Odia News Portal

କରୋନା ମାଡରେ ଘାଇଲା ଲୋକେ ଘରୋଇ ସ୍କୁଲ ପ୍ରତି ବିମୁଖ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଏବେ ବିଦ୍ୟାଳୟ ଗୁଡିକରେ ନାମଲେଖା ଆରମ୍ଭ ହୋଇଛି । ଘରୋଇ ବିଦ୍ୟାଳୟ ଗୁଡିକ କରୋନା ମହାମାରୀକୁ ଖାତିର ନକରି ନାମଲେଖା ଆରମ୍ଭ କରିଛନ୍ତି । ପିଲା ଯେଭଳି ଅନ୍ୟ ବିଦ୍ୟାଳୟକୁ ନପଳାନ୍ତି ସେଥିଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ତେବେ କରୋନା ମାଡରେ ରୋଜଗାର ବ୍ୟବସ୍ଥା ଘାଇଲା ହୋଇଥିବାରୁ ସ୍ୱଳ୍ପ ଆୟକାରୀ ବର୍ଗ ଯେଉଁମାନେ କି ପେଟରୁ କାଟି ପିଲାଙ୍କୁ ଘରୋଇ ବିଦ୍ୟାଳୟରେ ପଢାଇବାର ସ୍ୱପ୍ନ ଦେଖୁଥିଲେ ସେମାନେ ଏବେ ଦ୍ୱନ୍ଦରେ ପଡିଛନ୍ତି । ଅନେକ ନିଜ ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢାଇବାପାଇଁ ମନସ୍ଥିର କରୁଛନ୍ତି । କରୋନା ମହାମାରୀ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଜୁନ୍‍ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି । ତେବେ ଏହା ଭିତରେ ଛାତ୍ରଛାତ୍ରୀଙ୍କ ନାମ ଲେଖା କାର୍ଯ୍ୟ ଚଳାଇବାପାଇଁ ସରକାର ଅନୁମତି ଦେଇଛନ୍ତି । ତଦନୁଯାୟୀ ଘରୋଇ ବିଦ୍ୟାଳୟ ଗୁଡିକ ପିଲାଙ୍କ ନାମ ଲେଖା ସହିତ ସେମାନଙ୍କୁ ବହିପତ୍ର ବିକ୍ରି ଆରମ୍ଭ କରିଛନ୍ତି । ହେଲେ ପୂର୍ବରୁ ନାମଲେଖା ପାଇଁ ଯେଭଳି ପ୍ରତିଦ୍ୱନ୍ଦିତା ଓ ଖୁସାମତ ଆଦି ଚାଲୁଥିଲା ତାହା ଆଉ ଦେଖିବାକୁ ମିଳୁନାହିଁ । ଘରୋଇ ବିଦ୍ୟାଳୟରେ ନିଜ ପିଲାଙ୍କୁ ପଢାଇବାପାଇଁ ଲୋକେ ଏବେ ବହୁବାର ଚିନ୍ତା କରୁଛନ୍ତି । ବିଶେଷକରି ବେସରକାରୀ ସଂସ୍ଥାରେ ଚାକିରି କରୁଥିବା ଓ ବ୍ୟବସାୟୀମାନଙ୍କ କ୍ଷେତ୍ରରେ ଏହା ଲକ୍ଷ୍ୟ କରାଯାଉଛି । ନାମଲେଖା ପାଇଁ ମୋଟା ଅଙ୍କର ପାଉଣା ସହିତ ମାସକୁ ମାସ ମୋଟା ଅଙ୍କର ଦରମା ଦେବାପାଇଁ ସେମାନେ ସାହସ କୁଳାଇ ପାରୁନାହାନ୍ତି ।
