ପୁରୀ : ଶ୍ରୀଗୁଣ୍ଡିଚା ଦିନ ପୁଲିସର ବର୍ବରତା ନେଇ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ଡାକ୍ତରଖାନା ଭିତରେ ପଶି ଜଣେ ବୃଦ୍ଧଙ୍କ ମୁଣ୍ଡ ଫଟାଇ ଦେବା ଘଟଣା ପରେ ଆଉ ଦୁଇଟି ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି । ଜଣେ ୭୭ ବର୍ଷୀୟ ରୋଗାକ୍ରାନ୍ତ ବୃଦ୍ଧଙ୍କୁ ବଡ଼ଦାଣ୍ଡରେ ପିଟି ପିଟି ହାତ ଭାଙ୍ଗିଦେଇଛି ପୁଲିସ୍ । ଆହତ ବୃଦ୍ଧ ହେଲେ ବଡ଼ଶଙ୍ଖସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିକଟରେ ରହୁଥିବା ଉମାକାନ୍ତ ମହାନ୍ତି ।
ଶ୍ରୀଗୁଣ୍ଡିଚା ଦିନ ସକାଳ ୭ଟାରେ ଆବର୍ଜନା ବୁହା ଗାଡ଼ି ଉମାକାନ୍ତଙ୍କ ଘର ସାମ୍ନାରେ ପହଞ୍ଚିଥିଲା । ପୁଅ ପ୍ରଦୀପ୍ତ କୁମାର ମହାନ୍ତି ଠାକୁର ପୂଜା କରୁଥିବାରୁ ଉମାକାନ୍ତ ଘର ଡଷ୍ଟବିନ୍ ଧରି ବାହାରକୁ ଆସିଥିଲେ । ରଥଯାତ୍ରା ପାଇଁ କର୍ଫ୍ୟୁ ଜାରି ହୋଇଥିବାରୁ ବଡ଼ଦାଣ୍ଡ ଫାଙ୍କା ଥିଲା ଓ ତାଙ୍କ ଘର ସମ୍ମୁଖରେ ୪ ଜଣ କନେଷ୍ଟବଳ ଡ୍ୟୁଟି କରୁଥିଲେ । ଉମାକାନ୍ତ ବାହାରକୁ ଆସିବାବେଳେ ଆବର୍ଜନା ବୁହା ଗାଡ଼ି ଆଗକୁ ପଳାଇଥିଲା । ସେହି ସମୟରେ ଆଉ ଏକ ଆବର୍ଜନା ବୁହା ଗାଡି ଆସୁଥିବା ଦେଖି ୪ ଜଣ କନେଷ୍ଟବଳ ଉମାକାନ୍ତଙ୍କୁ ଅଟକାଇ ସେହି ଗାଡିରେ ଅଳିଆ ଫିଙ୍ଗିବାକୁ କହିଥିଲେ । ହେଲେ ଗାଡିଟିତାଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ହଠାତ୍ ପହଞ୍ଚିଥିଲେ ଜଣେ ଇନ୍ସପେକ୍ଟର୍ । ଉମାକାନ୍ତଙ୍କ କହିବା ଅନୁଯାୟୀ, କର୍ଫ୍ୟୁ ବେଳେ କାହିଁକି ବାହାରିଛୁ ବୋଲି କହି ହଠାତ୍ ପିଟି ଦେଇଗଲେ ସେ ବାବୁ । ସାରା ଶରୀରରେ ବାଜିଥିଲା ୭ ପ୍ରହାର । ଲାଠି ଧରି ପିଟୁଥିବାବେଳେ ସେ ଛଟପଟ ହୋଇଯାଇଥିଲେ । ଶରୀରରେ ନୋଳା ଫାଟି ଯିବା ସହ ବାମ ହାତ ପାପୁଲି ଭାଙ୍ଗି ଯାଇଥିଲା । ବୃଦ୍ଧ ଜଣକ ସେଠାରେ ପଡ଼ି ଯାଇଥିଲେ ।
ଉମାକାନ୍ତ ଭୁବନେଶ୍ୱର ସବ୍ କଲେକ୍ଟର୍ଙ୍କ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଥିଲେ । ଅବସର ପରେ ୨୦୧୨ ମସିହାରୁ ହୃଦ୍ରୋଗ ଓ ୬ ମାସ ତଳୁ ସ୍ନାୟୁ ରୋଗରେ ଆକ୍ରାନ୍ତ । ଚଲାବୁଲା କରି ପାରୁ ନ ଥିବାରୁ ଘରେ ପଡି ରହିଥିଲେ । ଏକ ମାସ ହେବ କେବଳ ନିଜ ଅଗଣାରେ ଚଲାବୁଲା କରୁଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ଉମାକାନ୍ତ କହିଛନ୍ତି ଯେ, ମୁଁ ଚାଲି ପାରୁନାହିଁ । ଏ ବୟସରେ ପୁଣି ଏଭଳି ଅବସ୍ଥାରେ ମୋତେ ଅମାନବୀୟ ଭାବେ ପିଟି ଚାଲିଥିଲେ ସେ ବାବୁ । ଜଣେ ବରିଷ୍ଠ ନାଗରିକ ପୁଣି ରୋଗାକ୍ରାନ୍ତ ଶରୀର ଦେଖୁଥିଲେ ମଧ୍ୟ ଏତେ ନିଷ୍ଠୁର ହେବା ଜଣେ ପୁଲିସ ଅଧିକାରୀଙ୍କ ଆଚରଣ ନୁହେଁ ବୋଲି ସେ କହିଛନ୍ତି । ଏବେ ସେ ପୁଣି ଅସୁସ୍ଥ ଅବସ୍ଥାରେ ଘରେ ପଡ଼ି ରହିଛନ୍ତି ।
ସେହିଭଳି ରଥଯାତ୍ରା ଦିନ ପୂର୍ଣ୍ଣଚନ୍ଦ୍ର ମହାନ୍ତି ନିଜର ଅସୁସ୍ଥ ଶିଶୁ ପୁତ୍ରକୁ ଡାକ୍ତରଖାନା ନେଉଥିଲେ । ବଡ଼ଶଙ୍ଖ ଅଣ୍ଡା ଗଳିରୁ ବାହାରି ବଡଦାଣ୍ଡରେ ପହଞ୍ଚିବାବେଳେ ପୁଲିସ ତାଙ୍କୁ ମଧ୍ୟ ପିଟିଥିଲା । କାନ୍ଧରେ ଦେଢ଼ବର୍ଷର ଅଶୁସ୍ଥ ଶିଶୁକୁ ଦେଖି ବି ପୁଲିସର ଦୟା ଆସି ନ ଥିଲା । ପୁଅକୁ ନେଇ ଡାକ୍ତରଖାନା ଯାଉଛି ବୋଲି ଚିତ୍କାର କରୁଥିଲେ ପୂର୍ଣ୍ଣଚନ୍ଦ୍ର । ତଥାପି ନିଷ୍ଠୁର ପୁଲିସ ତାଙ୍କୁ ପିଟି ଚାଲିଥିଲା । ବାପାଙ୍କ ଏ ଅବସ୍ଥା ଦେଖି ଶିଶୁଟି ମଧ୍ୟ ଚିତ୍କାର କରି କାନ୍ଦିଥିଲା । ଯାହା ବଡ଼ଦାଣ୍ଡରେ ଏକ ଅଭାବନୀୟ ଦୃଶ୍ୟ ପାଲଟିଥିଲା ବୋଲି ଦେଖଣାହାରୀମାନେ କହିଛନ୍ତି ।
କେବଳ ଏହି ଦୁଇ ଘଟଣା ନୁହେଁ । ସେହିଦିନ ସଦର ମୁଖ୍ୟ ଚିକିତ୍ସାଳୟରେ ପଶି ସମଙ୍ଗରାର ଯଦୁମଣୀ ସେଠୀଙ୍କ ମୁଣ୍ଡ ଫଟାଇଥିଲା ପୁଲିସ । ସେହିପରି ଇଏନ୍ଟି ଡାକ୍ତର ରବୀନ୍ଦ୍ର କୁମାର ଘଡ଼ାଇଙ୍କୁ ମଧ୍ୟ ପୁଲିସ ଆକ୍ରମଣ କରିଥିଲା । ଇନ୍ସପେକ୍ଟର୍ ଗୋକୁଳ ରଞ୍ଜନ ଦାସ ଏହି ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିବାବେଳେ ବରିଷ୍ଠ ପୁଲିସ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ପରେ ଘଟଣାର ସମାଧାନ ହୋଇଥିଲା ।