ଭୁବନେଶ୍ୱର : ଅଚଳ ସିସିଟିଭି ଏବେ ରାଜଧାନୀରେ ଚୋରଙ୍କୁ ବେଶ୍ ସୁହାଇଛି । ଏହା ପୁଣି ଅନ୍ୟ କୌଣସି ସ୍ଥାନରେ ନୁହେଁ, ଖୋଦ ଭୁବନେଶ୍ୱର କୋର୍ଟ ପରିସରରେ । ସିସିଟିଭି ଖରାପ ସୁରାକ ପାଇଁ ଚୋରମାନେ କୋର୍ଟ ପରିସରରୁ ଆଇନ୍ଜୀବୀଙ୍କ ହେଲମେଟ ନେଇ ଚମ୍ପଟ ମାରୁଛନ୍ତି । ସୋମବାର ଦିନ ଏଭଳି ଚୋରିର ଶିକାର ହୋଇଛନ୍ତି ବରିଷ୍ଠ ଆଇନ୍ଜୀବୀ ସୁକାନ୍ତ କୁମାର ସାହୁ । ଶ୍ରୀ ସାହୁ ସବୁଦିନ ଭଳି ସୋମବାର ମଧ୍ୟ କୋର୍ଟ ପରିସରରେ ନିଜର ମୋଟର ସାଇକେଲ ଓ ହେଲମେଟ ରଖି ଅଦାଲତକୁ ଯାଇଥିଲେ । କିଛି ସମୟ ପରେ ଫେରିଲା ବେଳକୁ ଆଉ ହେଲମେଟ ନାହିଁ । ମୁଣ୍ଡ ଉପରେ ସିସିଟିଭି ଲାଗିଥିବା ଦେଖି ଚୋରକୁ ଧରିବାପାଇଁ ଶ୍ରୀ ସାହୁ ଉଦ୍ୟମ କରିଥିଲେ । ଅଦାଲତ ପରିସରକୁ ଯାଇ ସିସିଟିଭି ଚିତ୍ର ଦେଖିବାକୁ ଉଦ୍ୟମ କରିଥିଲେ । ହେଲେ ଜଣାଗଲା ଯେ ସିସିଟିଭିଟି ଖରାପ । ଦୀର୍ଘଦିନ ଧରି କାମ କରୁନାହିଁ ।

ଫଳରେ ଏହା ମାଧ୍ୟମରେ ଚୋର ଧରିବା ପୁଲିସ୍ ପକ୍ଷରେ ଅସମ୍ଭବ ହେଉଛି । ରାତିବେଳା ତ ଅନେକ ସିସିଟିଭିରେ ଫଟୋ ଉଠିବା ସମ୍ଭବ ହେଉନାହିଁ । ଧର୍ମକୁ ଆଖିଠାର ମାରିଲା ଭଳି ସିସିଟିଭି ଭରସାରେ ପୁଲିସ୍ ବାବୁମାନେ କାମ ଚଳାଇ ନେଉଛନ୍ତି । ସ୍ମାର୍ଟସିଟି କର୍ତ୍ତୃପକ୍ଷ ସହରରେ ସିସିଟିଭି ଲଗାଇବା କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ତାହା କିଛିଦିନ ହେଲା ଅଧାପନ୍ତରିଆ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି । ରାସ୍ତା ଘାଟ ଠାରୁ କୋର୍ଟ କଚେରୀ ପର୍ଯ୍ୟନ୍ତ ଅଚଳ ସିସିଟିଭି ଯୋଗୁଁ ଚୋରମାନେ ଏବେ ଉତ୍ସାହିତ ବୋଲି କିଛି ପୁଲିସ୍ କର୍ମଚାରୀ ନାମ ଗୋପନ ସର୍ତ୍ତରେ ମତ ଦେଉଛନ୍ତି । ସରକାର ଅଧିକ ସିସିଟିଭି ଲଗାଇବା ତ ଦୂରରକଥା ଲାଗିଥିବା ସିସିଟିଭିର ରକ୍ଷଣାବେକ୍ଷଣ କରୁନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଯଦି ଭୁବନେଶ୍ୱର କୋର୍ଟ ପରିସରରେ ଏଭଳି ଅବସ୍ଥା ତେବେ ରାଜଧାନୀରେ କାହାକୁ କ’ଣ କହିବା ବୋଲି ଆଇନ୍ଜୀବୀମାନେ ମତ ଦେଉଛନ୍ତି ।