କାରଣ କରୋନା ମାଡରେ ଅନେକ ବେସରକାରୀ କର୍ମଜୀବୀଙ୍କ ଦରମାକାଟ୍‍ ହୋଇଥିବାବେଳେ କିଛି ଲୋକ ଚାକିରି ହରାଇଛନ୍ତି । ବ୍ୟବସାୟୀମାନେ କ୍ଷତିରେ ଚାଲିଥିବାବେଳେ ଗାଡିଚାଳକଙ୍କ ଭଳି ଲୋକେ ଜୀବିକା ହରାଇଛନ୍ତି । ତେଣୁ ଏଭଳି ସ୍ଥିତିରେ ପିଲାଙ୍କୁ ଘରୋଇ ବିଦ୍ୟାଳୟରେ ନାମ ଲେଖାଇବା ଅପେକ୍ଷା ସରକାରୀ ବିଦ୍ୟାଳୟରେ ଲେଖାଇବାପାଇଁ ମନସ୍ଥିର କରୁଥିବା ଜଣାଯାଇଛି । ଉଲ୍ଲେଖନୀୟ ଯେ କରୋନା ମହାମାରୀ ସମୟରେ ଲୋକଙ୍କ ଆର୍ôଥକ ସ୍ଥିତିକୁ ଦେଖି ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ କିମ୍ବା ହ୍ରାସ କରିବାପାଇଁ ଖୋଦ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ସବୁ ସ୍ତରରୁ ବି ଏଥିପାଇଁ ମତପ୍ରକାଶ ପାଇଥିଲା । ଫି ଛାଡ କରିଥିବା ଅନ୍ୟ ରାଜ୍ୟ ଗୁଡିକର ଉଦାହରଣ ବି ଦିଆଯାଇଥିଲା । ହେଲେ ଘରୋଇ ବିଦ୍ୟାଳୟ ଗୁଡିକ କିଛି ଶୁଣିଲେ ନାହିଁା  ଓଲଟା ଛୁଟି ଦିନ ପାଇଁ କିଭଳି ଫି ଆଦାୟ କରିବେ ସେଥିପାଇଁ ଅଭିଭାବକଙ୍କୁ ଫୋନ୍‍ କରି ଟଙ୍କା ମାଗିଲେ ଓ ଚିଠି ଲେଖିଲୋ  ଘରୋଇ ବିଦ୍ୟାଳୟ ଗୁଡିକର ଏଭଳି ମନୋଭାବ ଏବେ ସେହିସବୁ ବିଦ୍ୟାଳୟରେ ନିଜ ନିଜ ପିଲାଙ୍କ ନାମ ଲେଖାଇବା କ୍ଷେତ୍ରରେ ଅଭିଭାବକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି । କାରଣ କରୋନାର ପ୍ରକୋପ ଅତି କମ୍‍ରେ ବର୍ଷ ଶେଷଯାଏ ରହିବ ବୋଲି ବିଶେଷଜ୍ଞମାନେ ଚେତାଇ ଦେଲେଣି ।
ଜୀବନ ଜୀବିକାର ଦୋଛକିରେ ଛିଡା ହୋଇଥିବା ଲୋକେ କିଭଳି ପିଲାଙ୍କ ସ୍କୁଲ ଫି ଦେବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି । କାରଣ ଘରୋଇ ବିଦ୍ୟାଳୟ ଗୁଡିକର ବ୍ୟବସାୟିକ ମନୋବୃତ୍ତି ସେମାନଙ୍କୁ ଛାଡିବ ନାହିଁ । ତେଣୁ ଆଗାମୀ ଦିନରେ ପିଲାଙ୍କୁ ନିନ୍ଦା ଅପବାଦର ସାମ୍ନା କରିବା ଅପେକ୍ଷା ସରକାରୀ ବିଦ୍ୟାଳୟରେ ନାମ ଲେଖାଇବା ଶ୍ରେୟସ୍କର ବୋଲି ଅନେକ ଅଭିଭାବକ ମତ ଦେଉଛନ୍ତି । କାରଣ ଘରୋଇ ବିଦ୍ୟାଳୟରେ ନାମ ଲେଖା ଓ ଫି ବାବଦରେ ମୋଟା ଅଙ୍କର ଟଙ୍କା ଗଣିବାପରେ ବିଭିନ୍ନ କାର୍ଯ୍ୟକଳାପ ନାଁରେ ଚାନ୍ଦା ସହିତ ସେହି ବିଦ୍ୟାଳୟର ଶିକ୍ଷକଙ୍କ ନିକଟରେ ଟିଉସନ ପାଇଁ ବି ଟଙ୍କା ଗଣିବାକୁ ପଡିବ ବୋଲି ଅଭିଭାବକମାନେ କହୁଛନ୍ତି । ଏଭଳି ସ୍ଥଳେ କିଛି ଅଭିଭାବକ ଏବେ ଘରୋଇ ସ୍କୁଲରେ ଥିବା ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲକୁ ଆଣିବା ପାଇଁ ଗୁରୁତ୍ୱର ସହ ଚିନ୍ତା କରୁଥିବା ଦେଖାଯାଉଛି ।