Odia News Portal

ପାରାଦ୍ୱୀପରେ ମାଛ ମଡକ

ପାରାଦ୍ୱୀପର କପିଳ କେନାଲରେ ଦେଖିବାକୁ ମିଳିଛି ମାଛ ମଡକ । ଶହ ଶହ ସଂଖ୍ୟାରେ ମାଛ ମରି ଭାସୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ତେବେ ମାଛ ମଡକର ପ୍ରକୃତ କାରଣ ଜଣା ପଡି ନଥିଲେ ମଧ୍ୟ କେନାଲର ପାଣି ଅତ୍ୟଧିକ ଦୂଷିତ ଯୋଗୁଁ କିମ୍ବା କେହି ଏଥିରେ ବିଷ ପ୍ରୟୋଗ କରିଥିବା ଅନୁମାନ କରାଯାଉଛି ।

ମାଉସୀ ମା ମନ୍ଦିର ନିକଟରୁ ସ୍ମୃତି ଉଦ୍ୟାନ ପର୍ଯ୍ୟନ୍ତ ଲମ୍ବିଥିବା ଏହି କେନାଲରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରଜାତିର ମାଛ ମରି ଭାସୁଛନ୍ତି । ଖବର ପାଇ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ମାଛ ଓ ଜଳର ନମୁନା ସଂଗ୍ରହ କରିଛନ୍ତି । ଏଗୁଡ଼ିକ ଲ୍ୟାବରେ ପରୀକ୍ଷା କରିବା ପରେ ମାଛ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି । ପାରାଦ୍ୱୀପରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ସମୟରେ ଏହା ଜଳଜୀବମାନଙ୍କୁ ପ୍ରଭାବିତ କରୁଛି । ଯାହା ସ୍ଥାନୀୟ ଅଞ୍ଚଳରେ ବିପଦ ସୃଷ୍ଟି କରୁଛି । ତୁରନ୍ତ ଏହାର ନମୁନା ପରୀକ୍ଷା କରି ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି ।