Odia News Portal

କରେନା କଟକଣା ନମାନି ଭୋଜିଭାତ ପାଇଁ ଚାଲିଛି ଫିକ୍ସିଂ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଜୁଲାଇ କଟକଣା ଲାଗୁ ହେବାପରେ ଗାଁ ଠୁ ସହର ପର୍ଯ୍ୟନ୍ତ ଏବେ ଆରମ୍ଭ ହୋଇଛି ଭୋଜିଭାତ ଫିକ୍ସିଂ । ବାହାଘର, ବ୍ରତଘର ଠାରୁ ଆରମ୍ଭକରି ଶୁଦ୍ଧଘର ପର୍ଯ୍ୟନ୍ତ ଲୋକଙ୍କୁ ଭୋଜି ଦେବାପାଇଁ ଗାଁରେ ସରପଞ୍ଚଙ୍କ ଠାରୁ ଆରମ୍ଭକରି ଅଙ୍ଗନବାଡି, ଆଶା କର୍ମୀଙ୍କ ସହିତ ଫିକ୍ସିଂ ଚାଲିଥିବାବେଳେ ସହରରେ ପୁଲିସ୍‍ ନଜର ଆଢୁଆଳରେ ଭୋଜିଭାତ ଚାଲିଛି । କରୋନା ଭୟ ଥିଲେ ବି ଲୋକେ ଭୋଜିରେ ଯୋଗ ଦେଉଛନ୍ତି ଓ ଭୋଜିଖାଇ ଯେଭଳି ଫେରୁଛନ୍ତି ତାହା ଆଗାମୀ ଦିନରେ ଗୋଷ୍ଠି ସଂକ୍ରମଣକୁ ନିମନ୍ତ୍ରଣ କରୁଛି ବୋଲି ବିଶେଷଜ୍ଞମାନେ କହିଲେଣି । ଜୁଲାଇମାସ ହେଉଛି ବିବାହ ଋତୁ । କଟକଣା ଉଠିବା ଆଶାରେ ଅନେକ ଲୋକ ନିଜ ନିଜ ବାହାଘର ଭୋଜିଭାତକୁ ଜୁଲାଇକୁ ରଖିଛନ୍ତି । ଏପରିକି ଜୁନ୍‍ ଅଧାରେ ବାହାଘର ସାରିଥିବା ଲୋକେ ବି ଜୁଲାଇକୁ ଭୋଜି ତାରିଖ ସ୍ଥିର କରିଛନ୍ତି । ଗାଁ ଗହଳରେ ଏଥିପାଇଁ ଏକ ପ୍ରକାର କସରତ ଚାଲିଛି । ସରପଞ୍ଚଙ୍କ, ଅଙ୍ଗନବାଡି, ଆଶାକର୍ମୀ ଆଦିଙ୍କ ଜ୍ଞାତସାରରେ ଚାଲୁଛି ଭୋଜିଭାତ । ସ୍ଥାନୀୟ ପୁଲିସ୍‍କୁ ଯେଭଳି ଖବର ନଯିବ ସେଥିପାଇଁ ସମସ୍ତଙ୍କୁ ତାଗିଦା ହେଉଛି । ଏପରିକି ଅନେକ ଭୋଜିରେ ମୋବାଇଲ୍‍ ଫଟୋ ଉଠାକୁ ବାରଣ କରାଯାଇଛି ।
ଏଥିପାଇଁ କେତେକ ସ୍ଥାନରେ ଆଶା ଓ ଅଙ୍ଗନବାଡି କର୍ମୀମାନେ ଭଲ ଦି ପଇସା ବି ପାଉଛନ୍ତି । କେତେକ ତ ଭୟରେ ମୁହଁ ଖୋଲୁ ନାହାନ୍ତି । ଓହରରେ ବି ଅନୁରୂପ ଅବସ୍ଥା । ଭୋଜିଭାତ ଆୟୋଜନ କରୁଥିବା ଲୋକେ ଗଳାବାଟ ଖୋଜୁଛନ୍ତି । ୧୦/୨୦ଜଣ କରି ଲୋକଙ୍କୁ ଖୁଆଇ କିଭଳି ଛାଡିବେ ତାହାର ବ୍ୟବସ୍ଥା ହେଉଛି । ଏକାଧିକ ସ୍ଥାନରେ ରୋଷେଇ କରି ଗୋଟିଏ ସ୍ଥାନକୁ ଆଣୁଛନ୍ତି । ସେହିଠାରେ ଲୋକଙ୍କୁ ଲୁଚା ଚୋରାରେ ଖାଇବାକୁ ଦିଆଯାଉଛି । ଅନେକ ସ୍ଥାନରେ ଛାତ ଉପରେ କମ୍‍ ଆଲୋକ ବ୍ୟବସ୍ଥାରେ ବିନା ମାଇକରେ ଭୋଜି ଦିଆଯାଉଛି । ଏଭଳି ବ୍ୟବସ୍ଥା ହେଉଛି ଯେ ଯେଭଳି ତାହାର ଟେର କେହି ନପାଇବେ । ପୁଲିସ୍‍ କାନରେ ଯେଭଳି କଥାଟି ନପଡିବ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । କିଛି ଯୋଗାଡିଆ ଆଗତୁରା ସ୍ଥାନୀୟ ଥାନା ସହିତ ଯୋଗାଯୋଗ ବି କରୁଥିବାର ସୂଚନା ମିଳୁଛି ।
ଖୋଦ ରାଜଧାନୀରେ କିଭଳି ଭୋଜିଭାତ ହେଉଛି ତାହା ପ୍ରମୁଖ ଆଇଁଷ ବଜାର ଅନୁଧ୍ୟାନ କଲେ ଜଣାପଡିବ । ବାହାଘର ଓ ଭୋଜି ବାରରେ କୁଇଣ୍ଟାଲ କୁଇଣ୍ଟାଲ ମାଛ, ମାଂସ ଓ ଚିକେନ ସପ୍ଲାଇ ହେଉଛି । ବର୍ତ୍ତମାନ ସହରରେ ହୋଟେଲରେ କାଉ ଉଡୁଥିବାବେଳେ ଏତେ ସଂଖ୍ୟାରେ ଆଇଁଷ କୁଆଡେ ଯାଉଛି ତାହାକୁ ଅନୁଧ୍ୟାନ କଲେ ସତ ପଦାକୁ ଆସିଯିବ । ଲୁଚା ଚୋରାରେ ଅନେକ ମଣ୍ଡପରେ ଭୋଜିଭାତ ଚାଲୁଛି । ସ୍ଥାନୀୟ ବାସିନ୍ଦା ସବୁ ଜାଣୁଥିଲେ ବି ଭୋଜି ଖାଇବା ନିଶା ଓ ବନ୍ଧୁତ୍ୱର ଦ୍ୱାହିଦେଇ ସବୁ ଚାପି ଦେଉଛନ୍ତି । ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ସାତ ହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି । ଜୁଲାଇ ମାସ କରୋନା ସଂକ୍ରମଣ ବଢିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଥିବାବେଳେ ଖୋଦ୍‍ ମୁଖ୍ୟମନ୍ତ୍ରୀ ବି ଜୁଲାଇମାସ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ହେଲେ ଭୋଜିଭାତ କରିବା ଓ ଖାଇବା ନିଶାରେ ରାଜ୍ୟବାସୀ ଏଭଳି ମସଗୁଲ ହୋଇଛନ୍ତି ଯେ ସଂକ୍ରମଣକୁ ପଛରେ ପକାଇ ଗାଁ ଠୁ ସହର ଯାଏ ଲୁଚାଛପରେ ଭୋଜିଭାତ କରୁଛନ୍ତି । ଏଭଳି ଅମାନିଆଙ୍କୁ ଧରି ବଡ ଧରଣଣ ଦଣ୍ଡ ଦେଲେ ଅନେକ ଆୟୋଜନକାରୀ ଛାଏଁ ଛାଏଁ ବିରତ ରହିବେ ବୋଲି ମତପ୍ରକାଶ ପାଉଛି ।