ଭୁବନେଶ୍ୱର : ରାଜ୍ୟରେ ଥିବା କଳ କାରଖାନାର ପ୍ରଦୂଷଣ ଯାଞ୍ଚ କ୍ଷମତା ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଜଣଙ୍କ ହାତରେ ରହିଛି । ଘଟଣାଟି ବିଶ୍ୱାସ ହେଉନଥିଲେ ବି ସତ୍ୟ । ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଯନ୍ତ୍ରୀଙ୍କ ହାତରେ ଗତ ୨୩ବର୍ଷ ଧରି ଏହି କ୍ଷମତା ଥିବାନେଇ ଏବେ ଚର୍ଚ୍ଚା ଜୋରଦାର ହୋଇଛି । କେବଳ ଏହି ଗୋଟିଏ କ୍ଷମତା ନୁହେଁ ସମ୍ପୃକ୍ତ ଯନ୍ତ୍ରୀଙ୍କ ହାତରେ ଆଉ ୩/୪ଟି ଗୁରୁତ୍ୱପୂର୍ଣ୍ଣ କ୍ଷମତା ଥିବା ବି କୁହାଯାଉଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମ୍ପୃକ୍ତ ଯନ୍ତ୍ରୀଙ୍କ ହାତରେ ରହିଛି କନ୍ସେଣ୍ଟ ଟୁ ଅପରେଟ (ସିଟିଓ) କ୍ଷମତା । ଏହାର କାମ ହେଉଛି ରାଜ୍ୟର ସମସ୍ତ କଳକାରଖାନାର ନିୟମିତ ପ୍ରଦୂଷଣ ଯାଞ୍ଚ କରିବା । ଯାଞ୍ଚ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ସ୍ତର ସଠିକ ନଥିଲେ କାରଖାନାରେ ତାଲା ଝୁଲାଇ ଦିଆଯାଏ । ସେହିଭଳି ଗତ ଦୁଇବର୍ଷ ଧରି ଏହି ଅଧିକାରୀଙ୍କ ହାତରେ ରହିଛି କନସେଣ୍ଟ ଟୁ ଏଷ୍ଟାବ୍ଲିଶ (ସିଟିଇ) ଦାୟିତ୍ୱ । ଓଡିଶାକୁ ଆସୁଥିବା କୌଣସି ଶିଳ୍ପ କାରାଖାନା ଏଠାରେ ତାହାର ଉତ୍ପାଦନ ଆରମ୍ଭ କରିବା ପୂର୍ବରୁ ସିଟିଇ ଅନୁମତି ହାସଲ କରିବା ବାଧ୍ୟତା ମୂଳକ । ତେଣୁ ଏହି ଯନ୍ତ୍ରୀ ଜଣଙ୍କ ସବୁଜ ସଙ୍କେତ ଦେଲାପରେ ହିଁ କାରଖାନା ଚାଲିପାରିବ । ଉଭୟ ଦାୟିତ୍ୱକୁ ଦପ୍ତରର କେତେକ କର୍ମଚାରୀ ଅତ୍ୟନ୍ତ ମାଲଦାର କାର୍ଯ୍ୟ ବୋଲି କହୁଛନ୍ତି ।
ସେହିଭଳି ସମ୍ପୃକ୍ତ ଯନ୍ତ୍ରୀଙ୍କ ହାତରେ ବିଗତ ଛଅବର୍ଷ ଧରି ରହିଛି ବିପଦପୂର୍ଣ୍ଣ ବର୍ଜ୍ୟ ପରିଚାଳନା ଦାୟିତ୍ୱ । କୌଣସି ଶିଳ୍ପ କାରଖାନାରୁ ଯଦି କ୍ଷତିକାରକ ବର୍ଜ୍ୟବସ୍ତୁ ବାହାରି ପରିବେଶ ନଷ୍ଟ କରୁଥାଏ ତାହାର ତଦାରଖକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହେଉଛି ଏହି ଅଧିକାରୀଙ୍କ କାର୍ଯ୍ୟ । ଛଅ ବର୍ଷ ଧରି ସେ ଏହି ଗୁରୁଦାୟିତ୍ୱ ତୁଲାଉଛନ୍ତି । ଅନୁରୂପ ଭାବେ ୨୦୧୪ ମସିହାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଅନ୍ଲାଇନ୍ ମନିଟରିଂ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଏହାର ଦାୟିତ୍ୱ ବି ଯନ୍ତ୍ରୀଙ୍କ ହାତରେ । ମୋଟାମୋଟି ଭାବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ହାରାହାରି ୮୦ ପ୍ରତିଶତ କ୍ଷମତା ଏହି ଯନ୍ତ୍ରୀଙ୍କ ହାତରେ ରହିଛି ।
ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ଖୋଦ୍ ରାଜ୍ୟ ମୁଖ୍ୟ ଶାସନ ସଚିବ ବା ରାଜ୍ୟ ପ୍ରଶାସନର ମୁଖିଆ । ବୋର୍ଡର ସଚିବ ପଦରେ ଜଣେ ଭାରତୀୟ ଜଙ୍ଗଲ ସେବା (ଆଇଏଫ୍ଏସ୍) ଅଫିସର ଅବସ୍ଥାପିତ ।
ସେଭଳି ସ୍ଥିତିରେ ଜଣେ ଯନ୍ତ୍ରୀଙ୍କ ହାତରେ ବୋର୍ଡର ସମସ୍ତ କ୍ଷମତା ବର୍ଷ ବର୍ଷ ଧରି ଠୁଳ ହେବା ଏବେ ଖୋଦ ଲୋକସେବା ଭବନରେ ଚର୍ଚ୍ଚାର ବିଷୟ ହେଉଛି । ହେଉଥିବା
ଦୁଇ ଦଶନ୍ଧି ଆଲୋଚନା ଅନୁଯାୟୀ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ପଶ୍ଚିମଓଡିଶାର ଜଣେ ମନ୍ତ୍ରୀ ସୁରକ୍ଷା ଯୋଗାଇ ଦେଉଛନ୍ତି । ଏଥି ସହିତ ରାଜ୍ୟ ପ୍ରଶାସନର ଆଉ କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କ ଆର୍ଶୀବାଦ ବି ଯନ୍ତ୍ରୀଙ୍କ ଉପରେ ରହିଛି । ତେଣୁ ତାଙ୍କୁ ସେଠାରୁ ହଟାଇବା ତ ଦୂରରକଥା ତାଙ୍କ ନିକଟରେ ଥିବା ଏକାଧିକ କ୍ଷମତାର ବିକେନ୍ଦ୍ରୀକରଣ ବି ହୋଇପାରୁ ନାହିଁ । ଏହାକୁ ନେଇ ପ୍ରଦୂଷଣ ବୋର୍ଡରେ ଅସନ୍ତୋଷ ବଢି ବଢି ଚାଲିଥିବାବେଳେ ଆଗକୁ ଏହା ବିସ୍ଫୋରକ ନେବାର ଆଭାସ ବି ମିଳିଲାଣି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପରିବେଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଥିବା ବୋର୍ଡରେ ଯେଭଳି କ୍ଷମତାର କେନ୍ଦ୍ରୀକରଣ ହେଉଛି ତାହା ଅନେକ ବରିଷ୍ଠ ପ୍ରଶାସକଙ୍କୁ ଆଚମ୍ବିତ କରିଛି । ତୁରନ୍ତ ବ୍ୟବସ୍ଥାରେ ସଂସ୍କାର ନଆସିଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକ ପ୍ରଦୂଷିତ ହୋଇଯିବ ବୋଲି ମତପ୍ରକାଶ ପାଉଛି ।