତାଙ୍କର କ୍ୟାମେରାମ୍ୟାନ ଭାବେ ଯାଇଥିବା ମିଥୁନ ମୁର୍ମୁଙ୍କ ଘର ଚୌମୁଖରେ । ଅନ୍ୟ ସହଯୋଗୀମାନେ ହେଲେ ଅପର୍ତ୍ତୀ ମାଝୀ (ନାରାୟଣପୁର), ଜଗନ୍ନାଥ ବେହେରା (ଡଗରା), ତପନ କୁମାର ମାଝୀ (ନାରାୟଣପୁର) ଓ ଅନୁଜ ପାତ୍ର (ଚୌମୁଖ) । ସମସ୍ତ ଯୁବକଙ୍କ ବୟସ ୧୮ରୁ ୨୦ ବର୍ଷ ମଧ୍ୟରେ । ଗତ ପାଞ୍ଚ ଦିନ ଧରି ସାରପୁଞ୍ଜା ଗ୍ରାମର କାର୍ତ୍ତିକ ଚନ୍ଦ୍ର ଗିରିଙ୍କ ଗାଡ଼ିକୁ ଏମାନେ ଭଡ଼ା ସୂତ୍ରରେ ନେଇଥିଲେ । ଏହି ଯୁବକମାନେ ସାମ୍ବାଦିକ ପରିଚୟ ଦେଇ ବିଭିନ୍ନ ସ୍ଥାନରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଘର ମାଲିକ ନୃସିଂହ ଦାସଙ୍କ ଅଭିଯୋଗ କ୍ରମେ ବାଲିଆପାଳ ପୁଲିସ ମାମଲା ରୁଜୁ କରିଛି ।